Unknown

 

 

 

 

 

 

 

 

 

 

 

କଙ୍କାଳ କଥା

ଶ୍ରୀ ରତ୍ନାକର ଗିରି

 

ପଦେଅଧେ

 

ଶ୍ରୀଯୁକ୍ତ ରତ୍ନାକର ଗିରିଙ୍କର ‘କଙ୍କାଳ କଥା’ ନାମକ ଡିଟେକ୍‍ଟିଭ୍ ଉପନ୍ୟାସର ପାଣ୍ଡୁଲିପିଟି ଆମୂଳଚୂଳ ପାଠକରି ପ୍ରୀତ ହେଲି । ବହି ଖଣ୍ଡିକରେ ଉଦବେଗ ମୂଳକ ଚିନ୍ତାଧାରା ଏପରି ରୂପାୟିତ ହୋଇଛି ଯେ କୌଣସି ପାଠକ ଏଇଟିକୁ ପଢ଼ି ବସିଲେ ଏକଥରକେ ଶେଷ ପର୍ଯ୍ୟନ୍ତ ନ ପଢ଼ି ରହିପାରିବେ ନାହିଁ । ଲେଖକ ଏହି ବହିଟିରେ ପାଠକ ମନରେ କ୍ରମବର୍ଦ୍ଧନ ଆକାଂକ୍ଷାକୁ ଜାଗରୂକ ରଖିବାରେ ଯଥେଷ୍ଟ କୃତିତ୍ୱ ଦେଖାଇଛନ୍ତି ।

 

ଆଜିକାଲି ସାଧାରଣତଃ ପାଠକ-ପାଠିକାଙ୍କର ମନ କାବ୍ୟ-କବିତା ଆଡ଼ୁ ଅପସରି ଆସି କ୍ରମେ ଗଳ୍ପ, ଉପନ୍ୟାସ ଆଡ଼କୁ ବିଶେଷତଃ ଏହି ଧରଣର ଡିଟେକ୍‍ଟିଭ୍ ଉପନ୍ୟାସ ଆଡ଼କୁ ଆକୃଷ୍ଟ ହେଉଥିବାର ଅନୁମିତ ହୁଏ । ଲେଖକଙ୍କର ଏହି ବହି ଖଣ୍ଡିକ ଆଜିକାଲିର ଯାନ୍ତ୍ରିକ ସଭ୍ୟତାର କଙ୍କାଳସାର ମଣିଷର ଜଞ୍ଜାଳମୟ ଜୀବନରେ ଟିକିଏ ଅବସର-ବିନୋଦ ପାଇଁ କମ୍ ସାହାଯ୍ୟ କରିବ ନାହିଁ ।

 

ଲେଖକ ଏହାଠାରୁ ଆହୁରି ଚମକପ୍ରଦ ଡିଟେକ୍‍ଟିଭ୍ ଉପନ୍ୟାସ ଲେଖିବାରେ ବ୍ରତୀ ହୁଅନ୍ତୁ ଏହା ହିଁ କାମନା । ଇତି ।

 

 

ଶ୍ରୀ ପ୍ରାଣକୃଷ୍ଣ ମିଶ୍ର,

ଶ୍ରୀ ରାମ ନବମୀ ୧୯୫୮

ସାହିତ୍ୟାଚାର୍ଯ୍ୟ ହେଡ଼୍‍ପଣ୍ଡିତ,

 

ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ୍ ହାଇସ୍କୁଲ, ଚଉଦ୍ୱାର

 

ନିଜକଥା

 

ପ୍ରକାଶକ ହେବାର ବାସନା ହୁଏତ ମୋର ଥିଲା । କିନ୍ତୁ ସହକର୍ମୀ, ହିତାକାଂକ୍ଷୀ ଓ ଉପକାରୀ ବନ୍ଧୁମାନଙ୍କ ଉତ୍ସାହ ଏ ଦିଗରେ ଅଗ୍ରସର ହେବା ପାଇଁ ମୋତେ ଯଥେଷ୍ଟ ପ୍ରେରଣା ଦେଇଛି । ଯାହାହେଉ ମୁଁ ମୋ କାର୍ଯ୍ୟରେ ସଫଳ ହୋଇଛି ଓ ଆଜି ଶିବରାତ୍ରି ଅବସରରେ ଭକ୍ତିର ନିଦର୍ଶନ ସ୍ୱରୂପ ଏହି ‘କଙ୍କାଳ କଥା’ଟି ପ୍ରଥମ ଅର୍ଘ୍ୟ ରୂପେ ପଶୁପତିଙ୍କ ଚରଣ କମଳରେ ନିବେଦନ କରୁଛି ।

 

ଏହି ବହିର ଲେଖକ ଶ୍ରୀଯୁକ୍ତ ରତ୍ନାକର ଗିରି, ପଣ୍ଡିତ ପ୍ରାଣକୃଷ୍ଣ ମିଶ୍ର, ସାହିତ୍ୟାଚାର୍ଯ୍ୟ, ବହିର ସମ୍ପାଦକ ଶ୍ରୀଯୁକ୍ତ କୁଞ୍ଜବିହାରୀ ମହାପାତ୍ର ଓ ପ୍ରଭାତୀ ପ୍ରେସର ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ମିଶ୍ର, ପ୍ରଭୃତି ଯେଉଁ ବନ୍ଧୁମାନେ ମୋ ପ୍ରତି ସାହାଯ୍ୟ ସହାନୁଭୂତି ପ୍ରଦର୍ଶନ କରିଛନ୍ତି ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ପାଠକ ପାଠିକା ଏହି ବହିଟି ଆଦରର ସହିତ ପଢ଼ିଲେ ଶ୍ରମ ସାର୍ଥକ ହେବ ଓ ନିର୍ଦ୍ଦିଷ୍ଟ ପଥରେ ଅଗ୍ରସର ହେବା ପାଇଁ ମୁଁ ଉତ୍ସାହ ପାଇବି ।

 

ଶିବରାତ୍ରି

ନରେନ୍ଦ୍ରକୁମାର ମହାପାତ୍ର

୧୯୬୦

ପ୍ରକାଶକ

 

କୁମାର ବୁକ୍ ଷ୍ଟୋର

Image

 

ଉତ୍ସର୍ଗ

 

ଯେଉଁ ପିତୃଦେବ ମହୋଦୟଙ୍କ ଆପ୍ରାଣ ଚେଷ୍ଟା, ଅଦମ୍ୟ ଉତ୍ସାହ ଓ ଅଗାଧ ସ୍ନେହ ମୋତେ ଆଜି ମଣିଷ କରିପାରିଛି, ଭକ୍ତିର ଅର୍ଘ୍ୟ ସ୍ୱରୂପ ଆଜି ସେହି ପରମାରାଧ୍ୟଙ୍କ ପଦତଳେ ମୋର ପ୍ରକାଶିତ ଏହି କ୍ଷୁଦ୍ର ପୁସ୍ତିକାଟିକୁ ସର୍ମପଣ କଲି ।

 

ବିନୀତ

ନରି

Image

 

ନିବେଦନ

 

ଏହି ଅନୁଷ୍ଠାନ ତରଫରୁ ସମସ୍ତ ପ୍ରକାର ଗଳ୍ପ, ଉପନ୍ୟାସ, କବିତା, ପୁରାଣ, ପାଠ୍ୟ-ପୁସ୍ତକମାନଙ୍କର ସାଥୀ ଏବଂ ସ୍କୁଲ, କଲେଜ ଓ ଅଫିସ୍ ଉପଯୋଗୀ ସମସ୍ତ ପ୍ରକାର ଷ୍ଟେସନାରୀ ଜିନିଷମାନ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଏ । ବେପାରୀମାନଙ୍କୁ ଉପଯୁକ୍ତ କମିଶନ ଦେବାର ବ୍ୟବସ୍ଥା ମଧ୍ୟ ଅଛି ।

 

ଶିଶୁ ଅନୁଷ୍ଠାନଟି ଆପଣମାନଙ୍କ ସାହାଯ୍ୟ ଓ ସହାନୁଭୂତି ଉପରେ ଆଗେଇ ଚାଲିବ ବୋଲି ଆଶା ।

 

ପ୍ରକାଶକ

କୁମାର ବୁକ୍ ଷ୍ଟୋର

Image

 

–ଏକ–

 

ଶ୍ରାବଣ ମାସ । ଦୁଇଦିନ ଅବିଶ୍ରାନ୍ତ ବୃଷ୍ଟି ପରେ ପୃଥିବୀର ଚତୁର୍ଦ୍ଦିଗରେ ପ୍ରକୃତିର ପ୍ରଶାନ୍ତ ଭାବ ଦେଖାଦେଇଛି । ଗୁଇନ୍ଦା ନଗେନ୍ ବାବୁ ଗୋଟିଏ ଆଇନ ବହିର ପୃଷ୍ଠା ଲେଉଟାଇ ଦେଖି ଚାଲିଛନ୍ତି । ଭୃତ୍ୟ ଛୋଟେଲାଲ ଯକ୍ଷ୍ମା ରୋଗୀ ପରି ଧଇଁ ସଇଁ ହୋଇ ଆସି କହିଲା–‘ବାବୁ’

 

ପୁସ୍ତକରୁ ଦୃଷ୍ଟି ଫେରାଇ ସତୃଷ୍ଣ ନୟନରେ ନଗେନ୍ ବାବୁ କହିଲେ–‘‘କ’ଣ ହୋଇଛି କିରେ ?’’ ଭୃତ୍ୟଟି ସେହିପରି ଧଇଁ ସଇଁ ହେଉଥିଲା ଏବଂ ଅତି ଭୟାର୍ତ୍ତ କଣ୍ଠରେ କହିଲା–‘‘ବାବୁ, ଖୁନ୍ !’’ ଶିରା ପ୍ରଶିରାରେ ଉଷ୍ଣ ରକ୍ତସ୍ରୋତ ପ୍ରବାହିତ ହେଲାପରି ନଗେନ୍ ବାବୁ କହି ଉଠିଲେ–‘‘ଖୁନ୍ ! ଯେଉଁଠାରେ ?’’ ନଗେନ୍ ବାବୁଙ୍କ ଆଚରଣରେ ଭୃତ୍ୟ ଗୋଟାଏ ଅଜଣା ଭୟର ବିଭୀଷିକା ଅନୁଭବ କଲା ଏବଂ କାଳ ବିଳମ୍ୱ ନ କରି ବିଷୟ ବର୍ଣ୍ଣନା କରିବାକୁ ପ୍ରଶ୍ନ ହେବା ସଙ୍ଗେ ସଙ୍ଗେ ସେ ଉତ୍ତର ଦେଲା–ଆମ ଦ୍ୱାର ସମ୍ମୁଖ ଫୁଟ୍‍ପାଥରେ ।’’ ଦ୍ୱିତୀୟ ପ୍ରଶ୍ନ ନକରି ନଗେନ୍ ବାବୁ ବାହାରକୁ ବାହାରି ଆସିଲେ । ଦ୍ୱାରଟି ଉନ୍ମୁକ୍ତ ଥିଲା । ସେ ଦେଖିଲେ ଭୃତ୍ୟର କଥାଗୁଡ଼ିକ ଅକ୍ଷରେ ଅକ୍ଷରେ ସତ୍ୟ । ଠିକ୍ ଦ୍ୱାର ସମ୍ମୁଖ ଫୁଟ୍‍ପାଥରେ ଗୋଟିଏ ଲୋକ ଚିତ୍ ହୋଇ ପଡ଼ିଛି । ଲୋକଟିର ବୟସ ପଚାଶରୁ କମ୍ ନୁହେଁ । ଦୀର୍ଘ ସୁଗଠିତ ଦେହ, ମସ୍ତକର କେଶଗୁଡ଼ିକ ପାଚି ଯାଇଛି, ଶ୍ମଶ୍ରୁ ମଧ୍ୟ ଅଛି । ପୋଷାକ ପରିଚ୍ଛଦରୁ ଜଣାଯାଏ ବୋଧହୁଏ ଅତି ସୌଖୀନ ଲୋକ । ଡାହାଣ ହାତରେ ବହୁମୂଲ୍ୟ ହୀରାର ଅଙ୍ଗୁରୀୟ, ବାମ ହାତରେ ଗୋଟିଏ ବହୁମୂଲ୍ୟ ରିଷ୍ଟୱାଚ୍, ପାଦରେ ନିଉକାଟ୍ ସୁ’ ପରିଧାନ କରିଛନ୍ତି । ବିଦେଶୀ ଫିନ୍‍ଫିନ୍ କଳାପାଡ଼ି ଧୋତି ଓ ଶିଲ୍‍କ ପଞ୍ଜାବୀ–ପଞ୍ଜାବୀର ବୋତାମ କେତେଟା ହୀରାପରି । ଲୋକଟି କେବଳ ସୌଖୀନ ନୁହେଁ–ବିଭବଶାଳୀ ମଧ୍ୟ । ନଗେନ୍ ବାବୁ ଗୋଟିଏ ପୁରାତନ ଡେଟ୍‍କାର୍ଡ଼ (date card) ଛିନ୍ନ କରି, ସେଥିରେ କିଛି ଲେଖି ଭୃତ୍ୟ ହାତରେ ଦେଇ କହିଲେ–ଏହାକୁ ବର୍ତ୍ତମାନ ଧନଞ୍ଜୟ ବାବୁଙ୍କୁ ଦେଇ ଆସ । ଭୃତ୍ୟଟି ବିଦ୍ୟୁତ୍ ବେଗରେ ଛୁଟିଗଲା ।

 

ନଗେନ୍ ବାବୁ ନିକଟସ୍ଥ ସ୍ଥାନଗୁଡ଼ିକୁ ପରୀକ୍ଷା କରିବାରେ ଲାଗିଲେ । ହଠାତ୍ ତାଙ୍କର ଦୃଷ୍ଟି ନିକ୍ଷିପ୍ତ ହେଲା ନିକଟବର୍ତ୍ତୀ ଏକ ଗଳିର ମୋଡ଼ରେ–ଗୋଟିଏ ବାର ତେର ବର୍ଷର ବାଳକ ବାରମ୍ୱାର ଉଙ୍କିମାରି ଚାହିଁ ହଠାତ୍ ଅଦୃଶ୍ୟ ହୋଇଗଲା । ନଗେନ୍ ବାବୁ ଦ୍ରୁତ ପଦରେ ଗଳିର ମୋଡ଼ ପର୍ଯ୍ୟନ୍ତ ଯାଇ ଦେଖିଲେ ସେଠାରେ କେହି ନାହାନ୍ତି । ଅନନ୍ତର ସେହି ଗଳିର ମୋଡ଼ରୁ ପ୍ରତ୍ୟାବର୍ତ୍ତନ କରି ମୃତ ବ୍ୟକ୍ତିକୁ ପରୀକ୍ଷା କରିବାରେ ଲାଗିଲେ ଓ ସ୍ପର୍ଶ ନ କରି ତା’ର ଚତୁର୍ଦ୍ଦିଗରେ ବୁଲିଲେ । ଦେହର ସେ ଯେଉଁ ଅଂଶଟିକୁ ଦେଖିଲେ ସେଠାରେ କୌଣସି ଆଘାତର ଚିହ୍ନ ନ ଥିଲା-। ଅନତିବିଳମ୍ୱେ ମଟର ହର୍ଣ୍ଣ ଶୁଣାଗଲା ଏବଂ ଦେଖୁ ଦେଖୁ ପୁଲିସ୍ ଭ୍ୟାନ ଆସି ଠିଆ ହେଲା । ଧନଞ୍ଜୟ ବାବୁ ଗାଡ଼ିରୁ ଓହ୍ଲାଇ ଆସି କହିଲେ–‘‘ବ୍ୟାପାରଟା କ’ଣ ?’’ ନଗେନ୍ ବାବୁ କୌଣସି କଥା ନ କହି ଅଙ୍ଗୁଳି ସଙ୍କେତରେ ମୃତ ବ୍ୟକ୍ତିକୁ ଦେଖାଇଦେଲେ । ଇନ୍‍ସପେକ୍ଟର ଧନଞ୍ଜୟ ବାବୁ ଦୁଇଜଣ କନେଷ୍ଟବଳଙ୍କ ସାହାଯ୍ୟରେ ଲାସ୍‍କୁ ଓଲଟ ପାଲଟ କରି ପରୀକ୍ଷା କରିବାକୁ ଲାଗିଲେ-। ବ୍ୟକ୍ତିଟିର ପୃଷ୍ଠ ଦେଶରେ ଗୋଟାଏ ତ୍ରିଶୂଳର ଚିହ୍ନ ବ୍ୟତୀତ ଅନ୍ୟ କୌଣସି ଆଘାତର ଚିହ୍ନ ନାହିଁ । ଧନଞ୍ଜୟ ବାବୁ ଭ୍ରୂକୁଞ୍ଚିତ କରି ପଚାରିଲେ‘‘–ବୁଝିପାରିଲେଣି ତ ନଗେନ୍ ବାବୁ, ଏ ଆମର ସୁପରିଚିତ ତ୍ରିଶୂଳ ଚିହ୍ନ-! ବର୍ତ୍ତମାନ ଘାତକର ଅନ୍ୱେଷଣ ଭିନ୍ନ ଆମ୍ଭର କୌଣସି ନୂତନ କର୍ତ୍ତବ୍ୟ ନାହିଁ । ସେହି ପାକଷ୍ଟ୍ରିଟ୍ ଘଟଣାର ପରେ ପୁନର୍ବାର ତା’ର ଆବିର୍ଭାବ ହୋଇଛି ।’’ ନଗେନ୍ ବାବୁ ଗମ୍ଭୀର ଭାବେ କହିଲେ–‘‘ସେୟା ତ ଦେଖୁଛି; ଯାହାହେଉ ପ୍ରଥମେ ଲାସ୍‍କୁ ଥାନାକୁ ପଠାଇ ରିପୋର୍ଟ ଦେଇ ଦିଅନ୍ତୁ । ତା’ପରେ କମିଶନର ସାହେବଙ୍କର ଯେପରି ଆଦେଶ ହେବ ସେହିପରି କରିବାକୁ ହେବ ।’’ ଧନଞ୍ଜୟ ବାବୁ କହିଲେ–‘‘ତା’ ନ ହୋଇ ଆଉ କ’ଣ ହେବ ? କିନ୍ତୁ ଯେଉଁ ବ୍ୟକ୍ତିର ଖୁନ୍ ହେଲା ସେ କିଏ ? କେଉଁଠାରେ ରହେ ? ତା’ର ଶରୀରର ଏସବୁ ଦାମିକା ଜିନିଷଗୁଡ଼ିକର ଅଧିକାରୀ କିଏ ? ଏଗୁଡ଼ିକର ତଦନ୍ତ କରିବା ତ ଆମର କର୍ତ୍ତବ୍ୟ ?’’ ସହାସ୍ୟେ ନଗେନ୍ ବାବୁ କହିଲେ–‘‘ଏହା ତ ନିଶ୍ଚିତ କଥା । ଏଗୁଡ଼ିକୁ ଆପଣ ପରେ ଜୋର ଦେଇ କହିଲେ ହେବ ନାହିଁ ? ବର୍ତ୍ତମାନ କ’ଣ ଡିପାର୍ଟମେଣ୍ଟ ମଧ୍ୟରେ କହିହେବ ? ଏ ତ ସେହି ଗତାନୁଗତିକ ପନ୍ଥା ।’’

 

ଠିକ୍ ଏହି ସମୟରେ ନଗେନ୍ ବାବୁ ଲକ୍ଷ୍ୟ କଲେ ଯେ ସେହି ବାଳକଟି ଗଳିର ମୋଡ଼ ପାଖରେ ପୁନର୍ବାର ଉଙ୍କିମାରି ଚାହୁଁଛି । ନଗେନ୍ ବାବୁ ତାକୁ ହାତଠାରି ଡାକିଲେ । ବାଳକଟି ଗଳିର ମୋଡ଼ରୁ ବାହାରି ଆସୁଥିଲା; କିନ୍ତୁ ବୋଧହୁଏ ଏତେଗୁଡ଼ାଏ ପୁଲିସ୍ ଦେଖି ଗଳି ଭିତରକୁ ଦୌଡ଼ି ପଳାଇଲା । ବାଳକର ଆଚରଣରେ ନଗେନ୍ ବାବୁଙ୍କର ସନ୍ଦେହ ହେଲାପରି ମନେ ହେଲା, କିନ୍ତୁ ତା’ ସଙ୍ଗେ ସଙ୍ଗେ ତାଙ୍କର ଗୋଟାଏ ଖିଆଲ ହେଲା ଯେ, ବାଳକଟି ପୁଲିସ୍‍କୁ ଦେଖି ନିଶ୍ଚୟ ଭୟ ପାଇଛି । ସେ ଏହି ବିଷୟ କାହାରିକୁ ନ କହି ଅନ୍ୟ ପଥରେ ସେହି ଗଳି ନିକଟକୁ ଯାଇ ଦେଖିଲେ–ବାଳକଟି ସେହିପରି ଉଙ୍କିମାରି ଚାହିଁଛି । ନଗେନ୍ ବାବୁ ବାଳକଟିର ପଶ୍ଚାତ୍ ଦେଶରେ ଉପସ୍ଥିତ ହେଲେଣି, ତା’ର ସେ ଦିଗକୁ ଲକ୍ଷ୍ୟ ନ ଥିଲା । ନଗେନ୍ ବାବୁ ବାଳକଟିକୁ ଧରି ପ୍ରତ୍ୟାବର୍ତ୍ତନ କରିବାରୁ ବାଳକଟି କାନ୍ଦି ଉଠିଲା । ସେ ନାନାଦି ମିଷ୍ଟ ବାକ୍ୟ କହି ବାଳକକୁ ସାନ୍ତ୍ୱନା ଦେଲେ । ତେଣୁ ବାଳକର କ୍ରନ୍ଦନ ଧୀରେ ଧୀରେ ବନ୍ଦ ହେବାରୁ ନଗେନ୍ ବାବୁ କହିଲେ–‘‘ଏହି ଘର ସମ୍ମୁଖରେ ଗୋଟାଏ ଖୁନ୍ ହୋଇଛି !’’

 

ଆପଣଙ୍କ ଘର ସମ୍ମୁଖରେ ତ ?

 

ମୋ ଘର, ତୁ ଜାଣୁ ?

 

ଜାଣେ ।

 

କ’ଣ ଜାଣୁ କହ ତ ?

 

ମଟର ଗାଡ଼ିରେ ରହି ଗୋଟିଏ ଲୋକ ଏହି ଲୋକକୁ ଫିଙ୍ଗି ଦେଇଛି ।

 

ଫିଙ୍ଗିଲା ବେଳେ ତୁ ଦେଖିଛୁ ?

 

ହଁ, ଦେଖିଛି ।

 

ଗାଡ଼ିରେ କେତେ ଜଣ ଲୋକ ଥିଲେ ?

 

ଜଣେ ସ୍ତ୍ରୀ ଲୋକ ଏବଂ ଆଉ ଜଣେ ବିକଟାଳ ଚେହେରାବାନ୍ ପୁରୁଷ ।

 

କିଏ ଫିଙ୍ଗିଦେଲା ?

 

ସେହି ପୁରୁଷଟା ଏହି ଲୋକକୁ ଗାଡ଼ିରୁ ଆଣି ତଳେ ଶୁଆଇ ଦେଲା ।

 

ଆଉ ସ୍ତ୍ରୀ ଲୋକଟା ?

 

ଡ୍ରାଇଭର ପରି ବସିଥାଏ ।

 

ସ୍ତ୍ରୀ ଲୋକଟିକୁ ଦେଖିଲେ ତୁ ଚିହ୍ନିପାରିବୁ ତ ?

 

ନିଶ୍ଚୟ ପାରିବି ।

 

ତା’ର ଯଦି ଫଟୋ ମିଳେ, ତୁ ଚିହ୍ନି ପାରିବୁ ?

 

ହଁ, ପାରିବି ।

 

ତା ହେଲେ ତୁ ମୋ ସାଙ୍ଗରେ ଆ ।

 

କେଉଁଠାକୁ ?

 

ମୋ ଘରକୁ ।

 

ବର୍ତ୍ତମାନ ପୁଲିସ୍ ଅଛନ୍ତି !

 

ତାଙ୍କୁ ତୋର ଭୟ କାହିଁକି ?

 

ଯଦି ମୋତେ ଧରି ନେଇଯିବେ ।

 

ଦୋଷ ନ କଲେ ଏମାନେ ଧରିନେବେ କାହିଁକି ?

 

ମୁଁ ତ କୌଣସି ଦୋଷ କରିନି ।

 

ତେବେ ଆଉ ଭୟ କ’ଣ–ତୋତେ ଧରିନେବେ କାହିଁକି ?

 

ତା’ ହେଲେ ଯିବି ।

 

ତୁ କେଉଁଠାରେ ରହୁ ?

 

ଏହି ବଡ଼ ରାସ୍ତାର ଉପର ବସ୍ତିରେ ।

 

ତୋର ସେ କ’ଣ ନିଜ ଘର ?

 

ନା, ଆମେ ଗୋଟାଏ ଘର ଭଡ଼ା ନେଇ ଅଛୁ ।

 

ତୋର ଆଉ କିଏ ଅଛନ୍ତି ?

 

ମୋର ଭାଇ ଏବଂ ଭାଉଜ ।

 

ମା’ ବାପ ନାହାନ୍ତି ?

 

ନାଁ ।

 

ତୋ ଭାଇ ତୋତେ ଭଲ ପାଏ ?

 

ନା ।

 

ଭାଉଜ ?

 

ତଦ୍ରୂପ ।

 

ତୁ ଚାକିରି କରିବୁ ?

 

କେଉଁଠାରେ ?

 

ମୋ ପାଖରେ ।

 

କ’ଣ କରିବାକୁ ହେବ ?

 

ବୋଲହାକ କରିବା, ଖବର ଅନ୍ତର ନେବାଆଣିବା କରିବା–ପାରିବୁ ନାହିଁ ?

 

ନିଶ୍ଚୟ ପାରିବି ।

 

ବେଶ୍, ତା’ହେଲେ ତୁ ଆଜିଠାରୁ ମୋ ପାଖରେ ରହ ।

 

ଭାଇଙ୍କୁ ଥରେ ଜଣାଇ ଦେବାକୁ ହେବ ତ ?

 

ଭାଇଙ୍କ ନାମ କହିଦେ, ମୁଁ ଜଣାଇ ଦେବି ।

 

ତା’ ହେଲେ ଭଲ ହେବ, ନ ହେଲେ–

 

ନ ହେଲେ କ’ଣ ହେବ ?

 

ଭାଉଜ ଭାଇଙ୍କୁ ମନା କରିଦେବେ–ଭାଇ ଆଉ ଆସିବାକୁ ଦେବେ ନାହିଁ ।

 

ସେଠାକୁ ନ ଯିବା ହିଁ ଭଲ ।

 

ମୋର କିନ୍ତୁ ଚଳିବାକୁ ଅସୁବିଧା ହେବ ଯେ ।

 

କାହିଁକି ?

 

ମୋର ଦୁଇଖଣ୍ଡ ଲୁଗା ଏବଂ ଗୋଟିଏ ଗଞ୍ଜି ଘରେ ରହିଗଲା ।

 

କିଛି ଭାବନା ନାହିଁ, ମୁଁ ତୋ ପାଇଁ ସବୁ କିଣି ଦେବି ।

 

ଖୁବ୍ ଭଲ କଥା ।

 

ତା’ହେଲେ ମୋ ସାଙ୍ଗେ ଆ ।

 

ଚାଲନ୍ତୁ ।

 

ହଁ, ତୋର ନାଁ କ’ଣ ?

 

ସୁରେଶ ।

 

ସୁରେଶ ସହ ନଗେନ୍ ବାବୁ ଆସି ଅଫିସ୍ ଘରେ ପ୍ରବେଶ କରିବା ମାତ୍ରେ ଧନଞ୍ଜୟ ବାବୁ ଆଗ୍ରହ ସହକାରେ ପ୍ରଶ୍ନ କଲେ–‘‘ହଠାତ୍ ଆପଣ ଅନ୍ତର୍ଦ୍ଧାନ ହୋଇଗଲେ ଯେ ?’’ ସହାସ୍ୟେ ନଗେନ୍ ବାବୁ କହିଲେ–‘‘ଗସ୍ତକୁ’’ । ବିସ୍ମିତ ହୋଇ ଧନଞ୍ଜୟ ବାବୁ ପଚାରିଲେ ‘‘ଗସ୍ତକୁ’’ । ସୁରେଶକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ‘‘ଏହି ଯେ...’’ ଧନଞ୍ଜୟ ବାବୁ ମୃଦୁ ହସି କହିଲେ–‘‘ତା’ହେଲେ ଲାସ୍‍କୁ ଆମେ ଥାନାକୁ ନେଇ ଯାଉଛୁ । ଏଣିକି ମୋର ମଧ୍ୟ ଏହି ଦିଗରେ ଅଭିଯାନ ହେବ । ଏ ସମ୍ୱାଦଟା ସମ୍ୱାଦପତ୍ର ଅଫିସରେ ପହଞ୍ଚାଇ ଦେବି ତ ?’’ ନଗେନ୍‍ ବାବୁ କହିଲେ–‘‘ଯଦି ଏତେ ଶୀଘ୍ର ଖବରଟା ସମ୍ୱାଦପତ୍ର ଅଫିସ୍ରେ ପହଞ୍ଚିଯାଏ, କାଲି ସକାଳେ ବାହାରିଯିବ–ଏହା ଆମର କର୍ତ୍ତବ୍ୟ–କିନ୍ତୁ ମନେ ରଖିଥିବେ ଯେ, କାଗଜରେ ସମ୍ୱାଦଟା ବାହାରି ପଡ଼ିଲେ ଆମର ଉତ୍ସାହ ନିଶ୍ଚୟ କମିଯିବ ।’’

 

‘‘ସେହି ଯୁକ୍ତି ହିଁ ଭଲ’’–ଏହା କହି ଧନଞ୍ଜୟ ବାବୁ ଲାସ୍‍କୁ ନେଇ ଥାନାଭିମୁଖେ ଗାଡ଼ି ଷ୍ଟାର୍ଟ କଲେ । ନଗେନ୍ ବାବୁ ଚାକରକୁ ଡାକି ସୁରେଶ ପାଇଁ କିଛି ଖାଇବା ଜିନିଷ ଓ ଏକ ପିଆଲା ଚା’ ଆଣିବାକୁ ଆଦେଶ ଦେଲେ ।

 

ଅନତିବିଳମ୍ୱେ ଚାକରଟି ଚା’ ଓ କିଛି ଖାଦ୍ୟଦ୍ରବ୍ୟ ଦେଇ ପ୍ରସ୍ଥାନ କରିବା ସମୟରେ ସୁରେଶ ଚାକରକୁ ଗୋଟିଏ ଚାମଚ ଚା’ ପିଆଲାରେ ଦେବାକୁ କହିଲା । ଚାକରଟି ଚାମଚ ଆଣି ଦେଇଗଲା ଏବଂ ନଗେନ୍‍ ବାବୁ ଆଇନ ବହିକୁ ଖୋଲି ଏକ ଫଟୋ ଦେଖାଇ ସୁରେଶକୁ କହିଲେ–‘‘ଦେଖ ତ, ମଟରରେ ଏହି ସ୍ତ୍ରୀ ଲୋକଟି ବସିଥିଲା କି ନାହିଁ ?’’ ଫଟୋ ଦେଖି ସୁରେଶ ଆନନ୍ଦିତ ହୋଇ କହିଲା–‘‘ଏହି ସ୍ତ୍ରୀ ଲୋକଟା ତ ! ସ୍ତ୍ରୀ ଲୋକଟା କହିଲା ଏହାକୁ ଫାଟକ ବାଟେ ବାହାରକୁ ଫିଙ୍ଗି ଦେ, ପୁରୁଷଟି ଆଣି ଫିଙ୍ଗିଦେଲା ।’’

 

ସେ ଲୋକଟା ଦେଖିବାକୁ କିପରି ?

 

କଦାକାର ଚେହେରା ! ଯେପରି କଳା ସେପରି ମଧ୍ୟ ମୋଟା । ନାକ ଚେପ୍‍ଟା, କି ବିକଟାଳ ଚାହାଣି ! ମୋ ଆଡ଼କୁ ସେ କଟମଟ କରି ଚାହିଁଲା । ମୋତେ ଭାରି ଭୟ ଲାଗିଲା, ମୁଁ ଦୌଡ଼ି ପଳାଇଲି ।

 

ସେ ତୋତେ ଦେଖିଛି ?

 

ବୋଧହୁଏ ଦେଖିଛି, ତେବେ ଲୋକଟା ଟେରା–ତା’ର ଦୃଷ୍ଟି ମୋ ଆଡ଼କୁ ଥିଲା କି ନାହିଁ ମୁଁ ବୁଝିପାରିଲି ନାହିଁ ।

 

ତା’ହେଲେ ଠିକ୍ ଦେଖି ନାହିଁ । ଆଚ୍ଛା ସେ ଗାଡ଼ି କେଉଁ ଦିଗକୁ ଗଲା ?

 

ବରାବର ବଡ଼ ରାସ୍ତାର ଉତ୍ତର ଦିଗକୁ ।

 

ନଗେନ୍ ବାବୁ ନିସ୍ତବ୍‍ଧ ହୋଇ କ’ଣ ଚିନ୍ତା କଲେ । ତା’ପରେ ଗୋଟିଏ ଚୁରୁଟରେ ଅଗ୍ନି ସଂଯୋଗ କରି କକ୍ଷ ମଧ୍ୟରେ ପଦଚାଳନ କରିବାକୁ ଲାଗିଲେ । ସେ ସହସା ପଚାରିଲେ–‘‘ଆରେ ସୁରେଶ ! ସେହି ଲୋକଟିକୁ ରାସ୍ତାରେ ଫିଙ୍ଗିବା ପୂର୍ବରୁ ବୋଧହୁଏ ତାକୁ ଖୁନ କରି ଗାଡ଼ିରେ ପକାଇ ଆଣିଥିଲେ ?’’

 

‘‘ନା–ନା, ତାହା ନୁହେଁ ।’’

 

‘‘ତେବେ ?’’

 

‘‘ମୁଁ ଗୁଡ଼ି ଦୋକାନରେ ଗୁଡ଼ିର ଦର ବୁଝୁଥିଲି । ଗାଡ଼ି ସେହି ବାଟେ ଆସିଲାବେଳେ ମୁଁ ଦେଖିଛି ସେହି ଭଦ୍ରଲୋକଟି ଗାଡ଼ିରେ ବସିଥିଲେ ଏବଂ କିଛିକ୍ଷଣ ପରେ ସେ ଟଳି ପଡ଼ିଲେ । ସ୍ତ୍ରୀ ଲୋକଟି ତାକୁ ଫିଙ୍ଗି ଦେବାପାଇଁ ଆଦେଶ ଦେଲା ।’’ ସୁରେଶ ହଠାତ୍ ବାହାରକୁ ଅନାଇ କହିଲା–‘‘ବାବୁ–’’

 

‘‘କ’ଣ ?’’

 

‘‘ସେହି ଗାଡ଼ି ।’’

 

କାହିଁ ? କହି ନଗେନ୍ ବାବୁ ଗାଡ଼ିଟି ଯେଉଁ ଦିଗକୁ ଗଲା ସେହି ଦିଗରେ ଆଗକୁ ଗଲେ-। ସେ ଦେଖିଲେ, ସୁରେଶ ଯେଉଁ ମୋଡ଼ରେ ଉଙ୍କିମାରି ଚାହୁଁଥିଲା, ଠିକ୍ ସେହି ମୋଡ଼ର ଗଳିରେ ଗୋଟାଏ ପ୍ରକାଣ୍ଡ କୃଷ୍ଣବର୍ଣ୍ଣ ମଟର ଦ୍ରୁତ ବେଗରେ ଛୁଟିଛି । ସେତେବେଳକୁ ପ୍ରାୟ ସନ୍ଧ୍ୟା ଘନେଇ ଆସୁଥିଲା । ଗାଡ଼ି ମଧ୍ୟରେ ଥିବା କୌଣସି ବ୍ୟକ୍ତିକୁ ଦେଖିହେଲା ନାହିଁ । ନଗେନ୍ ବାବୁ ସୁରେଶକୁ କହିଲେ–‘‘ତୁ ଏହି ଗୁଳିପୂର୍ଣ୍ଣ ପିସ୍ତଲକୁ ନେଇ ଏହି ଗଳିରେ ଯା । ମୁଁ ଏହି ଦିଗକୁ ଯାଉଛି-। ତୁ କେବଳ ନଜର ରଖିବୁ ଏ ଗାଡ଼ିରେ କିଏ ବସିବାକୁ ଆସୁଛି କି ନାହିଁ । ତା’ ମଧ୍ୟରେ ସେ ସ୍ତ୍ରୀ ଲୋକଟି ଏବଂ ସେହି ବିକଟାଳ ଚେହେରାବାନ୍ ଲୋକଟା ଅଛି କି ନାହିଁ । ଯଦି କୌଣସି ନୂତନ ଲୋକ ଦେଖିବାକୁ ପାଉ, ତେବେ ତା’ର ଚେହେରାଟା ଭଲକରି ମନେ ରଖିବାକୁ ଚେଷ୍ଟା କରିବୁ-।’’ ‘‘ଆଚ୍ଛା’’ କହି ସୁରେଶ ବିଦ୍ୟୁତ୍ ବେଗରେ ଛୁଟିଗଲା । ନଗେନ୍ ବାବୁ ମଧ୍ୟ ଧୀର ପଦକ୍ଷେପରେ ଗମନ କରିବାକୁ ଲାଗିଲେ । କିଛି ଦୂରରେ ନଗେନ୍ ବାବୁ ଗୋଟିଏ ଟ୍ୟାକ୍‍ସି ଭଡ଼ା କରି ବଡ଼ ରାସ୍ତାରେ କାହାର ଅପେକ୍ଷାରେ ରହିଲେ ।

 

-ଦୁଇ-

 

ପୁଲିସ ଷ୍ଟେସନରେ ଧନଞ୍ଜୟବାବୁ Medical Report ଅପେକ୍ଷାରେ ବସିଥିଲେ । ଜରୁରୀ କେସ୍‍ର ରିପୋଟ ଆସିବାକୁ ବେଶୀ ବିଳମ୍ୱ ହେଲା ନାହିଁ । ରିପୋଟ ଆସିବା ମାତ୍ରେ ସେ ନିଜ ଡାଏରୀରେ ଘଟଣାଗୁଡ଼ିକ ତନ୍ନ ତନ୍ନ କରି ଲେଖିଲେ । ତା’ପରେ ସେ ସିଗାରେଟରେ ନିଆଁ ଧରାଇ ନିଶ୍ଚିନ୍ତରେ ବସିଲେ । ଏହି ସମୟରେ ଜଣେ ଭଦ୍ରଲୋକ ଆସି ଉପସ୍ଥିତ ହେଲେ । ଭଦ୍ରଲୋକଟିର ଚେହେରା ଅତ୍ୟନ୍ତ ସୁନ୍ଦର–ସୁଗଠିତ ଦେହ ଥିଲା ଏବଂ ଦେଖିଲେ ଜଣାଯାଉଥିଲା ଯେ ସେ ବଳିଷ୍ଠ ଓ ବୁଦ୍ଧିମାନ୍ । ବୟସ ପ୍ରାୟ ତିରିଶ ପାର ହୋଇ ନାହିଁ । ଅବସ୍ଥାପନ୍ନ ବ୍ୟକ୍ତି ବୋଲି ପୋଷାକ ପରିଚ୍ଛଦରୁ ମନେହେଉଥିଲା ।

 

ଯୁବକଟି ପ୍ରବେଶ କରି ଧନଞ୍ଜୟ ବାବୁଙ୍କୁ ପଚାରିଲେ–‘‘ଆପଣ କେଉଁଠାରୁ ବଦଳି ହୋଇ ଆସିଛନ୍ତି ?’’ ଧନଞ୍ଜୟ ବାବୁ ପଚାରିଲେ, ‘‘ଆପଣଙ୍କ ନାମ କ’ଣ ? ଆପଣ କ’ଣ କରନ୍ତି-?’’ ଉତ୍ତରରେ ଯୁବକଟି କହିଲା–‘‘ମୋର ନାମ ସମୀର ରାୟ, ମୁଁ ଏଠାରେ ରହେନା, ମଫସଲରେ ଆମର ଜମିଦାରୀ ଅଛି । ମୁଁଏହି ଜମିଦାରୀ କାର୍ଯ୍ୟରେ ବେଶୀ ସମୟ ନିୟୋଗ କରେ । ଦୁଇ ସପ୍ତାହହେଲା ନିଜ କାର୍ଯ୍ୟରେ ଆସିଥିଲି, କିନ୍ତୁ କାର୍ଯ୍ୟର ପରିସର ଏତେ ବଢ଼ିଗଲା ଯେ ଘରକୁ ମଧ୍ୟ ଯାଇପାରୁ ନାହିଁ । ଆଜି ଦାଦାଙ୍କ ସଙ୍ଗେ ଆମର ଜମିଦାରୀ ସମ୍ପର୍କରେ କେତେଟା ଜରୁରୀ ବିଷୟର ପରାମର୍ଶ କରିବାପାଇଁ ତାଙ୍କ ଘରକୁ ଯାଇଥିଲି । ସେଠାରେ ଶୁଣିଲି ଦାଦା ଗତ ଶନିବାର ଦିନଠାରୁ ନିରୁଦ୍ଦେଶ୍ୟ । ଏହିଠାରେ ଗୋଟିଏ ଅଭିନେତ୍ରୀର ଘରକୁ ତାଙ୍କର ଯାତାୟାତ ଥିଲା । ସେ ପ୍ରତି ସୋମବାର ଦିନ ତାଙ୍କ ଘରକୁ ଯାଉଥିଲେ ଏବଂ ବୁଧବାର ଦିନ ଫେରୁଥିଲେ । ଏଥର ସେ ସୋମବାର ଦିନ ଯଥା ସମୟରେ ଯାଇଥିଲେ, କିନ୍ତୁ ତାଙ୍କର ଜଣେ ବନ୍ଧୁଙ୍କ ସହିତ ସେହିଦିନ ସେଠାରୁ ଫେରୁଥିଲେ ଏବଂ ତା’ପରେ ସେ ନିରୁଦ୍ଦେଶ୍ୟ ।’’ ଧନଞ୍ଜୟ ବାବୁ କହିଲେ–‘‘ତାଙ୍କର ନାମ କ’ଣ ।’’

 

ବୀରେଶ୍ୱର ରାୟ ।

 

ଦେଖିବାକୁ କିପରି, କୁହନ୍ତୁ ତ ?

 

ବିଶାଳ ସୁଗଠିତ ଦେହ, ବୟସ ପଚାଶରୁ କିଛି ବେଶୀ ଏବଂ ମସ୍ତକର କେଶଗୁଡ଼ିକ ପାଚିଯାଇଛି । ଖୁବ୍ ସୌଖୀନ ଲୋକ ସେ । ସର୍ବଦା ଫିଟ୍‍ଫାଟ୍ ରହନ୍ତି–ହୀରାର ଅଙ୍ଗୁରୀୟ, ରିଷ୍ଟ୍ଓ୍ୟାଚ୍ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ।

 

ସେହିଦିନ ସେ ଏ ସବୁ କ’ଣ ପିନ୍ଧିଥିଲେ ?

 

ଆଜ୍ଞା, ହଁ ।

 

ତାଙ୍କ ଦେହରେ କ’ଣ ଥିଲା–ଧୋତି ନା ସୁଟ୍ ?

 

ସେ କେବେହେଲେ ସୁଟ୍ ପିନ୍ଧନ୍ତି ନାହିଁ । ତାଙ୍କର ଅତି ପ୍ରିୟ ଥିଲା ଫିନ୍‍ଫିନ୍ କଳାପାଡ଼ି ଧୋତି, ସିଲ୍‍କ ପଞ୍ଜାବୀ ଓ ନିଉକାଟ୍ ସୁ’ ।

 

ସେଦିନ କ’ଣ ସେ ଏହି ନିଜିଷ ସବୁ ପିନ୍ଧିଥିଲେ ?

 

ହଁ ।

 

ମୋ ସଙ୍ଗେ ଆସନ୍ତୁ କହି ଧନଞ୍ଜୟ ବାବୁ ଆଗନ୍ତୁକଙ୍କୁ ମୃତ ବ୍ୟକ୍ତି ନିକଟକୁ ନେଇ ଜାଣିପାରିଲେ ଯେ, ଏହି ମୃତବ୍ୟକ୍ତି ହେଉଛନ୍ତି ଆଗନ୍ତୁକଙ୍କର ଦାଦା । ତତ୍ପରେ ଧନଞ୍ଜୟ ବାବୁ ଅଫିସରେ ପ୍ରବେଶ କରି ଆଗନ୍ତୁକଙ୍କୁ ପ୍ରଶ୍ନ କଲେ–ଆପଣଙ୍କ ନାମ ସମୀର ରାୟ, ନା ?

 

ଆଜ୍ଞା, ହଁ ।

 

କେଉଁଠାରେ ଆପଣଙ୍କର ଜମିଦାରୀ ଅଛି କୁହନ୍ତୁ ତ ?

 

ପ୍ରସାଦପୁର ଗ୍ରାମରେ ।

 

ଆପଣ ସର୍ବଦା ସେଠାରେ ରହନ୍ତି ?

 

ହଁ ।

 

ଜମିଦାରୀ ଆପଣଙ୍କର ପୈତୃକ ନା ଦାଦାଙ୍କର କିଛି ଅଂଶ ଅଛି ?

 

ଜମିଦାରୀ ମୋ ଦାଦାଙ୍କର ଅର୍ଥାତ୍ ବୀରେଶ୍ୱର ବାବୁଙ୍କର । ସେ ଅପୁତ୍ରିକ, ତେଣୁ ସମସ୍ତ କାର୍ଯ୍ୟ ଦେଖାଶୁଣାର ଭାର ମୋ ଉପରେ ଛାଡ଼ି ଦେଇଛନ୍ତି ।

 

ସେ କ’ଣ ଜମିଦାରୀକୁ ଆଦୌ ଯାଆନ୍ତି ନାହିଁ ।

 

ବର୍ଷେ ବା ଦୁଇବର୍ଷରେ ବା ଦୁର୍ଗାପୂଜା ସମୟରେ ସେଠାକୁ ଯାଆନ୍ତି; ମାତ୍ର ଚାରି ଦିନ ରହି ଫେରିଆସନ୍ତି ।

 

ତା’ହେଲେ ପ୍ରଜାମାନେ ଆପଣଙ୍କୁ ଭଲପାଆନ୍ତି କିପରି ଭାବରେ ?

 

ପିତା ସମାନ ।

 

ଜମିଦାରୀ ଛଡ଼ା ଆଉ କ’ଣ ଅଛି ?

 

ହଁ, ଫିସେରି ଅଛି ।

 

ଆପଣଙ୍କର ଫିସେରି କ’ଣ ପ୍ରସାଦପୁରରେ ?

 

ନା ତା’ର ଦୁଇମାଇଲ ଦୂରରେ–ତେବେ ଆମ ଜମିଦାରୀ ଇଲାକାରେ ।

 

ଆପଣ କଲିକତାକୁ ଆସିଛନ୍ତି କାହିଁକି ?

 

ଗୋଟିଏ ବନ୍ଧୁଙ୍କ ନିକଟକୁ, ସେହି ମାଛଚାଷ ନେଇ । କଲିକତା ନିକଟରେ ତାଙ୍କର ଫିସେରି ଅଛି, ମୁଁ ନୂତନ ବ୍ୟବସାୟ କରୁଛି ନା, ତେଣୁ ତାଙ୍କଠାରୁ କିଛି ଉପଦେଶ ନେବାକୁ ହେବ-

 

ଆସିବା ପୂର୍ବରୁ ଦାଦାଙ୍କ ନିକଟକୁ ଯାଇ ନଥିଲେ କାହିଁକି ?

 

ଭାବିଥିଲି ପ୍ରଥମେ ପ୍ରୟୋଜନୀୟ କାର୍ଯ୍ୟ ଶେଷ ହେଲା ପରେ ତାଙ୍କ ନିକଟକୁ ଯାଇଥାନ୍ତି ।

 

ଯେଉଁଦିନ ଆପଣ ଆପଣଙ୍କ ଦାଦାଙ୍କ ନିକଟକୁ ଗଲେ ସେହିଦିନଠାରୁ କ’ଣ ସେ ନିରୁଦ୍ଦେଶ୍ୟ ?

 

କହୁଛି ତ, ମୁଁ ଆଜି ଦାଦାଙ୍କ ନିକଟକୁ ଯାଇଥିଲି, ଶୁଣିଲି, ସେ ଶନିବାର ଦିନଠାରୁ ନିରୁଦ୍ଦେଶ୍ୟ ।

 

ଅର୍ଥାତ୍ ଆଜକୁ ଚାରିଦିନ ?

 

ଆଜ୍ଞା, ହଁ ।

 

ଆପଣ ପ୍ରସାଦପୁର ଯିବେ କେବେ ?

 

ଆଜି ଗଲେ ଭଲ ହୁଅନ୍ତା–ଯଦି ଆପଣ ଅନୁମତି ଦିଅନ୍ତି, ତେବେ ଦାଦାଙ୍କ ମୃତ ଦେହ ସତ୍କାର କରିବା ନିମିତ୍ତ ଆଜି ରହିବି ।

 

ଆପଣଙ୍କୁ ଆଜି ଯିବାକୁ ହେବ ନାହିଁ । ଅନ୍ତତଃ ଦୁଇଦିନ ରହିବାକୁ ହେବ ।

 

ଆପଣ ଯେପରି କହିବେ, ତାହା ହିଁ କରିବି, ଯେହେତୁ ଗୋଟାଏ ଦୁର୍ଦ୍ଦିନ ଘଟିଛି ।

 

ଆପଣ ବିବାହିତ ?

 

ନା ।

 

ଆଚ୍ଛା, ଆପଣ ଡାକ୍ତର ସାଟଫିକେଟ ନେଇ ଲାସକୁ ସତ୍କାର କରି ଯାଇପାରନ୍ତି । ଆପଣଙ୍କ ଦାଦାଙ୍କ ଦେହରେ ଯେଉଁ ନିଜିଷଗୁଡ଼ିକ ଥିଲା, ତାହା ଥାନାରେ ଜମା ଅଛି । ଆପଣ ଇଚ୍ଛା କଲେ ସେ ଗୁଡ଼ିକର ଲିଷ୍ଟ୍ ମଧ୍ୟ ନେଇପାରନ୍ତି ।

 

ସମୀର ରାୟ ଧନଞ୍ଜୟ ବାବୁଙ୍କଠାରୁ ବିଦାୟ ନେଇ ପ୍ରସ୍ଥାନ କଲେ ଏବଂ ଧନଞ୍ଜୟ ବାବୁ ନଗେନ୍ ବାବୁଙ୍କ ସାକ୍ଷାତ ନିମିତ୍ତ ଯାତ୍ରା କଲେ ।

 

ସନ୍ଧ୍ୟାବେଳକୁ ଧନଞ୍ଜୟ ବାବୁ ନଗେନ୍ ବାବୁଙ୍କ ଅଫିସରେ ଉପସ୍ଥିତ ହେଲେ । ଭୃତ୍ୟକୁ ଆହ୍ୱାନ କରି ନଗେନ୍ ବାବୁଙ୍କ ସମ୍ୱନ୍ଧେ ପଚାରିବାରୁ ଭୃତ୍ୟ ଉତ୍ତର ଦେଲା–ସେ ସନ୍ଧ୍ୟାବେଳେ ଗୋଟିଏ ଟ୍ୟାକ୍ସି ଧରି କେଉଁଆଡ଼େ ଯାଇଛନ୍ତି । କେତେବେଳେ ଆସିବେ ତାହା କହି ନାହାନ୍ତି । ଧନଞ୍ଜୟ ବାବୁ ଚେୟାର ପରିତ୍ୟାଗ କରିବାକୁ ଉପକ୍ରମ କରୁଥିଲେ । ସୁରେଶ ଆସି ହଠାତ୍ ଉପସ୍ଥିତ ହେଲା, କିନ୍ତୁ ନଗେନ୍ ବାବୁଙ୍କ ପରିବର୍ତ୍ତେ ଧନଞ୍ଜୟ ବାବୁଙ୍କୁ ଦେଖି ଅବାକ୍ ହୋଇଗଲା । ମାତ୍ର ସେ ଭାବ ତା’ର ସ୍ଥାୟୀ ହେଲା ନାହିଁ । ଧନଞ୍ଜୟ ବାବୁ ପଚାରିଲେ, ତୁ ଆଜି ଉପସ୍ଥିତ ଥିଲୁ ନା-? ତୋର ନାମ ସୁରେଶ ନା ?

 

ଆଜ୍ଞା, ହଁ ?

 

କେଉଁଠାକୁ ଯାଇଥିଲୁ ?

 

ବାବୁ ଗୋଟାଏ କାର୍ଯ୍ୟରେ ପଠାଇଥିଲେ ।

 

କାର୍ଯ୍ୟଟି ଶେଷକରି ଆସିଛୁ ?

 

ଆଜ୍ଞା ହଁ ।

 

ତୋ ବାବୁ କେଉଁ ଦିଗକୁ ଗଲେ ।

 

ମୋତେ କାର୍ଯ୍ୟରେ ପଠାଇ ଦେଇ ସେ ଏହି ଗଳି ଆଡ଼କୁ ଗଲେ । ମନେ କରିଥିଲି ସେ ଫେରି ଆସିଛନ୍ତି; ତେଣୁ ଦୌଡ଼ି ଆସିଥିଲି । ମୁଁ ଯାଉଛି ବାବୁ, ଆଉ ରହିପାରିବି ନାହିଁ ।

 

ଏହା କହିବାମାତ୍ରେ ସୁରେଶ ଅନ୍ତର୍ଦ୍ଧାନ ହୋଇଗଲା । ଧନଞ୍ଜୟ ବାବୁ ଅବାକ୍ ହୋଇ ବିସ୍ମିତ ଦୃଷ୍ଟିରେ ବାଳକର ଗନ୍ତବ୍ୟ ପଥକୁ ଚାହିଁ ରହିଥିଲେ । ଅପେକ୍ଷା କରି କରି ରାତି ନ’ଟା ବାଜିଗଲା । ଧନଞ୍ଜୟ ବାବୁ ଦେଖିଲେ ଅନର୍ଥ ସୃଷ୍ଟି ହୋଇପାରେ; ତେଣୁ ନଗେନ୍ ବାବୁଙ୍କ ଆଶାରେ ରହିଲେ ଚଳିବ ନାହିଁ । ସେ ଚାକରକୁ ଡାକି କହିଲେ–ଦେଖ ଛୋଟେଲାଲ, ମୁଁ ଏତେ ସମୟ ନଷ୍ଟ କଲିଣି, ତଥାପି ତୋ ବାବୁଙ୍କର ଦେଖା ନାହିଁ । ମୁଁ ଏଠାରେ ବେଶୀ ସମୟ ନଷ୍ଟ କରିବାକୁ ଚାହେନା । ତୁମ ବାବୁ ଆସିଲେ ତାଙ୍କୁ କହିଦେବୁ ମୋ ନିକଟକୁ ଫୋନ୍ କରିବେ । ଛୋଟେଲାଲ କହିଲା–ଯେ ଆଜ୍ଞା ହଜୁର । ଧନଞ୍ଜୟ ବାବୁ ଫେରିଗଲେ–ଛୋଟେଲାଲ ନିଜ କାର୍ଯ୍ୟରେ ମନୋନିବେଶ କଲା ।

 

-ତିନି-

 

ପ୍ରାୟ ଅର୍ଦ୍ଧ ଘଣ୍ଟା ଅପେକ୍ଷା କରି ନଗେନ୍ ବାବୁ ଦେଖିଲେ ଗାଡ଼ି ଗଳିରୁ ବାହାରି ମେନ୍ ରୋଡ଼୍ ଧରି ବରାବର ଉତ୍ତରାଭିମୁଖେ ଚାଲିଲା । ନଗେନ୍ ବାବୁ ସେହି ଗାଡ଼ିକୁ ଅନୁଗମନ କରିବା ନିମିତ୍ତ ଆଦେଶ ଦେଲେ । ପ୍ରଥମ ଗାଡ଼ିଟି ପୂର୍ଣ୍ଣ ବେଗରେ ଛୁଟି ଚାଲିଥିଲା । ଟ୍ୟାକ୍‍ସି ସମବ୍ୟବଧାନରେ ତାହାକୁ ଅନୁଗମନ କରୁଥିଲା । ପ୍ରଥମ ଗାଡ଼ି ବାରକ୍‍ପୁର ଟ୍ରଙ୍କରୋଡ଼ ଧରି ଦକ୍ଷିଣେଶ୍ୱର ରୋଡ଼କୁ ଧରିଲା । ତା’ପରେ ବାଲି ବ୍ରିଜ୍ ପାର ହୋଇ ଗ୍ରାଣ୍ଡ୍ ଟ୍ରଙ୍କରୋଡ଼ ଧରିଲା । ପୁଣି ଦୁଇ ତିନି ମିନିଟ୍ ମଧ୍ୟରେ ସେ ରାସ୍ତା ପାର ହୋଇ ସମତଳ ଗ୍ରାମ୍ୟ ରାସ୍ତାରେ ଚାଲିଲା ଏବଂ ଶେଷରେ ତାହା ନଦୀର ତୀରରେ ଅଟକି ଗଲା । ତା’ ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ଓ ଜଣେ ପୁରୁଷ ଅବତରଣ କରି ନଦୀ ଗର୍ଭରେ ଆଗେଇ ଚାଲିଲେ । ନଦୀରେ ମାତ୍ର ଗୋଟିଏ ଧାର ଜଳପୂର୍ଣ୍ଣ ଥିଲା-। ଘାଟ ଚଳାଚଳ ପାଇଁ ସେଠାରେ ଗୋଟିଏ ନୌକା ବନ୍ଧା ହୋଇଥିଲା । ସେମାନେ ନୌକାରୋହଣ କରିବା ମାତ୍ରେ ନୌକା ଚାଲିଲା ।

 

ଗ୍ରାଣ୍ଡ୍ ଟ୍ରଙ୍କରୋଡ଼ର ଯେଉଁ ସ୍ଥାନରୁ ପୂର୍ବୋକ୍ତ ଗ୍ରାମ୍ୟପଥ ନଦୀତୀରକୁ ଲମ୍ୱି ଯାଇଛି ନଗେନ୍ ବାବୁଙ୍କ ଟ୍ୟାକ୍‍ସି ସେହି ସ୍ଥାନରେ ଅଟକି ଗଲା । ନଗେନ୍ ବାବୁ ଆଶ୍ଚର୍ଯ୍ୟ ହୋଇ ଟ୍ୟାକ୍‍ସି ଚାଳକକୁ ପଚାରିଲେ–ଟ୍ୟାକ୍‍ସି କାହିଁକି ଅଟକି ଗଲା ?

 

ଚାଳକ ଉତ୍ତର ଦେଲା–ଆଉ ଯେ ଏକ ବିନ୍ଦୁ ତେଲ ଗାଡ଼ିରେ ନାହିଁ ହଜୁର, ଚାଲିବ କିପରି ?’’

 

ତା’ହେଲେ ଉପାୟ ? ଆମକୁ ତ ଆଗକୁ ଯିବାକୁ ହେବ ?

 

କିଛି ଉପାୟ ନାହିଁ ହଜୁର, ବର୍ତ୍ତମାନ ମୁଁ କିପରି ଫେରିବି ସେହି କଥା ଭାବୁଛି ।

 

ଏଠାରେ ବର୍ତ୍ତମାନ କେଉଁଠାରୁ ତେଲ ପାଇପାରିବା ନାହିଁ ?

 

ଏକକୋଶ ଦୂରରେ ତେଲ ମିଳିବ ।

 

ଦୁଇମାଇଲ ବହୁତ ବେଶୀ ?

 

ନଗେନ୍ ବାବୁ ଦୁଇଟି ସଙ୍କଟରେ ପଡ଼ିଲେ । ଦୁର୍ବୃତ୍ତର ଅନୁସରଣ ବହୁଦୂର ପର୍ଯ୍ୟନ୍ତ କରି ମଧ୍ୟ ଫେରିଯିବାକୁ ହେଲା ! ପଦବ୍ରଜରେ ସେମାନଙ୍କୁ ଅନୁସରଣ କରିବା ଅସମ୍ଭବ ! ଫେରି ଯିବା ଛଡ଼ା ଉପାୟ ନାହିଁ । ତା’ପରେ ସେ ଟ୍ୟାକ୍‍ସି ଚାଳକକୁ କହିଲେ–ତୁମେ ବର୍ତ୍ତମାନ ଏହିଠାରେ ଗାଡ଼ି ରଖି ତେଲ ଆଣି ପାରିବ ତ ?

 

ତା’ ପାରିବି ।

 

ଏଠାରେ ଗାଡ଼ି ଚୋରି ହେବ ନାହିଁ ତ ?

 

ଏଠାରେ ସେ ସବୁ ଭୟ ନାହିଁ ।

 

ତା’ହେଲେ ଆମେ ଫେରିଯିବା କାହିଁକି ?

 

କିପରି ଆପଣ ଯିବେ–ଆପଣ କେତେଗୁଡ଼ାଏ ପଥ ଅତିକ୍ରମ କରିଛନ୍ତି, ଜାଣନ୍ତି ?

 

ବାଲି ପର୍ଯ୍ୟନ୍ତ ଯାଇ ଆମ୍ଭେ ଫେରିଯିବା ।

 

ଏଠାରୁ ବାଲି ପର୍ଯ୍ୟନ୍ତ କମ୍ ପଥ ନାହିଁ ବାବୁ !

 

ତା’ହେଲେ କ’ଣ କରିବା, କୁହ ?

 

ଆପଣ ସ୍ଥିର ହୋଇ ଗାଡ଼ିରେ ବସି ରହନ୍ତୁ, ମୁଁ ତେଲ ନେଇ ଆସେ

 

‘ତାହାହିଁ କର’ ବୋଲି ନଗେନ୍ ବାବୁଙ୍କ ମୁଖରୁ ବାହାରି ପଡ଼ିଲା ଏବଂ ସେ ଗାଡ଼ି ଉପରକୁ ଉଠିଗଲେ । ଗାଡ଼ିଚାଳକ ତେଲ ସଂଗ୍ରହ ନିମିତ୍ତ ନଗେନ୍ ବାବୁଙ୍କ ଠାରୁ ବିଦାୟ ନେଲା । ପ୍ରାୟ ଅଧଘଣ୍ଟା ପରେ ନଗେନ୍ ବାବୁ ସବିସ୍ମୟେ ଦେଖିଲେ, ପୂର୍ବୋକ୍ତ ଗାଡ଼ିଟା ଫେରି ଆସୁଛି । ଗାଡ଼ିଟି ନଗେନ୍ ବାବୁଙ୍କୁ ଅତିକ୍ରମ କରି ଚାଲିଗଲା, କିନ୍ତୁ ଟ୍ୟାକ୍ସିକୁ କେହି ଲକ୍ଷ୍ୟ କରିଲେ ନାହିଁ । ନଗେନ୍ ବାବୁ ଗାଡ଼ି ଭିତରକୁ ତୀକ୍ଷଣ ଦୃଷ୍ଟିରେ ଚାହିଁ ରହିଥିଲେ । ଗାଡ଼ି ଖାଲି ଥିଲା । ନଗେନ୍ ବାବୁ ଅନୁମାନ କଲେ ଯେ ଏହି ନିକଟରେ ସେମାନଙ୍କର କେଉଁଠାରେ ଆଡ଼୍ଡ଼ା ସ୍ଥାନ ଅଛି, ତେଣୁ ସେମାନେ ସେଠାରେ ରହି ଗାଡ଼ିକୁ ଫେରାଇ ଦେଲେ । ‘‘ଏପରି ଅବସ୍ଥାରେ ତାଙ୍କର କିଛି କର୍ତ୍ତବ୍ୟ ନାହିଁ’’–ଏହିପରି ସିଦ୍ଧାନ୍ତ କରି ଚୁପ୍ ହୋଇ ବସି ରହିଲେ । ଏକକାଳୀନ ଘଣ୍ଟାଏ ହେଲା ଗାଡ଼ି ଭିତରେ ବସିରହି ତାଙ୍କୁ ବିରକ୍ତ ଲାଗିବାରୁ ସେ ଦଳକୁ ଓହ୍ଲାଇବାର ଉଦଯୋଗ କରିବା ସମୟରେ ଟ୍ୟାକ୍‍ସିଚାଳକ ତେଲ ନେଇ ଉପସ୍ଥିତ ହେଲା ଏବଂ ତେଲ ପୂର୍ଣ୍ଣ କରି ଶୀଘ୍ର ଗାଡ଼ିକୁ ଷ୍ଟାର୍ଟ କଲା ।

 

ବାଲି ବ୍ରିଜ୍ ପାର ହୋଇ ଯେତେବେଳେ ଗାଡ଼ି ବିଦ୍ୟୁତ୍ ବେଗରେ ଛୁଟିଲା ସେତେବେଳେ ଅନ୍ୟ ଏକ ଗାଡ଼ି ବିପରୀତ ଦିଗରୁ ଆସି ତାଙ୍କୁ କ୍ରସ୍ କରି ଦ୍ରୂତବେଗରେ ଛୁଟିଗଲା-। ସେ ଗାଡ଼ିରୁ ଅଟ୍ଟହାସ୍ୟ ମଧ୍ୟ ବାହାରୁଥିଲା ଏବଂ କେହି ଜଣେ କହୁଥିଲା–ନିହାତି ଜରୁରୀ କାର୍ଯ୍ୟରେ ଯାଉଛି–ବେଶୀ ସମୟ ନଷ୍ଟ କରିବାକୁ ଯାଅନା–ଗଲେ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ବନ୍ଧୁ ! ସାବଧାନ !!!

 

ଅନ୍ଧାକାର ଚତୁର୍ଦ୍ଦିଗରେ ନିବିଡ଼ଭାବେ ଘୋଟି ରହିଥିଲା । ତେଣୁ ଲୋକ ଚିହ୍ନିବା ଅସମ୍ଭବ, କିନ୍ତୁ ସ୍ୱରଟା ଯେପରି ପରିଚିତ ଥିଲାପରି ମନେହେଲା । ଗାଡ଼ି ବହୁଦୂର ଚାଲି ଯାଇଥିଲା, ତେଣୁ ଟ୍ୟାକ୍‍ସି ପୂର୍ଣ୍ଣବେଗରେ ଚଳାଇ ତାଙ୍କୁ ଆକ୍ରମଣ କରିବା ଆକାଶକୁସୁମର ପରିକଳ୍ପନା ମାତ୍ର । ତେଣୁ ସେମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଟ୍ୟାକ୍‍ସି ଫେରାଇଲେ । ଟ୍ୟାକ୍‍ସିଚାଳକ ନଗେନ୍ ବାବୁଙ୍କୁ କହିଲା–ଆପଣ ଜାଣନ୍ତି ଏ ଗାଡ଼ିରେ ଯେ ଗଲା । ନଗେନ୍ ବାବୁ ସେ ଗାଡ଼ିର ବକ୍ତୃତାକୁ ହୃଦୟ ଭିତରେ ବିଚାର କରୁଥିଲେ । ଚାଳକର ବାକ୍ୟ କର୍ଣ୍ଣସ୍ପର୍ଶ କରିବାମାତ୍ରେ ସେ ଭାବନା ରାଜ୍ୟରୁ ନିବୃତ ହୋଇ ଉତ୍ତର ଦେଲେ ଯେ ସେ ବ୍ୟକ୍ତିଟିକୁ ଅନ୍ଧକାର ମଧ୍ୟରେ ଦେଖିପାରି ନାହାନ୍ତି । ତେବେ ଗଳାର ସ୍ୱରଟା ତାଙ୍କର ସୁପରିଚିତ ବୋଲି ମନେହେଲା । ନଗେନ୍ ବାବୁ ଚାଳକକୁ କହିଲେ–ତୁମେ ତାଙ୍କୁ ଚିହ୍ନିଛ ?’’

 

ନା ବାବୁ–ତେବେ ଏ ଗାଡ଼ିଟା ମୁଁ କେଉଁଠାରେ ଦେଖିଛି; ବେଶ୍ ଭଲ ଗାଡ଼ି ।

 

ଗାଡ଼ିଟା କେଉଁଠାରେ ଦେଖିଥିଲ–କୁହ ତ ?

 

ବୋଧହୁଏ ବୀରେଶ୍ୱର ରାୟ ମହାଶୟଙ୍କ ଗୃହ ସମ୍ମୁଖରେ ।

 

ବୀରେଶ୍ୱର ରାୟ କିଏ ?

 

ବଡ଼ ଧନୀ ଲୋକ–ମଫସଲରେ ଜମିଦାରୀ ଅଛି–କଲିକତାରେ ଚାରି ପାଞ୍ଚ ସ୍ଥାନରେ ସୁନ୍ଦର ସୁନ୍ଦର କୋଠାଘରଗୁଡ଼ିଏ ଅଛି ।

 

ସେ କେଉଁଠାରେ ବାସ କରନ୍ତି ।

 

ଏଲିଗିନ୍ ରୋଡ଼ର ନିକଟବର୍ତ୍ତୀ କୋଠାଘରେ ।

 

ଲୋକଟି ବଡ଼ ସୌଖୀନ–ନୁହେଁ କି ?

 

ହଁ, ଚାଲିଚଳନ ଦେଖିଲେ ସେହିପରି ମନେହୁଏ ।

 

ତୁମର ବୋଧହୁଏ ଅଳ୍ପ ଅଳ୍ପ ପରିଚୟ ଅଛି ?

 

ଆଜ୍ଞା ଦିନେ ଖୁବ୍ ବର୍ଷା ହେଉଥିଲା । ସେ ମୋ ଗାଡ଼ିରେ ବସି ବହୁବଜାରରେ ଥିବା ତାଙ୍କର ଏକ ପ୍ରାସାଦକୁ ଯାଇଥିଲେ ।’’

 

ସେ କେତେ ଦିନ ତଳର କଥା, ମନେ ଅଛି ?

 

ପନ୍ଦର ଦିନ ଆଗର କଥା ।

 

ସେ ବହୁବଜାରର କେଉଁ ସ୍ଥାନକୁ ଯାଇଥିଲେ ?

 

ସେ ସ୍ଥାନଟା ଭଲ ନୁହେଁ, ବେଶ୍ୟା ଘରକୁ–

 

ବେଶ୍ୟାର ନାମ କ’ଣ ?

 

ପୁଷ୍ପା ।

 

ଓଃ, ବହୁବଜାର ଛକ ନିକଟରେ ଥିବା କୋଠାଘର–ନା ?

 

ଆଜ୍ଞା ହଁ ।

 

ମୁଁ ଶୁଣିଛି ସେଠାରେ ଆଉ ଗୋଟାଏ ସ୍ଥାନ ଅଛି, ସେ କ’ଣ ସେଠାକୁ ଯାଆନ୍ତି ?

 

ତାହା ମୁଁ କହିପାରିବି ନାହିଁ ବାବୁ । କେବଳ ଗୋଟିଏ ଦିନ ସେ ସେହି ବେଶ୍ୟା ଘରକୁ ଯାଇଥିଲେ ମୋ ଗାଡ଼ିରେ । ଏତିକି ମାତ୍ର ଜାଣେ–

 

ବିଚାରା ଖୁନ୍ ହୋଇଛି ।

 

ଖୁନ୍ ! ସେ କ’ଣ ବାବୁ ? କାଲି ଯେ ମୋ ସହିତ ତାଙ୍କର ଦେଖା ହୋଇଛି ?

 

କେଉଁ ସ୍ଥାନରେ ?

 

ଏହି ବହୁବଜାର ମୋଡ଼ ଷ୍ଟାଣ୍ଡ ନିକଟରେ ।

 

ସେଠାକୁ ସେ କ’ଣ କରିବାକୁ ଯାଇଥିଲେ ଜାଣ ?

 

ଧନୀରାମ ଟ୍ୟାକ୍‍ସିରେ ଆସିଥିଲେ । ସେଠାରେ ତା’ର ଭଡ଼ାଦେଇ ବେଶ୍ୟାଘରକୁ ଯାଉଥିଲେ ।

 

ତୁମକୁ କ’ଣ କହିଲେ ?

 

ସେ ମୋତେ କିଛି କହିଲେ ନାହିଁ ।

 

ତୁମ ସଙ୍ଗେ କେତେବେଳେ ଦେଖା ହୋଇଥିଲା ?

 

ଠିକ୍ ସନ୍ଧ୍ୟା ସମୟ–ପ୍ରାୟ ଛଅଟାରେ ।

 

ଗାଡ଼ି ସେତେବେଳକୁ ଶ୍ୟାମବଜାର ମୋଡ଼ରେ ଆସି ପହଞ୍ଚିଲା । ନଗେନ୍ ବାବୁ କହିଲେ–ଥରେ ସେହି ବେଶ୍ୟା ଘରକୁ ଗଲେ ହୁଅନ୍ତା ।

 

ଏତେ ରାତ୍ରିରେ କୁଆଡ଼େ ଯିବେ ବାବୁ ? ବର୍ତ୍ତମାନ ତାକୁ ହଇରାଣ କରିବା ଉଚିତ ନୁହେଁ । କାଲି କେତେବେଳେ ଆସିବେ କୁହନ୍ତୁ, ମୁଁ ଯାଇ ଆପଣଙ୍କୁ ଘେନି ଆସିବି ।

 

ଆଚ୍ଛା, କାଲି ସକାଳ ଦଶଟାରେ–ତୁମେ ନ’ଟା ବେଳ ପର୍ଯ୍ୟନ୍ତ ଭଡ଼ା ବୋହିବ । କାଲି ସାରାଦିନ ମୋର ଗାଡ଼ି ଦରକାର ହେବ । ହୁଏତ ରାତିଟା ମଧ୍ୟ ବାଦ୍‍ଯାଇ ପାରିବ ନାହିଁ । ତେଣୁ ବେଶୀ ତେଲ ନେଇ ଆସିବ–ଆଜିପରି ଦୁର୍ଦ୍ଦଶା ଯେପରି ନ ଘଟେ । ଏତେ ପରିଶ୍ରମ ନଷ୍ଟ ହେଲା ଅଥଚ କାର୍ଯ୍ୟ ହୋଇ ପାରିଲା ନାହିଁ ।

 

ନା, କାଲି ଆଉ ସେପରି ହେବ ନାହିଁ ।

 

ରାତ୍ରି ଅନେକ ହୋଇଯାଇଛି–ଜନବିରଳ ରାସ୍ତାରେ ପୂର୍ଣ୍ଣ ବେଗରେ ଗାଡ଼ି ଛୁଟିଥିଲା । ତେଣୁ ଶ୍ୟାମବଜାର ପାର ହୋଇ ଆସିବାକୁ ବିଳମ୍ୱ ହେଲା ନାହିଁ । ଗୃହ ସମ୍ମୁଖରେ ନଗେନ୍ ବାବୁଙ୍କୁ ଓହ୍ଲାଇ ଦେଇ ଗାଡ଼ି ଦ୍ରୁତ ବେଗରେ ପ୍ରତ୍ୟାବର୍ତ୍ତନ କଲା ।

 

-ଚାରି-

 

ପ୍ରାତଃ ଭୋଜନ ଶେଷକରି ନଗେନ୍ ବାବୁ ଅଫିସ ଘରେ ଉପସ୍ଥିତ ହୋଇ ଛୋଟେଲାଲ୍‍କୁ ନିକଟକୁ ଡାକି କହିଲେ–ସୁରେଶ ଏ ପର୍ଯ୍ୟନ୍ତ ଫେରି ନାହିଁ ଛୋଟେଲାଲ୍ ? ନା ବାବୁ, କାଲି ତ ଆପଣଙ୍କ ସହିତ ଯାଇଥିଲେ; ସେତେବେଳୁ ସେ ଆଉ ଫେରି ନାହାନ୍ତି । ଧନଞ୍ଜୟ ବାବୁ ଦ୍ୱାର ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ଛୋଟେଲାଲ୍‍ର କଥା ବୋଧହୁଏ ଶୁଣିପାରି ଥିଲେ, ତେଣୁ ସେ ଗୃହରେ ପ୍ରବେଶ କରୁ କରୁ କହିଲେ–ଭୁଲ୍ ଛୋଟେଲାଲ, ତୁ ଦେଖିନାହୁଁ, ସେ ବାଳକଟି ଆଉ ଥରେ ଆସିଥିଲା । ବୋଧହୁଏ ରାତ୍ରି ନ’ଟା ବେଳକୁ–ବାବୁଙ୍କୁ ନପାଇ ଫେରିଗଲା । ନଗେନ୍ ବାବୁ କହିଲେ–ଆପଣଙ୍କୁ କିଛି କହିନି ?

 

ନା ।

 

ଆପଣ ତାକୁ କିଛି ପଚାରି ନାହାନ୍ତି ବୋଧହୁଏ ?

 

ପଚାରିଲେ କ’ଣ ହେବ–ଆପଣଙ୍କର ବାହାନ ଯେ ସେ ।

 

ଅପର ଲୋକଙ୍କ ନିକଟରେ ତା’ର ମୁଖ ଖୋଲିବ କିପରି ?

 

ଏହି ଗୁଣରୁ ହିଁ ତାକୁ ଚାକିରି ଦେଇଛି ଧନଞ୍ଜୟ ବାବୁ !

 

ତାକୁ କେଉଁଠାକୁ ପ୍ରେରଣ କରିଥିଲେ ?

 

ଏହି ଗଳି ଆଡ଼କୁ ।

 

ହଁ, ସେ ଗୋଟାଏ ଖବର ଆଣିଥିଲା, ବୋଧହୁଏ ଖବରଟା ଆପଣଙ୍କୁ କହିବାକୁ ଆସିଥିଲା । ଆପଣଙ୍କର ଦେଖା ନପାଇ ଫେରିଗଲା ।

 

ମୋର ବିଶ୍ୱାସ, ସେ ବୋଧହୁଏ ଆଉ ଫେରିବ ନାହିଁ ।

 

ମାନେ ?

 

ସେ କୌଣସି ସୂତ୍ର ପାଇଛି, ତେଣୁ ସେ ତାହାର ପିଛା ଧରିଛି ।

 

ଏଇ କେଇଟା ଦିନରେ ସେ ଗୁଇନ୍ଦା ହୋଇଗଲା !

 

ନ ହେଲେ ମଧ୍ୟ ତା’ର ବୁଦ୍ଧି ଅଛି–ସେ ନିଶ୍ଚୟ ପାରିବ ।

 

ଗୋଟିଏ ଦିନରେ ଆପଣ ତାକୁ ଚିହ୍ନି ନେଇଛନ୍ତି ?

 

ଖାଣ୍ଟି ଇସ୍‍ପାତ୍ ଚିହ୍ନିବାକୁ ଡେରି ହୁଏ ନାହିଁ ଧନଞ୍ଜୟ ବାବୁ । ମୋର ବିଶ୍ୱାସ ଯେ ସେ ନିଶ୍ଚୟ ଗୋଟାଏ କାର୍ଯ୍ୟରେ ଜଡ଼ିରହିଛି । ମୁଁ ପ୍ରଥମେ ତାକୁ ଦେଖି ଜାରି ପାରିଛି ତା’ର ଅନୁସନ୍ଧିତ୍ସୁ ହୃଦୟ ମଧ୍ୟରେ ଏପରି ଗୋଟାଏ ଜିନିଷ ଥିଲା ଯାହାର ତୀବ୍ର ରଶ୍ମି ଫୁଟି ଉଠିଥିଲା ତା’ର ଦୃଷ୍ଟିରେ । ସେହି ହେତୁ ମୁଁ ତାକୁ ସଙ୍ଗୀ କରିଛି ଧନଞ୍ଜୟ ବାବୁ । ଆଉ ଘଣ୍ଟାଏ କିମ୍ୱା ଦୁଇଘଣ୍ଟା ଅପେକ୍ଷା କରିବି, ଯଦି ସେ ନଫେରେ ତେବେ ସବୁ କାର୍ଯ୍ୟ ପଛରେ ପକାଇ ମୋତେ ଯିବାକୁ ହେବ ତା’ର ଅନୁସନ୍ଧାନରେ । କାରଣ ଯେଉଁ କାର୍ଯ୍ୟରେ ତାକୁ ପ୍ରେରଣ କରିଛି, ସେଠାରେ ସେ ବିପଦରେ ପଡ଼ିବା ଆଶ୍ଚର୍ଯ୍ୟ ନୁହେଁ ।

 

ଏହା କ’ଣ ଆପଣ ସମ୍ଭବ ବୋଲି ଭାବୁଛନ୍ତି ?

 

ନିଶ୍ଚୟ ।

 

ତା’ହେଲେ ଆଉ ଦୁଇଘଣ୍ଟା ଅପେକ୍ଷା କରନ୍ତୁ । ଏହି ଅବସରରେ ଆପଣଙ୍କ ସହିତ ବୀରେଶ୍ୱର ବାବୁଙ୍କ ମୃତ୍ୟୁ ସମ୍ୱନ୍ଧେ କେତେଟା କଥା ଆଲୋଚନା କରିବାକୁ ଚାହେଁ ।

 

କ’ଣ କହିବାର ଅଛି–କୁହନ୍ତୁ ।

 

ବୀରେଶ୍ୱର ବାବୁଙ୍କ ଭ୍ରାତୃଷ୍ପୁତ୍ର ସମୀର ରାୟ ଥାନାକୁ ଆସିଥିଲେ । ମୃତଦେହ ସତ୍କାର କରି ତାଙ୍କ ସମ୍ୱନ୍ଧରେ ଅନେକ କଥା କହି ଯାଇଛନ୍ତି । ଏହା ପ୍ରକାଶ କରି ଧନଞ୍ଜୟ ବାବୁ ସମୀର ରାୟଙ୍କ ନିକଟରୁ ଯାହା ଶୁଣିଥିଲେ ସେ ସମସ୍ତ ଟିକିନିଖି କରି ବର୍ଣ୍ଣନା କରିଗଲେ । ନଗେନ୍ ବାବୁ ବେଶ୍ ମନଯୋଗ ସହକାରେ ଶୁଣି କହିଲେ–ମୁଁ ଏ ସବୁ କିଞ୍ଚିତ୍ ଶୁଣିଛି । ତେବେ ଆପଣ ଯାହା ବର୍ଣ୍ଣନା କଲେ ତାହା ନୁହେଁ, ତଥାପି ଏଗୁଡ଼ିକ ଅନେକ କାର୍ଯ୍ୟରେ ମୋତେ ସାହାଯ୍ୟ କରିବ । ମୋର ଭାରି ଉଚ୍ଛା ଧନଞ୍ଜୟ ବାବୁ, ଥରେ ବୀରେଶ୍ୱର ବାବୁଙ୍କ ଭ୍ରାତୃଷ୍ପୁତ୍ରଙ୍କ ସହିତ ଦେଖା କରିବା ନିମିତ୍ତ । ଆପଣ ଯଦି ତାଙ୍କୁ ଥରେ ଥାନାକୁ ଡକାଇ ଆଣନ୍ତେ ତେବେ ମୋର ଆଶା ପୂର୍ଣ୍ଣ ହୁଅନ୍ତା ।

 

ଆପଣ ଏପରି କଥା କହୁଛନ୍ତି କାହିଁକି ନଗେନ୍ ବାବୁ ? ସେ ନିଜେ କହି ଯାଇଛନ୍ତି ଆପଣଙ୍କ କାର୍ଯ୍ୟନିମିତ୍ତ ସେ ଏହିଠାରେ ଦୁଇ ତିନିଦିନ ରହିପାରିବେ । ପ୍ରୟୋଜନ ହେଲେ ମୁଁ ତାଙ୍କୁ ଡକେଇ ଦେବି । ସେ ଆସି ଆପଣଙ୍କୁ ଦେଖା କରିବେ । ଏହା ଅତି ସହଜ ଓ ସାଧାରଣ । ସମ୍ଭବକୁ ଅସମ୍ଭବ କରି ଆପଣଙ୍କର ଆଶା ପୂର୍ଣ୍ଣ କରିବା ପାଇଁ ତ ପ୍ରଶ୍ନ ହିଁ ଉଠେନା !

 

ଆପଣଙ୍କର ଧାରଣା ହୁଏତ ତାହା, କିନ୍ତୁ ମୋର ସମ୍ପୂର୍ଣ୍ଣ ଓଲଟା ।

 

ଆପଣ କ’ଣ କହିବାବୁ ଚାହାନ୍ତି ?

 

ମୁଁ କହୁଛି–ସେ ଯେଉଁ ଉଦ୍ଦେଶ୍ୟରେ ଥାନାକୁ ଆସିଥିଲେ ଦୁଏତ ତାଙ୍କର ସେ ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଆପଣ ଯେ ତାଙ୍କୁ ଡକାଇ ପାରିବେ ଏହା ମୁଁ ବିଶ୍ୱାସ କରି ପାରେନା ।

 

କ’ଣ କହୁଛନ୍ତି ଆପଣ ?

 

ପରୀକ୍ଷା କରି ଦେଖନ୍ତୁ–ଏଇ ତ ଟେଲିଫୋନ୍ ଅଛି ।

 

ନଗେନ୍ ବାବୁଙ୍କ କଥା କେଇପଦ ଧନଞ୍ଜୟ ବାବୁଙ୍କ ଶରୀରରେ ଗୋଟାଏ ଅଜଣା ଆଶଙ୍କାର ସ୍ରୋତ ବିଦ୍ୟୁତ୍ ବେଗରେ ପ୍ରବାହିତ କଲା । ସେ ଶୀଘ୍ର ଟେଲିଫୋନ୍ ନିକଟକୁ ଯାଇ ସମୀର ବାବୁ ଦେଇଥିବା ନମ୍ୱର ଧରି ଡାକିଲେ । ଏକ୍ସଚେଞ୍ଜ୍ ଅଫିସରୁ ସମ୍ୱାଦ ଆସିଲା–‘‘No reply’’ ନୋ ରିପ୍ଲାଇ । ମିନିଟକ ପରେ ପୁନର୍ବାର ଚେଷ୍ଟା କଲେ, କିଛି ଫଳ ହେଲା ନାହିଁ । ଥର ଥର କରି ତିନି ଥର ସେହି ନମ୍ୱରକୁ ଡାକିଲେ । ଶେଷଧର ଏକ ନାରୀ କଣ୍ଠରୁ ଉତ୍ତର ଆସିଲା–ତିନି ଚାରିମାସ ମଧ୍ୟରେ ସେ ଏଠାକୁ ଆସି ନାହାନ୍ତି । ଆପଣଙ୍କର ପ୍ରୟୋଜନ କ’ଣ କୁହନ୍ତୁ । ଯଦି ସେ ଏହି ଦିନେ ଦୁଇଦିନ ମଧ୍ୟରେ ଏଠାକୁ ଆସିବେ ତେବେ ମୁଁ ଆପଣଙ୍କୁ ଜଣାଇ ଦେବି ।

 

‘‘ଆଚ୍ଛା ଆଜି ଥାଉ, ପରେ ଜଣାଇବି ।’’ ଧନଞ୍ଜୟ ବାବୁ ରିସିଭରକୁ ଫୋନ୍ ଉପରେ ରଖିଦେଇ ବିଷଣ୍ଣ ମୁଖରେ ନଗେନ୍ ବାବୁଙ୍କ ନିକଟକୁ ଫେରିଆସି ଗୋଟିଏ ଚୌକି ଅଧିକାର କଲେ । ନଗେନ୍ ବାବୁ ପ୍ରଶ୍ନ କଲେ–ସେ କିଏ ଆସିଥିଲେ ?

 

ଆପଣ କ’ଣ ଅନ୍ତର୍ଯ୍ୟାମୀ ନଗେନ୍ ବାବୁ ?

 

କ’ଣ କୁହ ତ ?

 

ସେ ଲୋକଟା ବୀରେଶ୍ୱର ବାବୁଙ୍କ ଗୃହକୁ ଯାଇ ନାହିଁ । ବର୍ତ୍ତମାନ ମୋର ସନ୍ଦେହ ହେଉଛି ସେ ବୀରେଶ୍ୱର ବାବୁଙ୍କର ଭ୍ରାତୁଷ୍ପୁତ୍ର–କି ନାଁ ?

 

ତା’ର ବନ୍ଧୁର ଠିକଣା ବୋଧହୁଏ ଆପଣ ଜାଣିଛନ୍ତି ?

 

ନା, ତେବେ ଶୁଣିଛି, କଲିକତାର ନିକଟରେ ତା’ର ଫିସେରି ଅଛି ।

 

କଲିକତା ନିକଟରେ ଗୋଟାଏ କ’ଣ ? ଦୁଇ ତିନିଟା ଥାଇପାରେ–କିନ୍ତୁ କେଉଁଟା ?

 

ଧନଞ୍ଜୟ ବାବୁ କହିଲେ ତେବେ କ’ଣ ଥାନାକୁ ଆସି ଲୋକଟା ଏହିପରି ଠକି ଦେଇ ଚାଲିଗଲା ?

 

ବୀରେଶ୍ୱର ବାବୁଙ୍କର ଜିନିଷଗୁଡ଼ିକୁ ନେଇ ପାରିନି ତ ?

 

ନାଁ, (Medical Certificate) ମେଡ଼ିକାଲ୍ ସାର୍ଟିଫିକେଟ ଏବଂ ଲାସ୍‍ଟା ନେଇ ଯାଇଛି ।

 

ତାହା ସବୁ ନେଇଗଲେ ଆମର କୌଣସି କାର୍ଯ୍ୟରେ କ୍ଷତି ହେବ ନାହିଁ । ହୁଏତ ଏହା ଭିତରେ ତା’ର କିଛି ମତଲବ ଅଛି ।

 

ଏକବାର ବୋକା ବନାଇ ଦେଲା !

 

ତାହାହିଁ ଦେଖୁଛି ।

 

ଏହି ସମୟରେ ସୁରେଶ ଦ୍ରୁତ ପଦରେ ଉପସ୍ଥିତ ହେଲା । ସେ ଏତେ ପଥ ଦୌଡ଼ି ଆସିଥିଲା ଯେ ପଦେ ହେଲେ କଥା ତା’ ମୁଖରୁ ବାହାରିଲା ନାହିଁ । ମେଜ ଉପରେ ବସି ପ୍ରଖର ବେଗରେ ନିଃଶ୍ୱାସ ନେଲା । ତା’ର ମୁଖରେ ଆଶ୍ଚର୍ଯ୍ୟର ଚିହ୍ନ ଫୁଟି ଉଠୁଥିଲା ଏବଂ ତା’ର ମୁଖଟି ମଳିନ, ଶୁଷ୍କ ଓ ଚକ୍ଷୁର ଡୋଳା ଦୁଇଟା ଯେପରି ବାହାରି ଆସିବା ପରି ଜଣାଯାଉଥିଲା । ଧନଞ୍ଜୟ ବାବୁ କିଛି କହିବାକୁ ଯାଉଥିଲେ, ନଗେନ୍ ବାବୁଙ୍କ ଇଙ୍ଗିତରେ ସେ ଅଟକି ଗଲେ । କିଛି କ୍ଷଣ ପରେ ସୁରେଶ ନିଜକୁ ସମ୍ଭାଳି କହିଲା–ବାବୁ, ମୋ ସମ୍ୱନ୍ଧରେ ଆପଣ କିଛି ଭାବିଥିଲେ ?

 

କ’ଣ ଭାବିଥିଲି କହ ତ ?

 

ମୁଁ କୌଣସି ବିପଦରେ ପଡ଼ିଛି ।

 

ନା ତୋର ବିଳମ୍ୱ ହେବାର ଦେଖି... ।

 

ମୁଁ ଆଉ ଫେରି ଆସି ନଥାନ୍ତି ବାବୁ ।

 

କାହିଁକି ରେ ?

 

ମୁଁ ଭୂତ ଘର ମଧ୍ୟରେ ଥିଲି ।

 

ସେ କ’ଣ ?

 

ହଁ, ବାବୁ ।

 

ମେଡ଼ିକାଲରେ ଯେପରି ଦେଖିଛି–ଠିକ୍ ସେହିପରି–ସବୁ ହାଡ଼ । ହାତ, ଗୋଡ଼, ବେକ ସବୁ ହାଡ଼ । ମୁଣ୍ଡଟା ମଲା ମଣିଷର ମୁଣ୍ଡ ପରି–ଚକ୍ଷୁ ନାହିଁ, ନାକ ନାହିଁ, ଦାନ୍ତ ନାହିଁ, କିନ୍ତୁ କଥା କହୁଛି । ମୋତେ ଦେଖି ସେ କଥା କହିଲା । ମୁଁ ବୋଧହୁଏ ଅଜ୍ଞାନ ହୋଇ ପଡ଼ିଥାନ୍ତି, କିନ୍ତୁ ସେଠାରୁ ଦୌଡ଼ିଆସି କିଛି ଦୂରରେ ଦେଖିଲି ଅନେକଗୁଡ଼ିଏ ହାଡ଼-ମନୁଷ୍ୟ ମୋ ଆଡ଼କୁ ଦୌଡ଼ି ଆସୁଛନ୍ତି । ସେମାନଙ୍କୁ ଦେଖି ମୁଁ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲି । ଗୋଟିଏ ବୁଢ଼ୀ ମୋ ମୁହଁରେ ଜଳ ସିଞ୍ଚି ମୋତେ ଚେତା କଲେ । ମୁଁ ଯେତେବେଳେ ଉଠିବସିଲି ସେତେବେଳେ ସେ କହିଲା କିଛି ଗରମ ଦୁଧ ପିଇଦିଅ । ତା’ ମୁହଁରୁ ମୁଁ ଶୁଣିଲି ଯେଉଁଠାକୁ ମୁଁ ଯାଇଥିଲି ତାହା ଭୂତଘର–ସେଠାକୁ କେହି ଯାଆନ୍ତି ନାହିଁ । ସେଠାକାର ସମସ୍ତେ କହିଲେ ଆମେ ଜୋର କରି ତୋତେ ଆଣି ବଞ୍ଚାଇଲୁ ।’’

 

କେଉଁଠାକୁ ତୁ ଯାଇଥିଲୁ ?

 

କହିଲି ତ ଭୂତ ଘରକୁ ।

 

କାହା ସଙ୍ଗେ ଯାଇଥିଲୁ ?

 

ତେବେ କହୁଛି ଶୁଣନ୍ତୁ–ଆପଣ ତ ମୋତେ ପଠାଇଦେଲେ–ମୁଁ ରାସ୍ତାର ଧାରେ ଧାରେ ଚାଲିଲି । କିଛିକ୍ଷଣ ପରେ ଏହି ଯେଉଁ ଦୋତାଲା କୋଠାଘର ଦେଖାଯାଉଛି, ସେଠାରୁ ଦୁଇଜଣ ବ୍ୟକ୍ତି–ଜଣେ ପୁରୁଷ ଓ ଜଣେ ସ୍ତ୍ରୀଲୋକ ବାହାରି ଆସି ସେହି ଗାଡ଼ିରେ ଚଢ଼ିଲେ । ମୁଁ ଚୁପ୍‍ଚାପ ଯାଇ ସେମାନଙ୍କ ନିକଟରେ ପହଞ୍ଚିଲି କେବଳ ସ୍ତ୍ରୀଲୋକର ମୁହଁ ଦେଖିବା ନିମିତ୍ତ । ପୂର୍ବେ ମୁଁ ତାଙ୍କୁ ଦେଖିଥିଲି, ତେଣୁ ଚିହ୍ନିବାକୁ ବେଶୀ ବିଳମ୍ୱ ହେଲା ନାହିଁ । ସେମାନେ ଚାଲିଗଲେ ଏବଂ ମୁଁ ଆପଣଙ୍କୁ ଖବର ଦେବା ପାଇଁ ଦୌଡ଼ି ପଳାଇ ଆସିଲି । ଆପଣଙ୍କ ପରିବର୍ତ୍ତେ ଏ ବାବୁଙ୍କୁ ଦେଖି କ୍ଷଣକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇ ଚାଲିଗଲି ସେହି କୋଠାଘର ସମ୍ମୁଖକୁ । ଦେଖିଲି–ଦୁଇଜଣ ମୋଟା ଲୋକ ଗୋଟିଏ ଘୋଡ଼ା ଗାଡ଼ିରେ ଚଢ଼ି ଚାଲିଲେ । ମୋର ଇଚ୍ଛା ହେଲା ଦେଖିବାକୁ ସେମାନଙ୍କର ଗନ୍ତବ୍ୟ ପଥ କେଉଁଆଡ଼େ । ସେ ଗାଡ଼ିରେ ଶଇସ ନ ଥିବା ହେତୁ ମୁଁ ନିଃଶବ୍ଦ ପଦକ୍ଷେପରେ ଯାଇ ଶଇସର ସ୍ଥାନ ଅଧିକାର କଲି । ଗାଡ଼ି ଦକ୍ଷିଣେଶ୍ୱର ଦେଇ ଗୋଟିଏ ଲାଲ କଚାରାସ୍ତା ଧରି କିଛି ଦୂର ଆଗକୁ ଗଲା ପରେ ଗୋଟିଏ ନଦୀ ପାର ହୋଇ ଗାଁ ନିକଟରେ ପହଞ୍ଚିଲା । ନିକଟରେ ଗୋଟିଏ ଆମ୍ରକାନନର ଦୁଇ ପାର୍ଶ୍ୱରେ ଦୁଇଟି ରାସ୍ତା–ଗାଡ଼ିଟି ବାମ ରାସ୍ତାରେ ଚାଲିଲା । କିଛି ଦୂର ଗଲାପରେ ଗୋଟିଏ ବଡ଼ ଫାଟକ ପାର ହୋଇ କୋଠାର ଫାଟକ ନିକଟକୁ ଗଲା । ଗାଡ଼ିରୁ ସେମାନେ ଓହ୍ଲାଇ ଗୃହ ଭିତରକୁ ଚାଲିଲେ ଏବଂ ଚାକର ଘୋଡ଼ାକୁ ଘାସ ଦେବା ନିମିତ୍ତ ଆସିବାରୁ ମୁଁ ଗାଡ଼ି ଭିତରକୁ ଚାଲିଯାଇ ଫାଙ୍କ ଦେଇ ନିରୀକ୍ଷଣ କଲି । ଚାକରଟି ଘାସ ଦେଇ ପଳାୟନ କଲା । ଦେଖିଲି ପ୍ରକାଣ୍ଡ ଉଠାଣିଟି କାଷ୍ଠନିର୍ମିତ ପାବଚ୍ଛ ଅଟେ । ମୁଁ ଗାଡ଼ିରୁ ବାହାରି ପାବଚ୍ଛର ନିମ୍ନ ଦେଶରେ ଦଣ୍ଡାୟମାନ ହେଲି । ପାବଚ୍ଛର ଫାଙ୍କବାଟେ ଊର୍ଦ୍ଧ୍ୱକୁ ଗମନ କରୁଥିବା ବ୍ୟକ୍ତି ସ୍ପଷ୍ଟ‌୍ଟ ଦେଖାଯାଉଥିଲେ । ସେହି ବ୍ୟକ୍ତିଦ୍ୱୟ ପାବଚ୍ଛଦ୍ୱାରା ଊର୍ଦ୍ଧ୍ୱକୁ ଉଠିଗଲେ । ଏପରି ବିକଟାଳ ଲୋକ ମୁଁ କେଉଁଠାରେ ଦେଖିନାହିଁ ବାବୁ ! ତା’ପରେ ମୁଁ ଯେତେବେଳେ ସେହି ପାବଚ୍ଛ ଦେଇ ଊର୍ଦ୍ଧ୍ୱକୁ ଉଠିଲି, ଦେଖିଲି–ଉଷାରାଣୀ ଶୁଭ୍ର ବସ୍ତ୍ର ପରିଧାନ କରି ପୂର୍ବାକାଶରୁ ପୃଥିବୀ ପୃଷ୍ଠକୁ ଅବତରଣ କରୁଛନ୍ତି । ଚତୁର୍ଦ୍ଦିଗ ସ୍ପଷ୍ଟ ଦେଖାଗଲା । ପାବଚ୍ଛର ସମ୍ମୁଖ ଗୃହ ମଧ୍ୟରୁ ଗୋଟିଏ ଭୂତ ବାହାରି ଆସି ମୋତେ ହାତଠାରି ଡାକିଲା । ତା’ ଦେଖି ମୁଁ ଜୀବନ ନେଇ ଦ୍ରୁତ ବେଗରେ ଦୌଡ଼ି ପଳାଇ ଆସିଲି । ତା’ପରେ ଯାହା ଘଟିଛି ମୁଁ ଆପଣଙ୍କୁ କହିଛି ବାବୁ ।

 

ସେ ଭୂତ ନୁହେଁରେ ମନୁଷ୍ୟର କଙ୍କାଳ ।

 

କଙ୍କାଳ କ’ଣ କଥା କହେ ?

 

କିଏ ଜାଣିଛି ? କହୁଥିବ ।

 

ତା’ହେଲେ ଏ ଲୋକ ଦୁଇଜଣ ସେ ଭୂତର ଆଜ୍ଞାବହ–ବାବୁ ?

 

ମୁଁ ସେଠାକୁ ନ ଗଲେ ଏହାର ଉତ୍ତର ଦେଇପାରିବି ନାହିଁ । ତୁ ମୋତେ ପଥ ଦେଖାଇ ପାରିବୁ ସୁରେଶ ?

 

ମୁଁ କିନ୍ତୁ ବାହାରେ ରହିବି ବାବୁ । ସେ ଘରକୁ ଯିବି ନାହିଁ ।

 

ହଁ, ସେହିଠାରେ ରହିବୁ–ନିଶ୍ଚୟ ଆମକୁ ଯିବାକୁ ହେବ ।

 

ନାଁ ବାବୁ–ଯାଆନ୍ତୁ ନାହିଁ ।

 

କାହିଁକି ରେ ?

 

ଚୋର ଡକାୟତ ପଛରେ ଲାଗିଲେ ମୋର କିଛି ଯାଏଆସେ ନାହିଁ; କିନ୍ତୁ ଭୂତକୁ ମୋର ଦୂରରୁ ଜୁହାର ।

 

ଆରେ ସେ କିଛି କରିବ ନାହିଁ ।

 

ଭୂତ ସବୁ କରିପାରେ ବାବୁ ।

 

କ’ଣ କରିପାରେ ?

 

ପୃଥିବୀଟାକୁ ଓଲଟାଇ ଦେଇପାରେ ।

 

ଆଉ କ’ଣ ପାରିବ ?

 

ମନୁଷ୍ୟର ହାଡ଼ଗୋଡ଼ ଭାଙ୍ଗି ଦେଇ ପାରିବ ।

 

ନଗେନ୍ ବାବୁ ଓ ଧନଞ୍ଜୟ ବାବୁ ସୁରେଶର କଥା ଶୁଣି ହୋ ହୋ ହୋଇ ହସି ଉଠିଲେ-। ଧନଞ୍ଜୟ ବାବୁ ସିଗାରେଟ୍ରେ ଅଗ୍ନି ସଂଯୋଗ କରୁ କରୁ କହିଲେ–ତା’ହେଲେ ଭୂତର ଘରକୁ ଯିବାକୁ ହେବ ନଗେନ୍ ବାବୁ ? ନଗେନ୍ ବାବୁ ହସ ବନ୍ଦ କରି କହିଲେ–ଡେରି କଲେ କିଛି ଫଳ ହେବ ନାହିଁ । ଆଜି ହିଁ ସେଠାକୁ ଯିବାକୁ ହେବରେ ସୁରେଶ । ତୁ କେବଳ ଆମକୁ ପଥ ଦେଖାଇ ଦେବୁ । କାନ୍ଦି କାନ୍ଦି ସୁରେଶ କହିଲା–ନାଁ ନାଁ, ମୁଁ ଯିବିନି ବାବୁ, ଭୂତ ଘରକୁ କିଏ କ’ଣ ଯାଏ ବାବୁ-?

 

ଗଲେ ତୋର କ’ଣ କରିବେ ?

 

ମୁଁ କ’ଣ ତାହା ଜାଣିଛି ? ନ ଜାଣିଲେ ମଧ୍ୟ ମୁଁ କେବେହେଲେ ସେଠାକୁ ଯିବି ନାହିଁ ।

 

ଆଚ୍ଛା ତୁ ସେ ଗାଡ଼ିରେ ଗଲୁ, ତୋତେ କେହି ଦେଖି ପାରିଲେ ନାହିଁ ।

 

ଅନ୍ଧକାର–ତେଣୁ ଚୁପ୍ ହୋଇ ବସିଗଲି । ଶଇସ ଅଛି କି ନାହିଁ କେହି ଜାଣିପାରିଲେ ନାହିଁ ।

 

ଆଚ୍ଛା ଯାଆ, ଗାଧୋଇ ପାଧୋଇ ଖାଇନେବୁ ସୁରେଶ । ଧନଞ୍ଜୟ ବାବୁ, ଆପଣ ଓ ଆପଣଙ୍କ ସହିତ ଅନ୍ତତଃ ଛ’ସାତ ଜଣ ଲୋକ ଠିକ୍ କରିବାକୁ ହେବ । ସେମାନେ ସାଧାରଣ ପୋଷାକରେ ଯିବେ ଓ ଆପଣ ମଧ୍ୟ ସେହିପରି ଯିବେ । ମୁଁ ମୋ ଟ୍ୟାକ୍‍ସିରେ ଯିବି । ନଗେନ୍ ବାବୁଙ୍କ ପ୍ରସ୍ତାବରେ ସ୍ୱୀକୃତ ହୋଇ ଧନଞ୍ଜୟ ବାବୁ ବିଦାୟ ନେଲେ । ନଗେନ୍ ବାବୁ ସୁରେଶକୁ କହିଲେ–ଛୋଟେଲାଲ୍‍କୁ ଗାଧୋଇବା ଜଳ ପ୍ରସ୍ତୁତ କରିବାକୁ କୁହ ।

 

-ପାଞ୍ଚ-

 

ମଧ୍ୟାହ୍ନ ସମୟ । ନଗେନ୍ ବାବୁ ଟେଲିଫୋନ୍ ଯୋଗେ ଧନଞ୍ଜୟ ବାବୁଙ୍କୁ ଜଣାଇଦେଲେ ଯେ କୌଣସି ଅନିବାର୍ଯ୍ୟ କାରଣବଶତଃ ଆଜି ଭୂତଘରକୁ ତାଙ୍କର ଗମନ ହେବ ନାହିଁ ଏବଂ କେବେ ଯିବାକୁ ହେବ ତାହା ପରେ ଆଲୋଚନା କରି ସ୍ଥିର ହେବ । ଧନଞ୍ଜୟ ବାବୁ କିଛିକ୍ଷଣ ଦୁର୍ଭାବନାରେ କଟାଇ ଦେଲେ । ନଗେନ୍ ବାବୁଙ୍କର ଏପରି ଆକସ୍ମିକ କାର୍ଯ୍ୟକ୍ରମ ପରିବର୍ତ୍ତନ ଯୋଗୁଁ ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସେ ନିଜ ଅଫିସ୍ ଗୃହରେ ପଦଚାଳନ କରୁ କରୁ ଚାକର ଖଣ୍ଡିଏ ଚିଠି ଘେନି ଉପସ୍ଥିତ ହେଲା । ଚାକର ହସ୍ତରୁ ଚିଠିଟି ଆଣି ସେ ଲଫାପାକୁ ଖୋଲିବା ମାତ୍ରେ ଦେଖିବାକୁ ପାଇଲେ ଗୋଟିଏ ତ୍ରିଶୂଳ ଚିହ୍ନ ! ସେ ଅତ୍ୟନ୍ତ ବ୍ୟଗ୍ର ହୋଇ ଚିଠିଟି ପଢ଼ିବାକୁ ଆରମ୍ଭ କଲେ । ଲେଖାଥିଲା–

ଧନଞ୍ଜୟ ବାବୁ,

ମୋତେ କାରାଦଣ୍ଡରେ ଦଣ୍ଡିତ କରିବା ନିମିତ୍ତ ଆପଣ ଓ ଗୁଇନ୍ଦାସାହେବ ନଗେନ୍ ବାବୁ ଚେଷ୍ଟା କରୁଛନ୍ତି । ଆଜି ଆପଣ ସଦଳବଳେ ମୋ’ଦଳକୁ ଆକ୍ରମଣ କରିବେ । ଆପଣଙ୍କର ସମ୍ପୂର୍ଣ୍ଣ ଆଶା ଯେ ମୋ’ ଦଳ ସହ ମୋତେ କରାୟତ୍ତ କରିବେ । ତାହା ଭୁଲି ଯାଆନ୍ତୁ । ଶତ ଶତ ନଗେନ୍ ବାବୁଙ୍କ ସମ ଗୁଇନ୍ଦାଙ୍କୁ ମୁଁ ପଦତଳେ ପିପିଲିକା ପରି ଦଳିଦେଇ ପାରେ । ଆଉ ଆପଣଙ୍କ ଦଳକୁ ମୁଁ ଗୋଟାଏ ଫୁତ୍କାରରେ ଉଡ଼ାଇ ଦେବି । ସାବଧାନ ! ଆଗକୁ ପାଦ ପକାନ୍ତୁ ନାହିଁ । ପଥ ବଡ଼ ସଙ୍କଟପୂର୍ଣ୍ଣ । ଇତି ।

‘ତ୍ରିଶୂଳୀ’

 

ଏକ ନିଃଶ୍ୱାସରେ ଧନଞ୍ଜୟ ବାବୁ ପତ୍ରକୁ ଦୁଇ ତିନି ଥର ପଢ଼ି ଅତି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କ’ଣ କରିବେ କିଛି ଭାବିପାରିଲେ ନାହିଁ । ସେ ଚାକରକୁ ଡାକି କହିଲେ–ଏ ଚିଠି ତୁ କେଉଁଠାରୁ ପାଇଲୁ ?’’ ଚାକରଟି ନମ୍ରସ୍ୱରରେ ଉତ୍ତର ଦେଲା–‘‘ଆଜ୍ଞା ପୋଷ୍ଟ ପିଅନ୍ ଦେଇଗଲେ ।’’ ଏହା କହି ଚାକର ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହେଲା ।

 

ଧନଞ୍ଜୟ ବାବୁ ହଠାତ୍ ବାହାରକୁ ଆସି ଦେଖିଲେ ଗୋଟାଏ ପ୍ରକାଣ୍ଡ କଳା ମଟର ତାଙ୍କ ସାମନା ରାସ୍ତା କ୍ରସ୍ କରି ଦ୍ରୁତ ବେଗରେ ଚାଲିଛି ଆଗକୁ । ମଟର ମଧ୍ୟରେ ଦେଖିବାକୁ ପାଇଲେ ଗୋଟିଏ ତ୍ରିଶୂଳଧାରିଣୀ ସ୍ତ୍ରୀଲୋକ । ସେ ଅବାକ୍‍ ହୋଇ ମଟରର ଗନ୍ତବ୍ୟ ପଥକୁ ଚାହିଁ ରହିଥାନ୍ତି । ତାଙ୍କ ପାଦ ଆଗକୁ ଚାଲିଲା ନାହିଁ । ସେହି ପଥରେ ଶୂନ୍ୟ ଟ୍ୟାକ୍‍ସିଟିଏ ମନ୍ଥର ଗତିରେ ଚାଲିଛି । ଧନଞ୍ଜୟ ବାବୁ ଟ୍ୟାକ୍‍ସି ଚାଳକକୁ ଠିଆ କରିବାକୁ ଅଙ୍ଗୁଳି ନିର୍ଦ୍ଦେଶ ଦେଲା ମାତ୍ରେ ଟ୍ୟାକ୍‍ସିର ଗତି ରୋଧ ହେଲା । ସେ ଦ୍ରୁତ ପଦରେ ଟ୍ୟାକ୍‍ସି ଉପରକୁ ଉଠିଯାଇ କହିଲେ–ବିଦ୍ୟୁତ୍ ବେଗରେ ଛୁଟାଅ ବିଖ୍ୟାତ ଗୁଇନ୍ଦା ନଗେନ୍ ବାବୁଙ୍କ ଗୃହକୁ ।

 

ନିଜ ଅଫିସ୍ ରୁମରେ ନଗେନ୍ ବାବୁ ଚୌକି ଅଳଙ୍କୃତ କରି ଭାବନା ରାଜ୍ୟରେ ଘୂରି ବୁଲୁଥିଲେ । କିପରି ଶୈତାନର ଆଡ଼୍ଡ଼ାସ୍ଥଳକୁ ଅଭିଯାନ କରିବେ । ବିଭିନ୍ନ ନୂତନ ନୂତନ ତଥ୍ୟ ମାନସପଟରେ ଆବିଷ୍କାର କରି ବିସ୍ମୃତି ଗର୍ଭରେ ଲୀନ କରନ୍ତି ଏବଂ କେତେକ ତଥ୍ୟ ମାନସପଟରେ ଆଙ୍କିରଖନ୍ତି । ଟ୍ୟାକ୍‍ସିର ହର୍ଣ୍ଣ ଶବ୍ଦରେ ତାଙ୍କ ଭାବନାଗୁଡ଼ିକ ଚିତ୍ରପ୍ରତିମା ପରି କେଉଁଆଡ଼େ ଉଭେଇଗଲା ଏବଂ ଦ୍ୱାର ସମ୍ମୁଖକୁ ଚାହିଁ ବିସ୍ମିତ ହେବା ସଙ୍ଗେ ସଙ୍ଗେ କୌଣସି ନୂତନ ତଥ୍ୟ ଦର୍ପଣଫଳକସମ ଧନଞ୍ଜୟ ବାବୁଙ୍କ ମୁଖରେ ପ୍ରତିବିମ୍ୱିତ ହେଉଥିବା ଦେଖି ଆନନ୍ଦ-ସାଗରରେ ଭାସି ବୁଲିଲେ । ଆବେଗଭରା କଣ୍ଠରେ ସେ ଧନଞ୍ଜୟ ବାବୁଙ୍କୁ ପ୍ରଶ୍ନ କଲେ–ମୋତେ ନୂତନ ପଦାର୍ଥଟିକୁ ଦେଇ ଦିଅନ୍ତି ଧନଞ୍ଜୟ ବାବୁ ! ଅଫିସ୍ ରୁମରେ ପାଦ ଦେଉ ଦେଉ ସବିସ୍ମୟେ ଧନଞ୍ଜୟ ବାବୁ କହିଲେ–ଆପଣ କ’ଣ ଜ୍ୟୋତିଷ ନଗେନ୍ ବାବୁ ?

 

ନା, ଆଧୁନିକ ଯନ୍ତ୍ରଯୁଗରେ ଯେପରି ସୁଚତୁର ଦସ୍ୟୁଦଳ ମାଟି ଫୁଟାଇ ବାହାରୁଛନ୍ତି, ସେହିପରି ଗୁଇନ୍ଦାମାନଙ୍କର ବିଚକ୍ଷଣତା ଇସ୍ପାତ୍ ଫୁଟାଇ ବାହାରି ଆସୁଛି ।

 

–ନିଅନ୍ତୁ ଆପଣଙ୍କର ନୂଆ ଦ୍ରବ୍ୟଟି ନଗେନ୍ ବାବୁ ।

 

ପତ୍ରଟି ଦୁଇ ତିନିଥର ପାଠକରି ନଗେନ୍ ବାବୁ କହିଲେ ଦସ୍ୟୁ ବଡ଼ ଚାଲାକ୍ ଅଛି । ସେ ଧମକ ଦେଇ ଆମ୍ଭମାନଙ୍କୁ ଭୟ ଦେଖାଇଛି ।

 

–ଆପଣ କ’ଣ ତା’ର ଧମକକୁ ଭୟ କରନ୍ତି ?

 

–ଆପଣ ବୋଧହୁଏ ଭୟ କରନ୍ତି; କିନ୍ତୁ ନଗେନ୍ ଭୟ କରେନା । ଯଦି ଏହିପରି ଧମକରେ ଗୁଇନ୍ଦାମାନେ ପଶ୍ଚାତ୍‍ପଦ ହେବେ, ତା’ହେଲେ ପ୍ରତ୍ୟେକ ପୁରପଲ୍ଲୀରେ ହଜାର ହଜାର ଦସ୍ୟୁଦଳ ଖେଳିଯିବେ । ଚତୁର୍ଦ୍ଦିଗରେ ରକ୍ତସ୍ରୋତ ନଦୀ ଆକାରରେ ବହିଯିବ । ଭାରତର ଲୋକସଂଖ୍ୟା କ୍ରମେ ଶୂନରେ ପରିଣତ ହୋଇଯିବ ।

 

ଆପଣଙ୍କର ଭୂତଗୃହକୁ ଅଭିଯାନ ବନ୍ଦ ହେଲା କାହିଁକି ?

 

ତା’ର ଜ୍ଜ୍ୱଳନ୍ତ ପ୍ରମାଣ ତ ଆପଣ ପାଇଛନ୍ତି !

 

ତା’ହେଲେ ଆମର ଅଭିଯାନ କେବେ ହେବ ?

 

ଦୁଇ ଦିନ ପରେ । ହଁ, ଆପଣ ଏ ପତ୍ର ପାଇଲେ କିପରି ?

 

ପୋଷ୍ଟମ୍ୟାନଠାରୁ ।

 

ଆପଣ ନିଜେ ପୋଷ୍ଟମ୍ୟାନ ହାତରୁ ପାଇଛନ୍ତି ?

 

ନା..... ।

 

ତା’ହେଲେ ଆପଣ ବିଶ୍ୱାସ କରୁଛନ୍ତି କ’ଣ ?

 

ବିଶ୍ୱାସ–ପୋଷ୍ଟଅଫିସ୍ ସହିତ ଦସ୍ୟୁମାନଙ୍କର ସମ୍ପର୍କ ଅଛି ।

 

ନା–ଆଧୁନିକ ଦସ୍ୟୁମାନେ ଆଖିରେ ଇଲମ୍ ଦେଇଦେବେ ।

 

ତା’ହେଲେ କ’ଣ ଦସ୍ୟୁର ଗୁପ୍ତଚର କେହି ଆସିଥିଲା !

 

ନିଶ୍ଚୟ ।

 

ତା’ହେଲେ ଦସ୍ୟୁ କ’ଣ ଆମ୍ଭମାନଙ୍କ ଉପରେ ଆଖି ପକାଇଲାଣି ?

 

ହଁ, ଏଥର ଆମ୍ଭମାନଙ୍କୁ ସତର୍କ ଭାବେ ଚଳିବାକୁ ହେବ ।

 

ପ୍ରାୟ ସନ୍ଧ୍ୟାର ଆଗମ ସମୟ । ଦିନମଣି ଅସ୍ତାଚଳ ଶିଖରରେ ଆଶ୍ରୟ ନେଉଥିଲେ । ସନ୍ଧ୍ୟାରାଣୀ କୃଷ୍ଣବସ୍ତ୍ର ପରିଧାନ କରି ଧରାପୃଷ୍ଠକୁ ଅବତରଣ କରୁଥିଲେ । ଧନଞ୍ଜୟ ବାବୁ ନଗେନ୍ ବାବୁଙ୍କଠାରୁ ବିଦାୟ ନେଇ ଚାଲିଲେ ନିଜ ଗନ୍ତବ୍ୟ ପଥରେ । ନଗେନ୍ ବାବୁ ସୁରେଶକୁ ଡାକି କହିଲେ–କାଲି ଦଶଟାବେଳେ ଆମକୁ ଯିବାକୁ ହେବ ଭୂତଗୃହକୁ । ବିସ୍ମୟ ହୋଇ ସୁରେଶ କହିଲା–ଆପଣ ତ ବର୍ତ୍ତମାନ ଧନଞ୍ଜୟ ବାବୁଙ୍କୁ କହିଲେ ଦୁଇଦିନ ପରେ ଯିବେ ।

 

ମୁଁ ଏକୁଟିଆ ଯିବି । ଇନ୍‍ସପେକ୍ଟର ବାବୁଙ୍କୁ କହିବାର ଗୋଟାଏ ଉଦ୍ଦେଶ୍ୟ ଅଛି । ପ୍ରଥମେ ନିଜେ ଯାଇ ଦେଖିଆସେ ବ୍ୟାପାରଟା କ’ଣ ? ତା’ପରେ ଦରକାର ହେଲେ ତାଙ୍କୁ ନେଇ ଯିବି । ସରକାରଙ୍କର ଏତେଗୁଡ଼ାଏ ଲୋକଙ୍କୁ ନେଇ ଯଦି କାର୍ଯ୍ୟରେ ଜୟଯୁକ୍ତ ନ ହୁଏ, ତେବେ ମୋତେ ଉପରିସ୍ଥ କର୍ମଚାରୀଙ୍କୁ କୈଫିୟତ ଦେବାକୁ ହେବ; ତେଣୁ କଙ୍କାଳର ସମସ୍ୟା ପ୍ରଥମେ ମୋତେ ଜାଣିବାକୁ ହେବ ।

 

ଆପଣଙ୍କ ଇଚ୍ଛା !

 

ଆଚ୍ଛା, ତୁ ଗୋଟାଏ ନଡ଼ା-ମନୁଷ୍ୟ ତିଆରି କରିପାରିବୁ ସୁରେଶ ?

 

କେବେ କରିନି–ଚେଷ୍ଟା କଲେ ହେବ ।

 

ସେପରି କାରୁକାର୍ଯ୍ୟ ମୁଁ ଚାହେନା–ଯେପରି କ୍ଷେତ କିଆରୀରେ ପକ୍ଷୀମାନଙ୍କୁ ଭୟ ଦେଖାଇବା ପାଇଁ ଚାଷୀମାନେ ନଡ଼ା-ମନୁଷ୍ୟ ତିଆରି କରିଥାଆନ୍ତି–ସେହିପରି ଦରକାର ।

 

‘‘ହଉ ଆଜ୍ଞା’’ କହି ସୁରେଶ ବାହାରିଗଲା ଏବଂ କିଛି କ୍ଷଣପରେ ଗୋଟିଏ ନଡ଼ା-ମନୁଷ୍ୟ ତିଆରି କରି ଉପସ୍ଥିତ ହୋଇ କହିଲା–ବାବୁ ଏହା ଚଳିବ ।

 

–ହଁ ଚଳିବ ।

 

–ବର୍ତ୍ତମାନ ଏହାକୁ କ’ଣ କରିବେ ?

 

ଏହା ଦେହରେ ଗୋଟିଏ ଛିଣ୍ଡା ଲୁଗା ଆବୃତ କରିଦେବୁ ଯେପରି ନଡ଼ା ଦେଖା ନ ଯିବ-

 

ସୁରେଶ କ୍ଷିପ୍ର ହସ୍ତରେ ଛିନ୍ନବସ୍ତ୍ର ଆଣି ନଡ଼ା-ମନୁଷ୍ୟକୁ ଦେଶ କରିଦେଲା । ହସି ହସି ନଗେନ୍ ବାବୁ କହିଲେ–ବେଶ୍, ଏହା ଚଳିବ ।

 

ଏଇଟା କ’ଣ ହେବ, ବାବୁ ?

 

ଆମେ ଏଇଟା ନେଇ ଗଙ୍ଗାନଦୀ ପର୍ଯ୍ୟନ୍ତ ଯିବା । ତା’ପରେ ତୁ ଏହାକୁ କାନ୍ଧରେ ପକାଇ ଚାଲିବୁ । ତୁ ହେବୁ ଗୋଟିଏ ଗରିବର ପୁଅ–ମୁଁ ହେବି ତୋର ଦାଦା–ଅଶୀ ବର୍ଷର ବୁଢ଼ା । କୌଣସି ପ୍ରକାରେ ମୁଁ ତୋ ସହିତ ଧୀରେ ଧୀରେ ଚାଲିବି । ତୁ ନେଇଯିବୁ ଏହି ମୃତ ଭାଇର ଶବକୁ କାନ୍ଧରେ ପକାଇ–ମୁଁ ଯିବି ଗଙ୍ଗାତୀରରେ ଶବଦାହ କରିବାକୁ । ତୁ ତ ପିଲା ଲୋକ, ପଥ ଭୁଲିଯିବୁ–ମୋର ତ ଆଖିକୁ ସ୍ପଷ୍ଟ ଦେଖାଯାଉ ନାହିଁ–ପଥ ଚିହ୍ନିବା କଷ୍ଟକର–ପଥ ଭଲ କରି ଦେଖାଯାଉ ନାହିଁ । ବୁଝିଲୁ–

 

ହଁ, ବୁଝିଲି ।

 

କିନ୍ତୁ କାନ୍ଦି କାନ୍ଦି ଯିବାକୁ ହେବ ତ ?

 

–ତା’ହେଲେ ତ ଖୁବ୍ ଭଲ ହେବ । ଯଦି କିଏ ପ୍ରଶ୍ନ କରେ ତା’ର ଉତ୍ତର ଦେବି–ନା, ଉତ୍ତର ନ ଦେଲେ ଭଲ ହେବ ।

 

ତୋତେ କିଛି କହିବାକୁ ପଡ଼ିବ ନାହିଁ । ମୁଁ ସବୁ କରିବି । କେବଳ ଦୁଇଖଣ୍ଡି ଗାମୁଛା ଦରକାର ।

 

ମୁଁ ସବୁ ଠିକ୍ କରିଦେବି ବାବୁ ।

 

ଆଉ ଗୋଟିଏ କଥା ଭାବୁଛି–

 

କ’ଣ ବାବୁ ?

 

ପଥ ମଧ୍ୟରେ ଆମକୁ କେହି ଲକ୍ଷ୍ୟ କରିବେ ନାହିଁ, କିନ୍ତୁ ଟ୍ୟାକ୍‍ସିରୁ ଓହ୍ଲାଇବା ସମୟେ.....କହି ନଗେନ୍ ବାବୁ ଭାବିବାକୁ ଲାଗିଲେ । ଏହା ତ ଗୋଟାଏ କଠିଣ ସମସ୍ୟା । ଏ ସମସ୍ୟାର ସମାଧାନ କିପରି ହେବ ? ନଗେନ୍ ବାବୁ ଚିନ୍ତିତ ହେବାର ଦେଖି ସୁରେଶ କହିଲା–ଏହି ନଡ଼ା-ମନୁଷ୍ୟର ହାତକୁ କାଟି ଗୋଡ଼ ଦୁଇଟିକୁ ଏକତ୍ର ବାନ୍ଧି ଫେରିବାଲା ପରି ତା’ ଦେହରେ କାଗଜ ଫୁଲ ଖୋସି ଦେବାକୁ ହେବ । ଆପଣ ହେବେ ଭଦ୍ରଲୋକ, ମୁଁ ଏହାକୁ ନେଇ ଡ୍ରାଇଭର ନିକଟରେ ବସିବି ଫେରିବାଲା ପରି ।

 

ବାଃ, ତୁ ତ ଭଲ ଉପାୟ ବାହାର କରୁଛୁ ?

 

କିନ୍ତୁ ଫୁଲ ପାଇଁ ଗଲେ ଆମ ଘରକୁ ଯିବାକୁ ହେବ ବାବୁ । ଆମ ଘର ନିକଟରେ ଜଣେ କାଗଜ ଫୁଲ ବିକ୍ରିକରେ । ମୁଁ ସକାଳୁ ଯାଇ ତା’ଠାରୁ କିଣି ଆଣିବି । ଛୋଟେଲାଲ୍‍ ଆସି କହିଲା–ବାବୁ ଆସନ୍ତୁ ଖାଇବେ । ସୁରେଶ ଓ ନଗେନ୍ ବାବୁ କକ୍ଷ ତ୍ୟାଗକରି ଚାଲିଗଲେ ।

 

-ଛଅ-

 

ଦିନ ଦଶଟା । ଟ୍ୟାକ୍‍ସି ନଗେନ୍ ବାବୁଙ୍କ ଅଫିସ ନିକଟରେ ଉପସ୍ଥିତ ହେଲା । ନଗେନ୍ ବାବୁ ଅଫିସ୍ ରୁମରୁ ଯାଇ ଡ୍ରେସିଙ୍ଗ୍ ରୁମରେ ପହଞ୍ଚିଲେ । ଯେତେବେଳେ ଡ୍ରେସିଙ୍ଗ୍ ହୋଇ ଫେରିଆସିଲେ ସେତେବେଳେ ସେ ନଗେନ୍ ବାବୁ ନୁହନ୍ତି–ଜଣେ ବୁଦ୍ଧ ମାରୁଆଡ଼ି । ମିନିଟ୍‍କ ପରେ ସୁରେଶ କାଗଜ ଫୁଲ ସହ ଅଫିସ ରୁମରେ ପ୍ରବେଶ କରି ଦେଖିଲା ତା’ର ବାବୁଙ୍କ ପରିବର୍ତ୍ତେ ମାରୁଆଡ଼ିକୁ । ସବିସ୍ମୟେ ସେ ବାବୁଙ୍କ ସନ୍ଧାନରେ ଅଫିସ ରୁମରୁ ବାହାରିବା ସମୟରେ ନଗେନ୍ ବାବୁ ଡାକି କହିଲେ–ଫୁଲ ସଜ ହୋଇଗଲାକି ରେ ?

ସେ ସହାସ୍ୟେ କହିଲା–ବାବୁ ଆପଣ !

ସବୁ ଠିକ୍ ତ ?

ହଁ ବାବୁ ଚାଲନ୍ତି–

ଉଭୟେ ଗାଡ଼ି ଉପରକୁ ଉଠିଗଲେ । ଗାଡ଼ି ଦକ୍ଷିଣେଶ୍ୱର ନିକଟରେ ପହଞ୍ଚିବା ମାତ୍ରେ ନଗେନ୍ ବାବୁ ଗାଡ଼ି ରଖିବା ନିମିତ୍ତ ଟ୍ୟାକ୍‍ସି ଚାଳକକୁ କହିଲେ । ସେହିଦିନ ଦକ୍ଷିଣେଶ୍ୱର କାଳୀମନ୍ଦିର ନିକଟରେ କୌଣସି ଉତ୍ସବ ଉପଲକ୍ଷେ ବହୁ ବ୍ୟକ୍ତିଙ୍କର ସମାଗମ ହୋଇଥିଲା । ଯେଉଁ ରାସ୍ତାଟି କାଳୀମନ୍ଦିର ଅଭିମୁଖରେ ଗତି କରିଛି ତାହାର ଦୁଇପାର୍ଶ୍ୱରେ ନାନା ପ୍ରକାର ଦୋକାନ-କ୍ରେତା-ଦଳର ଗହଳି କୌଣସି ଦୋକାନରେ କମ୍ ନ ଥିଲା । ଏସବୁ ଜିନିଷର ବା ଲୋକମାନଙ୍କର ଆକର୍ଷଣରେ ନଗେନ୍ ବାବୁ ବିଚଳିତ ହୋଇ ନଥିଲେ । ଅକସ୍ମାତ୍ ସେ ଦେଖିଲେ ରାସ୍ତାର କିଛି ଦୂରରେ ଏକ ବୃକ୍ଷମୂଳେ ସେ ପ୍ରକାଣ୍ଡ କଳାରଙ୍ଗର ମଟରଟି ଠିଆ ହୋଇଛି । ଗାଡ଼ିରେ ଚାଳକ କିମ୍ୱା ଆରୋହୀ କେହି ନଥିଲେ । ନଗେନ୍ ବାବୁ ଧୀରେ ଧୀରେ ସୁରେଶକୁ କହିଲେ–ଦେଖ ସୁରେଶ, ଏ ସେହି ଗାଡ଼ି–ଚିହ୍ନି ପାରୁଛୁ ? ମୃଦୁସ୍ୱରରେ ସୁରେଶ ଉତ୍ତର ଦେଲା–ହଁ ବାବୁ ସେହି ସ୍ତ୍ରୀ ଲୋକର ।

ଏହି ଗାଡ଼ି ଉପରେ ନଜର ଦେଇ ଫୁଲ ବିକ୍ରି ଆରମ୍ଭ କରିଦେ ।

ବେଶ୍ ତା’ପରେ ?

ତା’ ପରେ ଗାଡ଼ିର ଆରୋହୀ ଆସି ଗାଡ଼ିରେ ଉଠିଲେ ମୋତେ ଖବର ଦେବୁ ।

ଆପଣ ଏହିଠାରେ ରହିଥିବେ ?

ମୁଁ ଗୋଟିଏ ସ୍ଥାନରେ ରହିବି ନାହିଁ–ଘୂରି ବୁଲିବି ।

ତା’ହେଲେ କାହାକୁ ଖବର ଦେବି–ଯଦି ଆପଣଙ୍କୁ ନପାଏ ?

ମୁଁ ନିଶ୍ଚୟ ଏହି ଗହଳି ମଧ୍ୟରେ ଥିବି । ଯଦି ଦେଖିବୁ ସେ ଗାଡ଼ି ଚାଲିଯାଏ, ତା’ହେଲେ ସେ ଗାଡ଼ିର ପଛେ ପଛେ ଯାଇ ଦେଖିବୁ ସେ ଗାଡ଼ିଟି କେଉଁଆଡ଼େ ଯାଉଛି ।

ସୁରେଶ ଆଉ କୌଣସି କଥା ନକହି ଧୀରେ ଧୀରେ ଗାଡ଼ିରୁ ଓହ୍ଲାଇଲା । ଫେରିବାଲାଙ୍କର ସ୍ୱଭାବ-ସୁଲଭ ଅସ୍ୱାଭାବିକ ବିକୃତ କଣ୍ଠରେ ଡାକିବାକୁ ଲାଗିଲା–ଫୁଲ ନେବ ରେ-ଫୁଲ ନେବ ।

 

ନଗେନ୍ ବାବୁ ବିଳମ୍ୱ ନକରି ବିପୁଳ ଜନତା ସହ ମିଶିଗଲେ । ଜନତା ମଧ୍ୟରେ ନଗେନ୍ ବାବୁ ଗୋଟିଏ ସ୍ଥାନରେ ଦେଖିଲେ ଗୋଟିଏ ସୁନାରୂପା ବ୍ୟବସାୟୀ ଭାଟିଆ ଭଦ୍ରଲୋକ ସହିତ ଜଣେ ପରମାସୁନ୍ଦରୀ ଯୁବତୀ ପ୍ରଚଣ୍ଡଭାବେ ତର୍କକରି ଚାଲିଛି । ଯୁବତୀଟି କହୁଛି–ମୁଁ ଆପଣଙ୍କ ଜୁୟେଲାରୀ କଥା ବର୍ତ୍ତମାନ ଶୁଣୁଛି–‘‘ଆପଣଙ୍କ ଜୁୟେଲାରୀ ସ୍ପର୍ଶ କରିବା ଦୂରେ ଥାଉ ମୁଁ ଆଖିରେ ସୁଦ୍ଧା ଦେଖି ନାହିଁ । ଆପଣ ଅନ୍ୟାୟ ଭାବେ ମୋ ଉପରେ ଚୋରୀ ବଦ୍‍ନାମୀ ଦେଉଛନ୍ତି । ମୋର ଏକମାତ୍ର ସମ୍ୱଳ ଏହି ବ୍ୟାଗ୍‍ଟି–ଆପଣ ଏହାକୁ ପରୀକ୍ଷା କରି ଦେଖିପାରନ୍ତି । ଆପଣ ଖଣ୍ଡେ ପଥର ଯଦି ବାହାର କରିପାରନ୍ତି; ତା’ହେଲେ ମୁଁ ଆପଣଙ୍କର ସମସ୍ତ ଜୁୟେଲାରୀର ଦାୟିତ୍ୱ ମଥାପାତି ସମ୍ଭାଳି ନେବି ।’’

 

ମୁଁ ସ୍ୱଚକ୍ଷୁରେ ଦେଖିଛି ଏହି ବ୍ୟାଗ୍ ହାତରେ ଧରି ତୁମେ ଆସି ମୋର ସମସ୍ତ ଜୁୟେଲାରୀ ଦେଖିବାରେ ଲାଗିଲ । ଯାହା ଯାହା ଚାହିଲ ମୁଁ ଗୋଟିକ ପରେ ଗୋଟିଏ ଦେଇଛି । ଅନ୍ୟ କ୍ରେତା ସହ କଥାବାର୍ତ୍ତା କରିବା ସମୟରେ ହଠାତ୍ ନଜର ପଡ଼ିଲା ତୁମେ ଚାଲି ଯାଉଛ, ତେଣୁ ତୁମକୁ ଅଟକାଇଲି ।

 

ଏଁ, ମୁଁ ପଥଦେଇ ଚାଲି ଯାଉଥିଲି ! ଆପଣଙ୍କ ଦୋକାନରେ ତ ଠିଆ ହୋଇଛି ।

 

ଚୋରୀ କରି କ’ଣ କିଏ ସ୍ୱୀକାର କରେ ?

 

ମୁଁ ତ ଏ ପର୍ଯ୍ୟନ୍ତ ଚୋରୀ ସମ୍ୱନ୍ଧେ କିଛି ହିଁ ଜାଣି ନାହିଁ । କିପରି ମୁଁ ଆପଣଙ୍କ କଥାରେ ଚୋରଣୀ ହେବି ?

 

ମୁଁ ତୁମର କୌଣସି କଥା ଶୁଣିବି ନାହିଁ । ପୁଲିସରେ ତୁମକୁ ଦେବି ।

 

କିନ୍ତୁ ପୁଲିସ୍ ନିକଟରେ ଉପଯୁକ୍ତ ସାକ୍ଷୀ ନଦେଲେ ଯେ ସେ ଓଲଟା ଆପଣଙ୍କ ବିରୁଦ୍ଧରେ Defamation Charge ଆଣିବେ; ସେ କଥା ଆପଣ ଭାବି ଦେଖନ୍ତୁ ? କହି ନଗେନ୍ ବାବୁ ଦୋକାନୀର ସମ୍ମୁଖରେ ଉପସ୍ଥିତ ହେଲେ । ବିରକ୍ତିପୂର୍ଣ୍ଣ ସ୍ୱରରେ ଦୋକାନୀ ଉତ୍ତର ଦେଲା–ମୁଁ ଯେ ନିଜ ଆଖିରେ ଦେଖିଛି ମହାଶୟ !

 

ସାକ୍ଷୀ ନଦେଲେ ପ୍ରମାଣ ହେବ କିପରି ?

 

ଆପଣ କହୁଛନ୍ତି ଯେ ମୋ କଥାରେ ମୂଲ୍ୟ ନାହିଁ ?

 

–କହିଲେ ଅନ୍ୟାୟ ହେବ ନାହିଁ, କାରଣ ଆଇନ୍ ଚାହେଁ ପ୍ରମାଣ ।

 

ଏହି ସମୟରେ ସୁରେଶ ଛୁଟି ଆସି ନଗେନ୍ ବାବୁଙ୍କ କାନ ପାଖରେ ଧୀରେ ଧୀରେ କହିଲା–ସେହି ସ୍ତ୍ରୀ ଲୋକଟା ଗାଡ଼ିରେ ବସିଛି ବାବୁ । ବର୍ତ୍ତମାନ ଗାଡ଼ି ଛାଡ଼ିବ । ନଗେନ୍ ବାବୁ ସେହି ଗାଡ଼ିଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦୋକାନୀକୁ କହିଲେ–ବେଶ୍ ଭଲ କରି ଦୃଷ୍ଟି ଦେଇ ଥାଆନ୍ତୁ, ଏହି ସ୍ତ୍ରୀ ଲୋକ କି ଯେଉଁ ସ୍ତ୍ରୀ ଲୋକ ଗାଡ଼ିରେ ବସିଛି ?

 

ନଗେନ୍ ବାବୁଙ୍କ କଥା ଶୁଣି ଦୋକାନୀ ଊର୍ଦ୍ଧ୍ୱଶ୍ୱାସରେ ଗାଡ଼ି ନିକଟକୁ ଛୁଟିଗଲା ଏବଂ ଗାଡ଼ିର ନିକଟବର୍ତ୍ତୀ ହୋଇ ଚିତ୍କାର କରି କହିଲା–ମୋ ଜିନିଷ ନେଇ କେଉଁଆଡ଼େ ଯାଉଛ ? ଗାଡ଼ି start କରି ଘୂରାଇବା ସମୟରେ ଦୋକାନୀ ଗାଡ଼ି ଉପରକୁ ଉଠିଗଲା । ଗାଡ଼ି ମଧ୍ୟରୁ ଗୋଟାଏ ରିଭଲ୍‍ଭର୍ ଆୱାଜ ହେଲା–ଦୋକାନୀ ଚିତ୍କାର କରି ରାସ୍ତା ଉପରେ ପତିତ ହେଲା–ଗାଡ଼ି ଛୁଟିଲା ବିଦ୍ୟୁତ୍ ବେଗରେ । ଦୋକାନୀର ଚତୁଃପାର୍ଶ୍ୱରେ ଜନତା ବୃତ୍ତାକାର ଧାରଣ କଲାଣି । ଦୁଇଜଣ କନେଷ୍ଟବଳ ଜନତାକୁ ଠେଲି ଆଭ୍ୟନ୍ତରକୁ ଛୁଟିଆସି ଦେଖିଲେ ଘଟଣାଟି କ’ଣ । ତା’ପରେ ସେମାନେ ଦୋକାନୀର ନିକଟରେ ଉପସ୍ଥିତ ହୋଇ ବିସ୍ମୟ ସହକାରେ ଦେଖିଲେ ଯେ ଦୋକାନୀଟି ମୃତ୍ୟୁ ମୁଖରେ ପତିତ ହୋଇଛି । ଦୋକାନୀର ବକ୍ଷ ଦେଶ ବିଦୀର୍ଣ୍ଣ ହୋଇ ରକ୍ତ ସ୍ରୋତ ପ୍ରବଳ ବେଗରେ ନିଃସୃତ ହେଉଛି । ବର୍ତ୍ତମାନ ଅବସ୍ଥାରେ ତରୁଣୀକୁ ଅନୁସରଣ କରିବା ଅସମ୍ଭବ । କାରଣ ତରୁଣୀର ଗାଡ଼ି ଅନେକ ଦୂର ଚାଲିଯାଇଥିଲା । ତଥାପି ନଗେନ୍ ବାବୁ ତରୁଣୀର ଅନୁସନ୍ଧାନ ନିମିତ୍ତ ଟ୍ୟାକ୍‍ସି ନିକଟକୁ ଛୁଟିଯାଇ ଦେଖିଲେ–ଟ୍ୟାକ୍‍ସି ଅନ୍ତର୍ଦ୍ଧାନ । ସେ ସହଜରେ ଅନୁମାନ କରି ବୁଝିପାରିଲେ ଯେ ସୁରେଶ ଟ୍ୟାକ୍‍ସି ନେଇ ନାରୀର ପିଛା ଧରିଛି ।

ନଗେନ୍ ବାବୁ ତତ୍‍କ୍ଷଣାତ୍ ଦୋକାନୀର ସମୀପବର୍ତ୍ତୀ ହୋଇ ଗୋଟିଏ କନେଷ୍ଟବଳକୁ ଡାକି ତାହାକୁ ଆତ୍ମପରିଚୟ ଦେଲେ ଓ ଇନ୍‍ସପେକ୍ଟରଙ୍କୁ ଜଣାଇ ଦେବାପାଇଁ କହିଲେ । କନେଷ୍ଟବଳଟି ତା’ର ଯୋଡ଼ିଦାରକୁ ସେ କଥା ଜଣାଇଦେଲା ଏବଂ ସେ ସେଠାରୁ ଚାଲିଗଲା ଏବଂ ଅନତିବିଳମ୍ୱେ ସେ ଜଣେ ପୁଲିସ୍ ଅଫିସରଙ୍କ ସହ ସେଠାରେ ଉପସ୍ଥିତ ହେଲା । ନଗେନ୍ ବାବୁ ଅଫିସରଙ୍କ ସହ ଦୁଇ ଚାରିପଦ କଥାବାର୍ତ୍ତା ହୋଇ ସେଠାରୁ ଅନ୍ତର୍ହିତ ହୋଇଗଲେ ।

ବାଲିବ୍ରିଜ୍ ନିକଟରେ ଗୋଟିଏ ଚଳନ୍ତା ଟ୍ୟାକ୍‍ସିର ଗତି ରୋଧକରି ନଗେନ୍ ବାବୁ ପଚାରିଲେ ତାହାର ପର୍ଯ୍ୟାପ୍ତ ପେଟ୍ରୋଲ ଅଛି କି ନାହିଁ । ତାଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ଡ୍ରାଇଭର ପଚାରିଲା–ଏପରି ପ୍ରଶ୍ନର କାରଣ କ’ଣ ?

କାରଣ ଅନେକ ଅଛି–ମୁଁ ତୁମକୁ ଯାହା ପ୍ରଶ୍ନ କରୁଛି ତା’ର ଉତ୍ତର ଦିଅ ।

କାରଣ ନଜାଣିଲେ ମୋର ଉତ୍ତର ଦେବାର ସାଧ୍ୟ ନାହିଁ ।

ଭୟ ନାହିଁ । ତୁମେ ଭଡ଼ା ପାଇବ । ଗାଡ଼ି ବହୁତ ସମୟ ପାଇଁ ମୋର ଦରକାର–ତାହା ଠିକ୍ କହି ପାରୁନି । ତେଣୁ ମୁଁ ତୁମକୁ ପଚାରିଲି । ପ୍ରୟୋଜନ ହେଲେ ଏହିଠାରେ ରହି ଦୁଇ ଚାରି ଗ୍ୟାଲନ୍ ତେଲ ଆଣି ପାର ।

ଏତେ ଦୂର ମୁଁ ଯାଇ ପାରିବି ନାହିଁ, ସାର୍ ।

ତା’ହେଲେ ଥାନାକୁ ଚାଲ, ତା’ପରେ ଯାଇ ପାରିବ କି ନା ସେ କଥା ଥାନାରେ ରହି ଜାଣିପାରିବ ।

ଡ୍ରାଇଭର ନରମ ହୋଇଗଲା ଥାନା କଥା ଶୁଣି । ସେ ଆଉ ଯୁକ୍ତିତର୍କ ନକରି କହିଲା–ତା’ହେଲେ କିଛି ତେଲ ନେବାକୁ ହେବ ବାବୁ ।

ଏହି କଥା କହିଥିଲେ ତ ସମସ୍ୟାର ସମାଧାନ ହୋଇଥାନ୍ତା । କେବଳ ତୁମେ ସମୟ ନଷ୍ଟ କଲ–ବର୍ତ୍ତମାନ ପେଟ୍ରାଲ ନେବାକୁ କେତେ ସମୟ ଲାଗିବ ତାହା କିଏ ଜାଣେ ?

ନଗେନ୍ ବାବୁ ଶୀଘ୍ର ଗାଡ଼ି ଉପରକୁ ଉଠିଯାଇ ଗାଡ଼ିକୁ ବିଦ୍ୟୁତ୍ ବେଗରେ ଛୁଟାଇ ଦେଲେ । ଡ୍ରାଇଭର ସ୍ୱେଚ୍ଛାରେ ପର୍ଯ୍ୟାପ୍ତ ପେଟ୍ରୋଲ୍ ଗାଡ଼ିରେ ପୂର୍ଣ୍ଣ କରି କହିଲା–ବାବୁ ବର୍ତ୍ତମାନ କେଉଁଆଡ଼େ ଯିବେ ?

 

ବାଲିବ୍ରିଜ୍ ପାରହୋଇ ଗ୍ରାଣ୍ଡଟ୍ରଙ୍କ ରୋଡ଼୍ ଆଡ଼େ ।

 

ଗ୍ରାଣ୍ଡଟ୍ରଙ୍କ ରୋଡ଼୍ ଧରି କ’ଣ ଚନ୍ଦନ ନଗର ?

 

ତୁମେ ବୁଝିଛ ଯେ ବାବୁମାନଙ୍କର ଯାତାୟାତ ସେଠାକୁ ବେଶୀ–

 

ନା ? ମିଥ୍ୟା ନୁହେଁ ବାବୁ, ଆପଣଙ୍କର କଥା ପ୍ରକୃତରେ ଠିକ୍ ।

 

ମୁଁ ତ ବୁଢ଼ାଲୋକ ବାବା, ମୋର ଏତେ ସଉକ୍ ନାହିଁ ।

 

ସେ କଥା ଜୋର ଦେଇ କୁହନ୍ତୁ ନାହିଁ ବାବୁ । ଆଜିକାଲି ସମସ୍ତଙ୍କର ଗତି ସେହି ଦିଗକୁ-

 

କିନ୍ତୁ ମୋର ଅନ୍ୟ ଦିଗରେ ।

 

ତେବେ କେଉଁଆଡ଼େ ?

 

ଏହି ସମ୍ମୁଖରେ ଯେଉଁ ରାସ୍ତା ଦେଖାଯାଉଛି ତା’ର ବାମ ପାଖରେ ।

 

କ’ଣ ନଦୀ ପର୍ଯ୍ୟନ୍ତ ଗାଡ଼ି ଯିବ ବାବୁ ?

 

ବେଶ୍ ତ, ସେହିଠାରେ ରହି ମୋତେ ଅପେକ୍ଷା କରିବ । ମୁଁ ଆରପାଖକୁ ଯିବି ।

 

ନଦୀର ବିପରୀତ ପାଖକୁ କେହି ବୁଦ୍ଧଲୋକ ଯାଆନ୍ତି ନାହିଁ ବାବୁ !

 

କାହିଁକି ?

 

ଗୁଣ୍ଡା ବଦ୍‍ମାସ୍‍ମାନଙ୍କର ଓ ଭୂତର ଭୟ ସେଠାରେ ଯଥେଷ୍ଟ ଅଛି ।

 

 

ସେହି ବଡ଼ କୋଠାଘର କଙ୍କାଳ କଥା କହୁଛ ତ ?

 

ଆପଣ ତା’ହେଲେ ସବୁ ଜାଣିଛନ୍ତି ଦେଖୁଛି !

 

ଜୀବନରେ ତୁମେ ଦେଖିବାର ସୁଯୋଗ ପାଇଛ କେବେ–କୁହ ତ ?

 

କେବେ ନୁହେଁ ବାବୁ !

 

ଗାଡ଼ି ଟ୍ରଙ୍କରୋଡ଼୍ ପାର ହୋଇ କଚା ରାସ୍ତାଧରି ନଦୀର ସମୀପବର୍ତ୍ତୀ ହେଲା । ଗାଡ଼ି ନଦୀତୀରରେ ଉପସ୍ଥିତ ହେବା ସମୟରେ ସନ୍ଧ୍ୟାରାଣୀ ପୃଥିବୀ ପୃଷ୍ଠକୁ ପଦାର୍ପଣ କରୁଥିଲେ ।

 

ନଗେନ୍ ବାବୁ ଦେଖିଲେ ଯେ ଯେଉଁ ଟ୍ୟାକ୍‍ସିରେ ସୁରେଶ ସଇତାନୀ ନାରୀକୁ ଅନୁସରଣ କରି ଏହି ଦିଗରେ ଆସିଥିଲା, ସେହି ଟ୍ୟାକ୍‍ସି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ରାସ୍ତା ନିକଟରେ ପତିତ ହୋଇଛି ଏବଂ ଗାଡ଼ିର ଅନତିଦୂରରେ ପଡ଼ିଅଛି ଡ୍ରାଇଭରର ପ୍ରାଣହୀନ ଦେହଟା । ଏହି ବୀଭତ୍ସ ଦୃଶ୍ୟ ଦେଖି ଟ୍ୟାକ୍‍ସି ଚାଳକର ଅଙ୍ଗ ପ୍ରତ୍ୟଙ୍ଗରେ ଶିହରଣ ଖେଳିଗଲା ଏବଂ ସେ ଭୟ-କମ୍ପିତ-କଣ୍ଠରେ କହିଲା-ଆଉ ଆଗକୁ ଯାଇ ପାରିବିନି ବାବୁ ! ଅଦେଶ ଦିଅନ୍ତୁ ଗାଡ଼ି ଫେରାଇବାକୁ-!

 

ଗମ୍ଭୀର ସ୍ୱରରେ ନଗେନ୍ ବାବୁ ଉତ୍ତର ଦେଲେ–ତୁମକୁ ବୋଧହୁଏ ଭୟ ହେଉଛି ନା ?

 

ଏ ଦୃଶ୍ୟ ଦେଖି କାହାର ଭୟ ନ ହେବ ବାବୁ ?

 

ତୁମେ କ’ଣ କରିବାବୁ ଚାହ ?

 

ଆଜ୍ଞା ଫେରି ଯିବାକୁ !

 

କେଉଁଠାକୁ ?

 

ବାଲି ବଜାରକୁ !

 

ଆଚ୍ଛା ସେହିଠାରେ ହିଁ ମୋତେ ଅପେକ୍ଷା କରିବ ।

 

କେତେକ୍ଷଣ ଅପେକ୍ଷା କରିବାକୁ ହେବ ବାବୁ ?

 

ଯେତେବେଳ ପର୍ଯ୍ୟନ୍ତ ମୁଁ ନ ଫେରିବି ।

 

ଫେରିବାର ତ ଆଶା ଭରସା ଏହିପରି ବାବୁ !

 

ମୁଁ ନିଶ୍ଚୟ ଫେରିବି–ଆଜି ରାତିରେ–ନାହିଁ ତ କାଲି ।

 

ବେଶ୍ ସେହିପରି ହେବ ।

 

ନଗେନ୍ ବାବୁ ସେହିଠାରୁ ଗାଡ଼ିରୁ ଅବତରଣ କଲେ ଏବଂ ଗାଡ଼ିଚାଳକ ସେହିଠାରୁ ପ୍ରସ୍ଥାନ କଲା । ବର୍ତ୍ତମାନ ନଗେନ୍ ବାବୁଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଏହି ଡ୍ରାଇଭର୍‍ର ମୃତଦେହ ପରୀକ୍ଷା କରିବା । ନଗେନ୍ ବାବୁ ଲାସ୍‍ର ଚତୁଃପାର୍ଶ୍ୱ ପରୀକ୍ଷା କରି ଦେଖିଲେ ଯେ ଦେହର କୌଣସିଠାରେ କ୍ଷତ ଚିହ୍ନ ନାହିଁ, କେବଳ ତାହାର ପୃଷ୍ଠ ଦେଶରେ ଗୋଟିଏ ତ୍ରିଶୂଳର ଚିହ୍ନ । ନଗେନ୍ ବାବୁଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିଲା ନାହିଁ । ସେ ସହଜରେ ବୁଝିପାରିଲେ ଯେ ଏ ହେଉଛି ସେହି ସଇତାନୀ ଜୟଶ୍ରୀର କୃତ । ବର୍ତ୍ତମାନ ତାଙ୍କର ଚିନ୍ତା ହେଲା ସୁରେଶର କି ଦଶା ହୋଇଥିବ । ହଠାତ୍ ନଗେନ୍ ବାବୁ ଦେଖି ପାରିଲେ ସେହି ଫୁଲ ସଜା ନଡ଼ା-ମନୁଷ୍ୟ ନଦୀ ଜଳରେ ଭାସୁଛି । ଏତେଗୁଡ଼ାଏ ନିଦର୍ଶନ ସତ୍ତ୍ୱେ ବି କିଏ ଧାରଣା କରିବ ସୁରେଶ ବଞ୍ଚି ରହିଛି ? ଭୁଲ-ଭୁଲ୍, ଏ ମୋର ଧାରଣା ଭୁଲ । ସୁରେଶ ବଞ୍ଚି ରହିବା ଅସମ୍ଭବ । ଟ୍ୟାକ୍‍ସି ଚାଳକ ପରି ସେ ମଧ୍ୟ ପୃଥିବୀରେ ନାହିଁ ଏବଂ ତା’ର ମୃତ ଦେହ ଫିଙ୍ଗି ଦେଇଛନ୍ତି ନଦୀଗର୍ଭର ଅତଳ ଜଳରେ । ଆହା ! ବିଚାରା ସୁରେଶ... !

 

ନଗେନ୍ ବାବୁ କାଳ ବିଳମ୍ୱ ନକରି ପଦବ୍ରଜରେ ନଦୀ ପାର ହୋଇ କ୍ଷିପ୍ର ଗତିରେ ସେହି କୋଠାଘର ସନ୍ଧାନରେ ଯାତ୍ରାକଲେ ।

 

-ସାତ-

 

ନଗେନ୍ ବାବୁ ନଦୀ ତୀର ଅତିକ୍ରମ କରି ପ୍ରାୟ ଏକମାଇଲ ଦୂରରେ ଦେଖିଲେ ଏକ କ୍ଷୁଦ୍ର ବସ୍ତି । ବର୍ତ୍ତମାନ ତାଙ୍କର ପୂର୍ଣ୍ଣ ଧାରଣା ହେଲା ଯେ ସେ ନିର୍ଦ୍ଦିଷ୍ଟ ପଥରେ ଯାତ୍ରା କରିଛନ୍ତି । କିଛି ପଥ ଅଗ୍ରସର ହୋଇ ସେ ପୂର୍ବୋକ୍ତ ପ୍ରତ୍ୟେକ ନିଦର୍ଶନଗୁଡ଼ିକ ପାଇ ବିଶେଷ ଆନନ୍ଦିତ ହେଲେ । ତତ୍ପରେ ସେ ପ୍ରଥମ ଫାଟକ ନିକଟରେ ଉପସ୍ଥିତ ହେଲେ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଥିଲା । ଘନ ଅନ୍ଧକାରରେ ନଗେନ୍ ବାବୁ ଟର୍ଚ୍ଚ ଲାଇଟ୍ ଦ୍ୱାରା ଚାଲିଲେ ଆଗକୁ । ଫାଟକ ପାର ହେଲେ ବିସ୍ତୀର୍ଣ୍ଣ ଉଠାଣି । ଉଠାଣିଟି ଛୋଟ ବଡ଼ ଅନେକ ପାବଚ୍ଛ ଦ୍ୱାରା ହୋଇଛି ଅଳଙ୍କୃତ । ନିଜକୁ ଲୁକ୍କାୟିତ କରିବା ନିମିତ୍ତ ସେ ତାଙ୍କର ପୋଷାକକୁ ବଦଳାଇଲେ । ଡ୍ରେସ୍‍ଗୁଡ଼ିକ ପାବଚ୍ଛର ନିମ୍ନଦେଶରେ ଲୁକ୍କାୟିତ କଲେ । ତତ୍ପରେ ସେ ଆପାଦମସ୍ତକ କୃଷ୍ଣ ବସ୍ତ୍ରରେ ଆବୃତ କଲେ । ସେ ଏପରି ଭାବରେ ଘନ ଅନ୍ଧକାରରେ ମିଶିଗଲେ ଯେ କୌଣସି ଲୋକ ତାଙ୍କୁ ସହଜରେ ଦେଖି ପାରିବା ଦୂରେ ଥାଉ ତାଙ୍କ ନିଜ ଚକ୍ଷୁ ମଧ୍ୟ ହାର ମାନିଲା । ସେ ପାବଚ୍ଛଗୁଡ଼ିକୁ ଅତିକ୍ରମ କରି ପ୍ରଥମ ମହଲାରେ ଉପସ୍ଥିତ ହୋଇ ଦେଖିଲେ ବିସ୍ତୀର୍ଣ୍ଣ ବାରଣ୍ଡା । ବାରଣ୍ଡାର ଉଭୟପାର୍ଶ୍ୱରେ ଅଟ୍ଟାଳିକାଗୁଡ଼ିକ ଦଣ୍ଡାୟମାନ । ଥରେ ଚତୁର୍ଦ୍ଦିଗ ନିରୀକ୍ଷଣ କରି ଅତି ସନ୍ତର୍ପଣରେ ଲଘୁ ପଦକ୍ଷେପରେ ଉପର ମହଲାର ସିଡ଼ି ନିକଟରେ ଉପସ୍ଥିତ ହେଲେ । ସିଡ଼ିର ସମ୍ମୁଖ ଗୃହ ମଧ୍ୟରେ ସେ ଦେଖିବାକୁ ପାଇଲେ ସୁରେଶ ବର୍ଣ୍ଣିତ କ୍ଷୁଦ୍ର ଗୃହଟିକୁ । ସେ ଗୃହଟି ଉନ୍ମୁକ୍ତ ଥିଲା । ଟର୍ଚ୍ଚ ଆଲୋକରେ ଦେଖିଲେ ଗୃହର ଠିକ୍ ମଧ୍ୟ ଭାଗରେ ଗୋଟାଏ କଙ୍କାଳ ଦଣ୍ଡାୟମାନ ହୋଇ କାହାକୁ ହସ୍ତଦ୍ୱାରା ପ୍ରବର୍ତ୍ତାଉଛି ।

 

ନଗେନ୍ ବାବୁ ସେ ଦରଜାର ସମ୍ମୁଖରେ ଉପସ୍ଥିତ ହେବା ମାତ୍ରେ ତାଙ୍କର ଆନନ୍ଦୋତ୍ସାହ ଶତ ଗୁଣ ବର୍ଦ୍ଧିତ ହେଲା । କଙ୍କାଳଟି ସେ ପର୍ଯ୍ୟନ୍ତ ହାତ ଠାରୁଥାଏ ଏବଂ ବର୍ତ୍ତମାନ ମୁଣ୍ଡ ହଲାଇ ଠାରିବାରେ ଲାଗିଲା । ଆଉ ମଝିରେ ମଝିରେ କହିବାକୁ ଲାଗିଲା–ଆସ, ଆସ, ମୁଁ ତୁମରି ପାଇଁ ଠିଆ ହୋଇଛି ।

 

ନଗେନ୍ ବାବୁ ସ୍ଥିର ଭାବେ ଚିନ୍ତା କରିବାକୁ ଲାଗିଲେ ବର୍ତ୍ତମାନ ତାଙ୍କର କର୍ତ୍ତବ୍ୟ କ’ଣ-? ‘‘ପ୍ରବର୍ତ୍ତନା ଓ ବକ୍ତୃତା’’ ଏହି ଦୁଇଟି ମାତ୍ର ବିଷୟ । ଏହାର ମସ୍ତକରେ ବୋଧହୁଏ ଅଛି ଇଲେକ୍‍ଟ୍ରିକ୍ ଯନ୍ତ୍ରର କାରିଗରୀ । କେବଳ ସଇତାନିର ନିରାପଦ ପାଇଁ ଏହା ଏକ ଫନ୍ଦା ।

 

ନଗେନ୍ ବାବୁ ଇତିପୂର୍ବେ ଏହିପରି ଧରଣର ଗୋଟିଏ କଙ୍କାଳ ସମସ୍ୟାରେ ମହାବିପଦର ସମ୍ମୁଖୀନ ହୋଇଥିଲେ । ତେଣୁ ସେ ବାହାରକୁ ଆସି ମନେ ମନେ ଚିନ୍ତା କଲେ–କିପରି କଙ୍କାଳ ଅଙ୍ଗଚାଳନାରେ ବ୍ୟସ୍ତ ! ଏକମାତ୍ର ଇଲେକ୍‍ଟ୍ରିକ୍ ସାହାଯ୍ୟରେ ହିଁ ଏହା ସମ୍ଭବ ହୋଇପାରେ ଏବଂ ତା’ର ମସ୍ତକର ପଶ୍ଚାତ୍ ଭାଗରେ ଲାଉଡ଼ସ୍ପିକର କିମ୍ୱା ତଦନୁରୂପ କୌଣସି ଯନ୍ତ୍ର ଫିଟ୍ ହୋଇଛି । ବର୍ତ୍ତମାନ ଯଦି ଏହି କଙ୍କାଳର ସମସ୍ତ ଅବୟବରେ ଇଲେକ୍‍ଟ୍ରିକ ଚାର୍ଜ ହୋଇଥାଏ, ତାହାହେଲେ ତାକୁ ସ୍ପର୍ଶ କରିବା ମାତ୍ରେ ମୃତ୍ୟୁ ଅବଶ୍ୟମ୍ଭାବୀ । ଯାହାହେଉନା କାହିଁକି ମନୁଷ୍ୟର ଉପସ୍ଥିତ ସମୟରେ କଙ୍କାଳ ମଥା ହଲାଇବାର କୌଣସି ପ୍ରୟୋଜନ ନାହିଁ ।

 

ଏହିପରି ଚିନ୍ତା କରି ନଗେନ୍ ବାବୁ ମନେ ମନେ ସ୍ଥିର କଲେ ଯେ, ଯେତେଦୂର ସମ୍ଭବ କୋଠାଘରେ ଇଲେକ୍‍ଟ୍ରିଫିକେସନର ପ୍ରଧାନ ଅସ୍ତ୍ର ଡାଇନାମାର ଅସ୍ତିତ୍ୱ । କେଉଁଠାରେ ସେ ଅଛି ତାଙ୍କର ଜାଣିବା ପ୍ରୟୋଜନ । ତେବେ ସେ କାର୍ଯ୍ୟ ପରେ ହେଲେ ବି ଚଳିବ ।

 

କୋଠାଗୁଡ଼ିକୁ ତନ୍ନ ତନ୍ନ କରି ପରୀକ୍ଷା କରି ସେ ପୂର୍ବପରି ସନ୍ତର୍ପଣରେ ନିଃଶବ୍ଦ ପଦସଞ୍ଚାରରେ ନିଶୁଣି ଦ୍ୱାରା ଉପରକୁ ଉଠିଲେ । ନିଶୁଣି ପାର ହେଲେ ପ୍ରଶସ୍ତ ବାରଣ୍ଡା–ବାରଣ୍ଡାର ଏକ ପାର୍ଶ୍ୱରେ ଲଗାଲଗି ଦୁଇଟି ଗୃହ । ଝରକା ନିକଟକୁ ଯାଇ ନଗେନ୍ ବାବୁ ଦେଖିଲେ ଗୃହଟି ଆଲୋକରେ ପୂର୍ଣ୍ଣ ଏବଂ ମୃଦୁ ସ୍ୱରରେ କେହି କାହା ସମ୍ୱନ୍ଧରେ କଥାବାର୍ତ୍ତା ହେଉଥିବାର ତାଙ୍କର କର୍ଣ୍ଣଗୋଚର ହେଲା । ତା’ ମଧ୍ୟରେ ନାରୀକଣ୍ଠର ସ୍ୱର ତାଙ୍କ କର୍ଣ୍ଣ ସ୍ପର୍ଶ କରିବା ମାତ୍ରେ ତାଙ୍କର ଉତ୍ସାହ ପ୍ରବଳ ବେଗରେ ବର୍ଦ୍ଧିତ ହେବାକୁ ଲାଗିଲା । ସେ ଉତ୍କର୍ଣ୍ଣ ହୋଇ ସେମାନଙ୍କର ପରିକଳ୍ପନା ଶ୍ରବଣ ନିମିତ୍ତ ଚେଷ୍ଟା କଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ, ଦୁଇଚାରି ପଦ ବାକ୍ୟ ତାଙ୍କ କର୍ଣ୍ଣ ଗହ୍ୱରକୁ ଆନ୍ଦୋଳିତ କରିଦେଲା । ତନ୍ମଧ୍ୟରୁ ଘଟଣାଟି ଅବଧାରଣା କରିବାକୁ ନଗେନ୍ ବାବୁଙ୍କର ବିଳମ୍ୱ ହେଲା ନାହିଁ । ସେ ଜାଣିପାରିଲେ ଯେ ସେମାନେ କେଉଁ ଅଭାଗାକୁ ନିଷ୍ଠୁର ଭାବେ ହତ୍ୟା କରିବା ନିମିତ୍ତ ଆୟୋଜନ କରିଥିଲେ, କିନ୍ତୁ ତାହା ଶେଷ ହୋଇଛି ଏବଂ କେଉଁଠାରେ ସେ ଅବରୁଦ୍ଧ ?

 

ଚିତ୍ର ପ୍ରତିମା ପ୍ରାୟ ସୁରେଶର ଚିତ୍ରଟି ତାଙ୍କ ଆଖି ଆଗରେ ଝଲସି ଗଲା ଏବଂ ତା’ର ଅନ୍ତର୍ଦ୍ଧାନ ବିଷୟ ନଗେନ୍ ବାବୁଙ୍କ ମାନସପଟରେ ସ୍ଥାନ ପାଇଲା । ସେହି ମଟରଚାଳକସମ ତାକୁ ବୋଧହୁଏ ନୃଶଂସ ଭାବେ ହତ୍ୟା କରିଛନ୍ତି ! ତେବେ ଏ ନୃଶଂସତାର ଅବତାରଣା କାହିଁକି ? ଯାହାହେଉ ସେହି ହତଭାଗାର ଅନୁସନ୍ଧାନ କରିବାକୁ ହେବ । ହଠାତ୍ ନଗେନ୍ ବାବୁଙ୍କ କର୍ଣ୍ଣ ସ୍ପର୍ଶକଲା ନାରୀର କଣ୍ଠସ୍ୱର । ସେ ମନଧ୍ୟାନ ଏକତ୍ର କରି ଶୁଣିପାରିଲେ ଯେ ନାରୀ କହୁଛି–ସେ ନୂତନ ବ୍ୟକ୍ତିଟି କେଉଁଠି ?

 

ଅନ୍ୟ ବ୍ୟକ୍ତି ଉତ୍ତର ଦେଲା–ଅନ୍ୟ ଗୃହରେ ।

 

ତା’ହେଲେ ତାହାର ସେହିଠାରେ ଶୟନ ବ୍ୟବସ୍ଥା ହୋଇଛି ?

 

ହଁ, ଶେଷ ହୋଇଛି ।

 

ଦୁଇଟି ନଳ ଚାହେଁ–ଖଟିଆ ଦୁଇଟି ଲଗାଲଗି ହୋଇ ରହିବ ।

 

ବେଶ୍ ।

 

ଦେହର କାମିଜଟାକୁ ଟେକି ଦେବାକୁ ହେବ ।

 

ତା’ ପର୍ ।

 

ଆଉ ତୁ କଳ ମୁଖରେ ବକ୍‍କଳ ଦେଇଦେବୁ ।

 

ବେଶ୍ ।

 

ବୁନ୍ଦା ବୁନ୍ଦା ପଡ଼ିବାକୁ ଲାଗିବ ବକ୍‍କଳ ରସ ତା’ର ଉନ୍ମୁକ୍ତ ବକ୍ଷ ଉପରେ–ବୁଝିବେ ସେମାନେ କେତେ ଯନ୍ତ୍ରଣା–ମନେ ପଡ଼ିବ ଆମ୍ଭମାନଙ୍କ ପଶ୍ଚାଧାବନର ଫଳ କେଡ଼େ ଭୟାନକ ! ହଁ ତାଙ୍କୁ କେଉଁଠାରେ ରଖିଛ ?

 

ଏକ ନମ୍ୱରରେ ।

 

ସେହିଠାରେ ହିଁ କାର୍ଯ୍ୟ ଆରମ୍ଭ କରିଦେବା ।

 

ସେଠାକୁ ତା’ହେଲେ ମେସିନ୍‍କୁ ନେଇ ଯିବାକୁ ହେବ–ବର୍ତ୍ତମାନ ତ ମୁଁ ଏକୁଟିଆ–କିପରି ନେବି ?

 

ଆଚ୍ଛା ତୁ ଏକୁଟିଆ ସେମାନଙ୍କୁ ଆଣିପାରିବୁ ?

 

ସେମାନେ ତ ମେସିନ୍ ନୁହଁନ୍ତି–ମନୁଷ୍ୟ ।

 

ଆମର ମାହେନ୍ଦ୍ରଯୋଗ ଅଛି ରାତ୍ରି ଦଶଟାରେ । ଠିକ୍ ସେହି ସମୟରେ ତାଙ୍କୁ ଆଣିବାକୁ ହେବ ।

 

ବେଶ୍ ।

 

କାଲି ସକାଳେ ଯିବାକୁ ହେବ କଲିକତା ।

 

ସକାଳ କେତେଟାରେ ?

 

ପାଞ୍ଚଟାରେ ଗାଡ଼ି ଆସିବ । କିନ୍ତୁ ଦୁଃଖର ବିଷୟ, ନଗେନ୍‍କୁ ଏ ପର୍ଯ୍ୟନ୍ତ ହାତରେ ପାଇଲ ନାହିଁ ।

 

ଗାଡ଼ିଟା ଚିହ୍ନା ହୋଇଯାଇଛି, କିନ୍ତୁ–

 

କିନ୍ତୁ କ’ଣ ? ଘୋଡ଼ାଗାଡ଼ିରେ ଯିବା ।

 

ଆପଣଙ୍କ ଇଚ୍ଛା ।

 

କଲିକତାରେ ଦୁଇଦିନ କାର୍ଯ୍ୟ ଅଛି । ଇତ୍ୟବସରରେ ନଗେନ୍‍କୁ ଧରି ପାରିବ ନାହିଁ ?

 

–ନିଶ୍ଚୟ ।

 

ତା’ପରେ ଭାବିଛି, କିଛି ଦିନ ଯିବାକୁ ହେବ ଦାର୍ଜିଲିଂ । ଦାର୍ଜିଲିଂ ! କାହିଁକି ?

 

ମୁଖ ଗଠନର ପରିବର୍ତ୍ତନ ପାଇଁ–ଆଉ କ’ଣ ?

 

–ମାନେ ନୂତନ ବିକାଶ ।

 

ତୋର ବୁଦ୍ଧି ଅଛି ଦେଖୁଛି–ଠିକ୍ ଧରିଛୁ ।

 

ସାବିତ୍ରୀ ପରି ବର ବାଛିବାକୁ ନୁହେଁ ତ ?

 

ତୁମେମାନେ ମୋ ପାଖରେ ଏତେ ଦିନ ଚଳି ଆସିଛ–ମୋର ସେ ଆଭାସ କେବେ ପାଇଛ ?

 

ତାହା ମୁଁ ଜାଣେ–କର୍ତ୍ତାଙ୍କର ଏ ଦିଗରେ ମତିଗତି ନାହିଁ–ମୁଁ ଭାବି ଦେଖିଛି ।

 

ତା’ ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନି । ଆଚ୍ଛା, କେତେଟା ବାଜିଲାଣି ?

 

ଆଠଟା ।

 

ଆଉ ଦୁଇଘଣ୍ଟା ମାତ୍ର ।

 

ଆଦେଶ ପାଇଲେ ତ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିବି ।

 

ନା–ନା, ସମୟ ଅଛି, ବର୍ତ୍ତମାନ ଶୁଭାରମ୍ଭ କରିବା ଉଚିତ ନୁହେଁ ।

 

ତା’ହେଲେ ମୁଁ ଦେଖି ଆସେ ସଂଗୀମାନଙ୍କର ଗତିବିଧି ।

 

ମୁଁ ତୋ ସହିତ ଯିବି । ମୁଁ ମଧ୍ୟ ତାଙ୍କ ସହିତ ଟିକିଏ ମିଷ୍ଟାଳାପ କରିବାକୁ ଚାହେଁ ।

 

ଘରୁ ବାହାରି ଆସିଲେ ଦୁଇ ଜଣ–ଜଣେ ସ୍ତ୍ରୀ ଲୋକ–ଜଣେ ପୁରୁଷ । ନଗେନ୍ ବାବୁ ଅତି ସନ୍ତର୍ପଣରେ ତଳକୁ ଖସି ଆସିଲେ । ପରକ୍ଷଣରେ ସେମାନେ ବାହାରକୁ ଚାଲିଲେ ।

 

-ଆଠ-

 

ଧନଞ୍ଜୟ ବାବୁ କୌଣସି ଉଦ୍ଦେଶ୍ୟରେ ବୀରେଶ୍ୱର ବାବୁଙ୍କ ଗୃହରେ ଉପସ୍ଥିତ ହୋଇ ଚାକରକୁ ଡାକି ସମୀର ବାବୁଙ୍କ ସମ୍ବନ୍ଧେ ପଚାରିବାରୁ ଚାକର ଉତ୍ତର ଦେଲା ସେ ବହୁଦିନୁ ଏଠାକୁ ଆସି ନାହାନ୍ତି । ଚାକର ଠାରୁ ଆଶାନୁରୂପ ଉତ୍ତର ନ ପାଇବାରୁ କିଛି କ୍ଷଣ ପାଇଁ ତାଙ୍କ ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ । ତା’ପରେ ସେ ଚାକରକୁ କହିଲେ–‘‘ଆଚ୍ଛା, ବୀରେଶ୍ୱର ବାବୁଙ୍କ ସ୍ତ୍ରୀ ଅଛନ୍ତି ନା ?’’ ଚାକର ଉତ୍ତର ଦେଲା ‘‘ଆଜ୍ଞା ହଁ ।’’ ଏହି ପଦକ କଥାରେ ଧନଞ୍ଜୟ ବାବୁଙ୍କର ଆଶା କାନନରେ ନୂତନ ପତ୍ର ପଲ୍ଲବିତ ହେଲାପରି ତାଙ୍କ ଚକ୍ଷୁ ଦୁଇଟିରୁ ପ୍ରତୀୟମାନ ହେଉଥିଲା । ସେ ଉଦବେଗ କଣ୍ଠରେ କହିଲେ–ତାଙ୍କୁ ପଚାରି ଆସ, ମୋ ସହିତ ଦୁଇ ଚାରି ପଦ କଥାବାର୍ତ୍ତା ହେବାକୁ ରାଜି କି ନା ? ମୁଁ ତାଙ୍କୁ ଯାହା ପ୍ରଶ୍ନ କରିବି ସେ ସମସ୍ତ ତାଙ୍କର ମଙ୍ଗଳ ପାଇଁ-। ମୁଁ ପୁଲିସ୍ ଇନ୍‍ସପେକ୍ଟର ହେଲେ ମଧ୍ୟ ଜାଣେ ଯେ ମାନ୍ୟ ବ୍ୟକ୍ତିର ମାନ କିପରି ରଖିବାକୁ ହୁଏ-

 

ଚାକରଟି ଧନଞ୍ଜୟ ବାବୁଙ୍କର କଥାଗୁଡ଼ିକ ବୀରେଶ୍ୱର ବାବୁଙ୍କ ସ୍ତ୍ରୀଙ୍କୁ ଜଣାଇବାରୁ ସେ ବିନା ଆପତ୍ତିରେ ଦରଜା ପାଖରେ ଆସି ଉପସ୍ଥିତ ହେଲେ । ଭୃତ୍ୟ ଆସି ସମ୍ୱାଦ ଦେବାମାତ୍ରେ ଧନଞ୍ଜୟ ବାବୁ କହିଲେ–ଦେଖନ୍ତୁ, ବୀରେଶ୍ୱର ବାବୁ ମୋ ବାବାଙ୍କର ବନ୍ଧୁ ଥିଲେ । ତେଣୁ ଆପଣ ମୋର ମାତୃସ୍ଥାନୀୟା । ମୋ ନିକଟରେ ଆପଣ ସଙ୍କୋଚ କିମ୍ୱା ଲଜ୍ଜା ବୋଧ କରିବେ ନାହିଁ ।

 

ନା ବାବା, ସନ୍ତାନ ନିଟକରେ ମା’ର ଲଜ୍ଜା କ’ଣ ? ତୁମର ଯାହା କିଛି ପଚାରିବାର ଅଛି ମୋତେ ପଚାର । ମୁଁ ଯେତେ ଦୂର ଜାଣେ ଗୋପନ ନ କରି ସମସ୍ତ କଥା କହିବି ।

 

ଆଚ୍ଛା ସମୀର ରାୟ ବୀରେଶ୍ୱର ବାବୁଙ୍କର ଭ୍ରାତୃଷ୍ପୁତ୍ର ?’’

 

ହଁ ।

 

ସମୀର ସଙ୍ଗେ ବୀରେଶ୍ୱର ବାବୁଙ୍କର କୌଣସି ବିଷୟରେ ମନାନ୍ତର ହୋଇଛି ?

 

ସମୀର ତାଙ୍କର ଏକମାତ୍ର ପୁତୁରା–ମୋର ପୁଅ ଝିଅ କିଛି ନାହିଁ । ମୁଁ ତାକୁ ନିଜ ସନ୍ତାନ ପରି ଦେଖେ । ସେ ମଧ୍ୟ ଶୈଶବ କାଳରୁ ମୋତେ ମା’ ବୋଲି ଡାକି ଆସିଛି । ସେ ବର୍ତ୍ତମାନ ସୁଶିକ୍ଷା ଲାଭ କରି ଉପଯୁକ୍ତ ହୋଇଛି । ତେଣୁ ତାକୁ ଜମିଦାରୀର ସମସ୍ତ ଭାର ଦେଇ ଆମେ ନିଶ୍ଚିନ୍ତ ହୋଇଥିଲୁ । ସମୀର ଆହୁରି ମଧ୍ୟ ଗୋଟିଏ ଫିସେରି ଖୋଲିଛି । ମାଛଚାଷ ସମ୍ୱନ୍ଧେ ସେ ଉପଯୁକ୍ତ ଶିକ୍ଷା ଲାଭ କରିଛି । ଅନେକ ଦିନ ଆଗେ ସେ କଲିକତାକୁ ଆସିଥିଲା ଏବଂ କହୁଥିଲା ଏହି ସମୟରୁ ଜମିଦାରୀ ଓ ଫିସେରି କାର୍ଯ୍ୟରେ ଭଲ କରି ଦୃଷ୍ଟି ନ ଦେଲେ ଉଭୟ ଦିଗରେ କ୍ଷତି ହୋଇପାରେ । ତେଣୁ ଏତେବେଳେ କଲିକତାରେ ରହି ଅଯଥା ସମୟ ନଷ୍ଟ କରିବା ଉଚିତ ନୁହେଁ-। ଏହି ହେତୁରୁ ମୋଠାରୁ ଅନୁମତି ନେଇ ପ୍ରସାଦପୁରରେ ଅଛି ବୋଲି ମୁଁ ନିଶ୍ଚିନ୍ତରେ ଥିଲି-। ସେଦିନ ମୁଁ ଶୁଣିଲି ଯେ ସେ କଲିକତାକୁ ଆସିଥିଲା ଅଥଚ ମୋ ସଙ୍ଗେ ଦେଖା କଲା ନାହିଁ-। ଥାନାରୁ ତାଙ୍କର ମୃତଦେହ ନେଇଗଲା । ତା’ ନିକଟରେ ମୁଁ ଏତେଦିନ ରଖି ଏପରି ବ୍ୟବହାର କୌଣସି ଦିନ ଦେଖି ନାହିଁ ବାବା ! ମୁଁ କିଛି ବୁଝିପାରୁନି ବାବା–କିପରି ଏହା ହେଲା ?

 

ମୁଁ ମଧ୍ୟ ଏହିପରି ଗୋଟାଏ ଗୋଲକଧନ୍ଦାରେ ପଡ଼ି ଆପଣଙ୍କ ନିକଟକୁ ଆସିଛି । ସେଦିନ ଜଣେ ସୁନ୍ଦରକାନ୍ତି ଯୁବକ ଆସି କହିଲେ ମୋର ନାମ ସମୀର ରାୟ–ମୁଁ ବୀରେଶ୍ୱର ବାବୁଙ୍କର ଭ୍ରାତୃଷ୍ପୁତ୍ର । ମୁଁ ତାଙ୍କ ଜମିଦାରୀରେ ରହେ । ସମ୍ପ୍ରତି ଗୋଟାଏ ଜରୁରୀ କାର୍ଯ୍ୟ ନିମିତ୍ତ କଲିକତାରେ ଥିବା ବନ୍ଧୁଙ୍କ ନିକଟକୁ ଆସି ଶୁଣିଲି ଯେ ଦାଦାଙ୍କୁ କିଏ ଖୁନ୍ କରିଛି । ଘରକୁ ଯାଇ ଦେଖିଲି ଖୁଡ଼ୀ ପାଗଳ ହୋଇ ଯାଇଛନ୍ତି ଇତ୍ୟାଦି ଇତ୍ୟାଦି–

 

ମିଥ୍ୟା କଥା–ସେ କେବେହେଲେ ମୋତେ ମା’ଛଡ଼ା ଖୁଡ଼ୀ ଡାକେ ନା ।

 

ତା’ କଥାରେ ବିଶ୍ୱାସ କରିବା ହିଁ ମୋର ଭୁଲ ହୋଇଛି ।

 

ତା’ହେଲେ ତାଙ୍କର ମୃତଦେହ ସତ୍କାର ଏପର୍ଯ୍ୟନ୍ତ ହୋଇନି ? ଓଃ ଏହା ତାଙ୍କର ଭାଗ୍ୟରେ ଥିଲା ?

 

ଆପଣ ଦୁଃଖ କରନ୍ତୁ ନାହିଁ, ସବୁ ହିଁ ଭଗବାନଙ୍କର ଇଚ୍ଛା ! ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ । କଥାଟା ଖୁବ୍ ଠିକ୍–ଏତେ ବଡ଼ ଅନର୍ଥର ମୂଳରେ ଯେ ତାଙ୍କର କରୁଣା କଲ୍ୟାଣ ନିହିତ ଅଛି ସେଥିରେ ସନ୍ଦେହ ନାହିଁ ମା’ ! ଅସଲ ଘଟଣା ମୁଁ ବର୍ତ୍ତମାନ ବୁଝି ପାରିଛି । ବର୍ତ୍ତମାନ ସେ ଶତଚେଷ୍ଟା କରିଲେ ମଧ୍ୟ କୌଣସି ଅନିଷ୍ଟ କରିପାରିବ ନାହିଁ । ଆଉ ଯାହା କରି ଶାନ୍ତି ଦେବାକୁ ହେବ ସରକାର ସେଥିପାଇଁ ପ୍ରସ୍ତୁତ ହୋଇଛନ୍ତି । କେବଳ ତାକୁ କରାୟତ୍ତ କରିବା ନିମିତ୍ତ ସମୟ ଦରକାର । ହଁ, ଆଉ ଗୋଟିଏ କଥା ମୁଁ ଜାଣିବାକୁ ଚାହେ ମା ?

 

କୁହ ବାବା କ’ଣ ଚାହ ?

 

ମୁଁ ଶୁଣିଛି–ବୀରେଶ୍ୱର ବାବୁ କ’ଣ ଗୋଟିଏ ବେଶ୍ୟା ଘରକୁ ଯାତାୟାତ କରନ୍ତି ?

 

–ହଁ, ବହୁବଜାରରେ ଗୋଟିଏ ବେଶ୍ୟା ଘରକୁ ତାଙ୍କର ଯାତାୟାତ ଥିଲା, କିନ୍ତୁ ତାହା କୌଣସି ମନ୍ଦ ଅଭିପ୍ରାୟରେ ନୁହେଁ । କାରଣ ସେ ସ୍ତ୍ରୀଲୋକଟି ତାଙ୍କର କନ୍ୟାସ୍ଥାନୀୟା । ଦୈବ ଦୁର୍ବିପାକରେ ସେ ଅଭାଗିନୀ ଆଜି ବେଶ୍ୟା ।

 

ଆପଣଙ୍କ କଥା ବୁଝିପାରୁଛି ମା ! କିନ୍ତୁ କନ୍ୟାସ୍ଥାନୀୟା ସେ ହେଲା କିପରି ?

 

ସେ ଅନେକ ଦିନର କଥା–ସ୍ତ୍ରୀ ଲୋକଟି ଥିଲା ଆମର ପ୍ରତିବେଶୀ ଏବଂ ଆମର ଗୋଟିଏ ମହାଲର ଗୁମାସ୍ତାର କନ୍ୟା । ଦୁଷ୍ଟ ଲୋକମାନେ ଚୋରିକରି ନେଇ ତାକୁ ଗୋଟିଏ ଗଣିକାକୁ ବିକ୍ରି କରି ଦେଲେ । ସେହିଠାରେ ରହି ସେ ହେଲା ଗଣିକା । ତା’ପରେ ଆମେ ସମସ୍ତେ ଉକ୍ତ ଘଟଣା ଜାଣି ପାରିଲୁ ! କିନ୍ତୁ ଅଭାଗିନୀ ଯାହା ହରାଇଲା ତାହା ଆଉ ଫେରି ଆସିଲା ନାହିଁ । ସେହିଠାରେ ରହି ସ୍ତ୍ରୀଲୋକଟି ଆମ ପାଖକୁ ଯାତାୟାତ କରେ । ବିଶେଷ ଦରକାରରେ ସେ ଯେତେବେଳେ ଆସି ନ ପାରେ ସେତେବେଳେ ତାଙ୍କୁ ଡକାଇ ପଠାଏ ।

 

ବୋଧହୁଏ ବୀରେଶ୍ୱର ବାବୁଙ୍କର ଆକସ୍ମିତ ମୃତ୍ୟୁ ଖବର ଆଜି ପର୍ଯ୍ୟନ୍ତ ସେ ଶୁଣି ନ ଥିବ । ଜାଣିଥିଲେ ନିଶ୍ଚୟ ସେ ଏଠାକୁ ଛୁଟି ଆସିଥା’ନ୍ତା । ଆଚ୍ଚା, ବୀରେଶ୍ୱର ବାବୁଙ୍କର ପାନାଭ୍ୟାସ ଥିଲା କି ?

 

ଅତିରିକ୍ତ ପରିଶ୍ରମରେ ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟ ହାନି ହୁଏ–ସେତେବେଳେ ଡାକ୍ତର ପରାମର୍ଶରେ ରାତିରେ ଟିକିଏ ଟିକିଏ ପିଅନ୍ତି ।

 

ମୋର ଗୋଟିଏ ଗୁରୁବୋଧ ହାଲ୍‍କା କରିଦେଲେ ମା’ !

 

ବୋଧହୁଏ ଏହି ସଇତାନୀର କାର୍ଯ୍ୟ !

 

ମୁଁ ବୁଝିପାରୁ ନି ମା’, କି ଉଦ୍ଦେଶ୍ୟରେ ସେଇ ସଇତାନୀ ହତ୍ୟାର ଏହି ତାଣ୍ଡବଲୀଳା ଖେଳାଇଛି । ଆମର ଖ୍ୟାତନାମା ଡିଟେକ୍‍ଟିଭ୍ ନଗେନ୍‍ ବାବୁ ଯେତେବେଳେ ଏ ରହସ୍ୟ ଭେଦ କରିବାର ଭାର ନିଜ ହାତକୁ ନେଇଛନ୍ତି ନିଶ୍ଚୟ ସେ ସଇତାନୀକୁ ଦମନ କରିବେ । ଆପଣ ଭୟ କରନ୍ତୁ ନାହିଁ । ମୁଁ ବର୍ତ୍ତମାନ ଚାଲିଲି ସେହି ଗଣିକା ଗୃହକୁ ଏବଂ ତା’ର ମତିଗତି ପରୀକ୍ଷା କରିବା ନିମିତ୍ତ–ବିଦାୟ–ଥାଅ ମା’ ।

 

ବୀରେଶ୍ୱର ବାବୁଙ୍କ ସ୍ତ୍ରୀଙ୍କଠାରୁ ବିଦାୟ ନେଇ ଧନଞ୍ଜୟ ବାବୁ ପୂର୍ବୋକ୍ତ ବେଶ୍ୟାଗୃହରେ ଉପସ୍ଥିତ ହୋଇ ଯେଉଁ ତଥ୍ୟଗୁଡ଼ିକ ସଂଗ୍ରହ କଲେ ତାହା ବୀରେଶ୍ୱର ବାବୁଙ୍କ ସ୍ତ୍ରୀଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ କଲା । ଅନନ୍ତର ସେ ବୀରେଶ୍ୱର ବାବୁଙ୍କର ଆକସ୍ମିକ ମୃତ୍ୟୁର ତଥ୍ୟ ଜାଣିବା ନିମିତ୍ତ ପ୍ରଶ୍ନ କଲେ–ବୀରେଶ୍ୱର ବାବୁଙ୍କର ଯେଉଁ ଦିନ ଖୁନ୍ ହେଲା ତା’ର ପୂର୍ବ ଦିନ କ’ଣ ସେ ତୁମ ଘରକୁ ଆସିଥିଲେ ?

 

ହଁ, ଆସିଥିଲେ, କିନ୍ତୁ ଘଣ୍ଟାକ ପରେ ସେ ଚାଲି ଯାଇଥିଲେ ।

 

ଚାଲିଯିବାର କ’ଣ କିଛି କାରଣ ଥିଲା ?

 

ମୁଁ ବାଧା ଦେଇଥିଲେ ସେ ରହି ପାରିଥା’ନ୍ତେ ; କିନ୍ତୁ କିଛି ଦିନ ଆଗେ ଜଣେ ବଡ଼ଲୋକର ପୁଅ ଆସି ମୋତେ କହିଯାଇଥିଲେ ଯେ ବର୍ତ୍ତମାନ ତାଙ୍କର ବିଶେଷ କାର୍ଯ୍ୟ ଅଛି, ତେଣୁ ତାଙ୍କୁ କେବେହେଲେ ଅଟକାଇବ ନାହିଁ ।

 

ସେ ଲୋକର ନାମ କ’ଣ ଜାଣିଛ ?

 

ସେ ନିଜକୁ ପରିଚୟ ଦେଇଥିଲେ ଯେ ପ୍ରସାଦପୁର ଜମିଦାର । ନାମ କହିଥିଲେ ଗୋପୀନାଥ । ମୁଁ ତାଙ୍କୁ ପଚାରିଥିଲି ପ୍ରସାଦପୁର ଜମିଦାର ତ ବୀରେଶ୍ୱର ବାବୁ ? ସେ ଉତ୍ତର ଦେଲେ ଏ ପ୍ରସାଦପୁର ବୀରଭୂମ୍ ଜିଲ୍ଲାରେ । ତା’ପରେ ସେ କେବେ କେବେ ନିଜ ଗାଡ଼ିରେ ବୀରେଶ୍ୱର ବାବୁଙ୍କୁ ଏଠାକୁ ଆଣି ନେଇ ଯାଆନ୍ତି । କେବେ କେବେ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କୁ ଗାଡ଼ିରେ ଆଖି ପହଞ୍ଚାଇ ଚାଲି ଯାଆନ୍ତି । ଅବଶ୍ୟ ତାଙ୍କର ସ୍ତ୍ରୀ ମୋ ଘରକୁ ଆସିନାହାନ୍ତି, ତେବେ ମୁଁ ତାଙ୍କୁ ଦେଖିଛି ସେ ପରମାସୁନ୍ଦରୀ ।

 

ଯେଉଁଦିନ ବୀରେଶ୍ୱର ବାବୁଙ୍କର ଖୁନ୍ ହେଲା ସେଦିନ କ’ଣ ସେହି ଭଦ୍ରଲୋକଙ୍କର ସ୍ତ୍ରୀ ତାଙ୍କୁ ନେଇ ଆସିଥିଲେ ?

 

ହଁ । ଦିନ ଦଶଟାରେ । ସଙ୍ଗରେ ଥିଲା ଚାକର । ଏପରି ବୀଭତ୍ସ ମୂର୍ତ୍ତିର ଲୋକ କେବେ ମୁଁ ଦେଖିନି । ସ୍ତ୍ରୀ ଲୋକଟିର ସବୁ ଗୁଣ ଅଛି–ସେ ନିଜେ ହିଁ ଗାଡ଼ିଚାଳିକା ।

 

କେତେବେଳେ ତାଙ୍କୁ ନେଇଥିଲେ ?

 

ଦିନ ଦଶଟା ପରେ ।

 

ସେ କ’ଣ କରିଛି ଜାଣ ?

 

କ’ଣ ?

 

ସେହି ସ୍ତ୍ରୀଲୋକର ହୁକୁମରେ ସେ ଚାକର ବୀରେଶ୍ୱର ବାବୁଙ୍କୁ ଖୁନ୍ କରିଛି–

 

ତା’ପରେ !

 

ତା’ପରେ ସେ ମୃତ ଦେହଟା ଫୁଟ୍‍ପାଥରେ ଫିଙ୍ଗିଦେଇଛି ।

 

ଆପଣ କିପରି ଜାଣିଲେ ?

 

ସେ ମୃତ ଦେହଟା ରଖିଥିଲା ନଗେନ୍ ବାବୁଙ୍କ ଗୃହ ସମ୍ମୁଖ ଫୁଟ୍‍ପାଥରେ ।

 

ରଖିବା ସମୟରେ କିଏ ଦେଖିଥିଲା ?

 

ଦୁଇଦିନ ଅବିଶ୍ରାନ୍ତ ବୃଷ୍ଟିପରେ–ଜନଶୂନ୍ୟ ରାସ୍ତାରେ ସେ ରଖିଥିଲା । ତା’ପରେ ଆମେ ଦେଖିଲୁ ।

 

ସ୍ତ୍ରୀ ଲୋକ କ’ଣ ଏପରି ସଇତାନୀ ହୁଅନ୍ତି !

 

ସ୍ତ୍ରୀ ଲୋକ ହିଁ ଦେବୀ–ତା’ପରେ ସଇତାନୀ–ରାକ୍ଷସୀ ।

 

ତାକୁ କ’ଣ ଆପଣ ଧରିପାରି ନାହାନ୍ତି ?

 

ନିଶ୍ଚୟ ଧରାପଡ଼ିବ । ନଗେନ୍ ବାବୁଙ୍କ ଅକ୍ଳାନ୍ତ ପରିଶ୍ରମ କେବେହେଲେ ବୃଥା ହେବ ନାହିଁ ।

 

ଏତେ ବଡ଼ ଅତ୍ୟାଚାର, ଏତେ ବଡ଼ ଅନ୍ୟାୟ–କ’ଣ ଧର୍ମ ସହିବ ? ଈଶ୍ୱର କ’ଣ ନାହାନ୍ତି ?

 

ଈଶ୍ୱର ଅଛନ୍ତି–ପାପୀର ଶାସ୍ତି ଦେବେ–ଆଜି ନୁହେଁ–କାଲି । ମୁଁ ଯାଉଛି, ମୋ ହାତରେ ଅନେକ କାର୍ଯ୍ୟ ଅଛି ।

 

ଧନଞ୍ଜୟ ବାବୁ ପ୍ରସ୍ଥାନ କଲେ । ବେଶ୍ୟା ନିର୍ବାକ୍ ହୋଇ ତାଙ୍କର ଗନ୍ତବ୍ୟ ପଥକୁ ଚାହିଁ ରହିଥିଲା ।

 

-ନଅ-

 

ପୂର୍ବୋକ୍ତ କଦାକାର ଚେହେରାବାନ୍ ଲୋକ ଓ ରମଣୀର ଗମନ ପୂର୍ବରୁ ନଗେନ୍ ବାବୁ ଗୋଟିଏ ଘନ ଅନ୍ଧକାର ସ୍ଥାନରେ ନିଜକୁ ଲୁକ୍କାୟିତ କଲେ । ସେମାନେ ନିମ୍ନକୁ ଅବତରଣ କରି ପୂର୍ବୋକ୍ତ ପାବଚ୍ଛଗୁଡ଼ିକୁ ଅତିକ୍ରମ କରି ପୂର୍ବ ଦିଗକୁ ମୁହଁ କରି ଚାଲିଲେ । ତଳ ପ୍ରାସାଦର ସମ୍ମୁଖ ଗୃହଟି ଉନ୍ମୁକ୍ତ ଥିଲା ଏବଂ ଘୋଟକାଦିଙ୍କର ଅନ୍ତର୍ଦ୍ଧାନ ସଙ୍ଗେ ସଙ୍ଗେ ଗୃହଟି ଶୂନ୍ୟ ଥିଲା । ପ୍ରବେଶ ପଥର ସଂକୀର୍ଣ୍ଣ ରାସ୍ତାଟି ଘୋଟକଶାଳାର ପଶ୍ଚାତ୍ ଗୃହକୁ ଗତି କରିଛି । ଗୃହଟିର ସମ୍ମୁଖ ଭାଗ ଲୌହ ରେଲିଂ ଦ୍ୱାରା ବେଷ୍ଟିତ ହୋଇଛି । ଗୃହ ଶୂନ୍ୟ ରହିବାର ଉଦ୍ଦେଶ୍ୟ ଏକମାତ୍ର ଗୃହସ୍ୱାମୀ ଏବଂ ତାଙ୍କର ବିଶ୍ୱସ୍ତ ଅନୁଚର ଭିନ୍ନ ଅନ୍ୟ କୌଣସି ମନୁଷ୍ୟକୁ ଜଣା ନାହିଁ । ନଗେନ୍ ବାବୁ ପାବଚ୍ଛର ଅନ୍ତରାଳରେ ରହି ସେମାନଙ୍କର ଗତିବିଧି ଲକ୍ଷ୍ୟ କରୁଥିଲେ ।

 

ସେମାନେ ପୂର୍ବମୁଖ ହୋଇ ସେ ସଂକୀର୍ଣ୍ଣ ରାସ୍ତାଦେଇ ପୂର୍ବୋକ୍ତ ଗୃହରେ ପ୍ରବେଶ କଲେ । କଦାକାର ଲୋକଟି ଠିକ୍ ଗୃହର ମଧ୍ୟସ୍ଥଳରେ ରହି ଦୁଇ ହାତରେ ଏକ ଫୁଟ ଲମ୍ୱ ଏବଂ ଏକ ଫୁଟ ପରିଧି ବିଶିଷ୍ଟ ଗୋଟିଏ ହାମର୍‍କୁ ଟାଣିବାକୁ ଲାଗିଲା । ଦୀର୍ଘକାଳ ପେଚଦ୍ୱାରା ଅଣ୍ଟାହୋଇଥିବା ଲୌହ ପଦାର୍ଥକୁ ଖୋଲିବା ପାଇଁ ଯେପରି ପ୍ରବଳ ଶକ୍ତି ପ୍ରୟୋଜନ ହୁଏ, ସେହିପରି ଦୃଢ଼ଭାବେ ହାମର୍‍ଟିର ଚଟାଣ ସହିତ ସମ୍ୱନ୍ଧ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମନୁଷ୍ୟଟିର ଚେହେରା ଅନୁପାତରେ ମଧ୍ୟ ଶକ୍ତି ଥିଲା ଯଥେଷ୍ଟ । ବାରମ୍ୱାର ଟାଣିବା ଫଳରେ ସିନ୍ଦୁକର ଘୋଡ଼ଣୀ ପରି ଗୋଟିଏ ଘୋଡ଼ଣୀ ଖୋଲିଗଲା । ତତ୍‍ପରେ ସେମାନେ ଅବଲୀଳାକ୍ରମେ ବିଶାଳ ଗର୍ତ୍ତ ମଧ୍ୟକୁ ଚାଲିଲେ ।

 

ଚାରୋଟି ପ୍ରାସାଦ ପୃଥକ ପୃଥକ ଭାବେ ଗଠିତ । ପ୍ରଥମ ଗୃହ ଶବମାନଙ୍କ ଦୁର୍ଗନ୍ଧରେ ପରିପୂର୍ଣ୍ଣ । ଦ୍ୱିତୀୟ ଗୃହରେ ତ୍ରିଶୂଳଗୁଡ଼ିକ ଯଥା ସ୍ଥାନରେ ସଜ୍ଜିତ । ତୃତୀୟ ଗୃହରେ ହସ୍ତପଦଶୃଙ୍ଖଳିତ ସୁରେଶ ପଡ଼ିଛି । ଗୃହଟି ଆଲୋକିତ ହେବାମାତ୍ରେ ସୁରେଶ ଆଖି ଖୋଲି ଦେଖିଲା ଚୌକିସ୍ଥ ଜୟଶ୍ରୀକୁ ଏବଂ ଦ୍ୱାର ଦେଶରେ ଦଣ୍ଡାୟମାନ ବିଶାଳକାୟ ମନୁଷ୍ୟକୁ ।

 

ଇଲେକ୍‍ଟ୍ରିକ୍ ଆଲୋକରେ ଜୟଶ୍ରୀ ସୁରେଶର ମୁଖମଣ୍ଡଳ ଅବଲୋକନ କରି କହି ଉଠିଲା–କିଏ ସୁରେଶ !

 

ସୁରେଶ ନିର୍ଭୟରେ ଉତ୍ତର ଦେଲା–ଚମକି ଉଠିଲ କାହିଁକି ?

 

ଆଜି ତୁ ନିଜ ଭଗ୍ନି ହସ୍ତରେ ପ୍ରାଣ ହରାଇବାକୁ ଯାଉଛୁ ସୁରେଶ ?

 

ଭଉଣୀ ! କିଏ ? ତୁମେ ? କିପରି ?

 

ତୁ ଜାଣି ନାହଁ ସୁରେଶ । ତୁ ଥିଲୁ ସେତେବେଳେ ଦୁଇ ବର୍ଷର–ଭୀଷଣ ଦୁର୍ଭିକ୍ଷ କବଳରେ ମା’ ପଡ଼ିଲେ କାଳର କବଳରେ, ବାବା ମଧ୍ୟ ହେଲେ ପାଗଳ । ତୋତେ ଓ ବାବୁଙ୍କୁ ଧରି କଲିକତାକୁ ଚାଲିଆସିଲି । ଦଶଦିନ ଅନାହାରପରେ ତୋତେ ବିକ୍ରିକଲି ଗୋଟିଏ ଧନୀ ପରିବାରକୁ-। ସେଥିରେ କିଛି ଦିନ ଚଳିଗଲୁ । ତତ୍‍ପରେ ବାରମ୍ୱାର ଭିକ୍ଷା ମାଗି ଭରଣ ପୋଷଣ କରିବାରେ ଲାଗିଲୁ । ଗୋଟିଏ ଜମିଦାରର ପୁଅଝିଅ ଆଦୌ ନ ଥିଲା । ସେ ଆମ୍ଭଙ୍କୁ ଆଶ୍ରୟ ଦେଲେ-। ଏ ଆଶ୍ରୟରେ ବିଷ ଭରି ରହିଥିଲା ବୋଲି ମୁଁ ଜାଣେ ନା । ସେ ମୋତେ ନିଜର ଝିଅପରି ସ୍ନେହ ଓ ବିଦ୍ୟାଶିକ୍ଷା ଦେଲେ । ମୁଁ ଯେତେବେଳେ ଆଇ.ଏସ୍‍ସି. ପଢ଼ିଲି ସେତେବେଳେ ମୋର ଯୌବନକଳି ବିକଶିତ ହେଲା । ତୋର ବାବୁ ନଗେନ୍ ମଧ୍ୟ ମୋ ସହିତ ସମ୍ୱନ୍ଧ ରଖିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ସମସ୍ତ ଆଶା ଭରସା ଧୂଳିସାତ୍ ହୋଇଗଲା । ଯେଉଁ ଦିନ ମୁଁ ଆଇ,ଏସ୍‍ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି ସେହିଦିନ ଜମିଦାରର ବିଷୋଦ୍‍ଗାରିତ ହେଲା । ସେ ବାବାଙ୍କୁ ହତ୍ୟାକରି ମୋର ସର୍ବନାଶ ପାଇଁ ଛୁଟି ଆସିଲେ । ମଦ୍ୟପ ଜମିଦାରକୁ ବାବା ସମ୍ୱୋଧନ ସତ୍ତ୍ୱେ ବି ସେ ମୋତେ କଲେ ସ୍ତ୍ରୀ ସମ୍ୱୋଧନ । ମୁଁ ତାଙ୍କୁ ଯେତେ ଅନୁରୋଧ କଲି ସେ ଛାଡ଼ିଲେ ନାହିଁ । ତତ୍ପରେ ମୁଁ ପ୍ରଳୟଙ୍କର ନଟରାଜ ପରି ଭୀଷଣ କୋପମୂର୍ତ୍ତି ଧାରଣ କଲି । ତାଙ୍କୁ ବଜ୍ର ମୁଷ୍ଟିଘାତରେ ଭୂଲୁଣ୍ଠିତ କରି ଚାଲି ଆସିଲି ଏହି ସଇତାନୀ ସାଜିବାକୁ ।

 

ତା’ହେଲେ ବୀରେଶ୍ୱର ବାବୁଙ୍କୁ ହତ୍ୟାକଲ କାହିଁକି ?

 

ସେହିଦିନୁ ମୋର ଈର୍ଷା ଜାତ ହେଲା ସମସ୍ତ ଜମିଦାରଙ୍କ ଉପରେ । ଆଚ୍ଛା, ତୁ ମରିବାକୁ ଚାହୁ କି ବଞ୍ଚିବାକୁ ଚାହୁ ?

 

ମରିବାକୁ ।

 

କାହିଁକି ?

 

ନିମକହାରାମ୍ ହେବାକୁ ଚାହେନା ଭଉଣୀ ! ଯାହାର ଲୁଣ ଖାଇଛି ତାହାର ଗୁଣ ଗାଇବି । ତୁମେ ଭାବିଛ ମୋତେ ତୁମ ଦଳର ନେତା କରିବା ନିମିତ୍ତ । ଭୁଲି ଯାଅ ସେ ଆଶା । ପ୍ରଭୁ କାର୍ଯ୍ୟରେ ଭୃତ୍ୟ ଆତ୍ମୋତ୍ସର୍ଗ କରିବା ଶତଗୁଣେ ଭଲ ।

 

ତା’ହେଲେ ତୁ ମରିବାକୁ ଚାହୁ, ସୁରେଶ ?

 

ହଁ ।

 

କେତେଟା ବାଜିଲାଣି ରେ ?

 

ଦଶଟା ବାଜିବାକୁ ପନ୍ଦର ମିନିଟ୍ ବାକି ।

 

ଆଉ ଡେରି କାହିଁକି ?

X X X

 

ପନ୍ଦର ମିନିଟ କଟିଗଲା, କିନ୍ତୁ ସେମାନେ ସେ ପର୍ଯ୍ୟନ୍ତ ପଦାକୁ ବାହାରିଲେ ନାହିଁ । ସେମାନଙ୍କର ବିଳମ୍ୱ ହେବାର ଦେଖି ନଗେନ୍ ବାବୁ ବିଶେଷ ଚିନ୍ତିତ ହେଲେ । ନାନା ଚିନ୍ତା ତାଙ୍କ ହୃଦୟକୁ ଉଦବେଳିତ କଲା । ସେ ମନେକଲେ ସେମାନେ ବୋଧହୁଏ ସୁଡ଼ଙ୍ଗ ଦେଇ ଅନେକ ପଥ ଯାଇଛନ୍ତି । ତେଣୁ ସେମାନଙ୍କର ଫେରିବା ପାଇଁ ବିଳମ୍ୱ ହେଲା । ପୁନର୍ବାର ତାଙ୍କ ମନରେ ଜାଗି ଉଠିଲା ହୁଏତ ସେମାନଙ୍କର ଗୁପ୍ତଧନର ଆହରଣରେ ବିଳମ୍ୱ ଘଟିଛି । ହଠାତ୍ ସେ ସୁଡ଼ଙ୍ଗ ନିକଟକୁ ଛୁଟିଯାଇ ତା’ର ଘୋଡ଼ଣୀଟି ବନ୍ଦ କରିଦେଲେ । ସେମାନେ ପଦାକୁ ନ ଆସିଲେ ତାଙ୍କର କାର୍ଯ୍ୟକଳାପ ସହଜରେ ବୁଝାଯାଇ ପାରିବ ନାହିଁ । କି ଉଦ୍ଦେଶ୍ୟରେ ସୁଡ଼ଙ୍ଗ ଭିତରକୁ ଯାଇଛନ୍ତି ସେମାନେ ବାହାରକୁ ନ ଆସିଲେ ତାହା ନିର୍ଦ୍ଧାରଣ କରିବା ଦୁରୂହ । ଏହି ଅବସ୍ଥାରେ ନଗେନ୍ ବାବୁ ସେମାନଙ୍କର ଫେରିଆସିବା ଅବଧି ଅପେକ୍ଷା କରି ରହିବେ । ସେହି ସମୟରେ ତାଙ୍କର ସ୍ମରଣ ହେଲା ସେହି ରମଣୀର ଆଦେଶ । ସେ କାହାକୁ ଆଣିବାକୁ କହିଥିଲା ? ଦେଖିବାକୁ ହେବ ସେହି ଅଭାଗାକୁ–ନଗେନ୍ ବାବୁ ଏକ ଦୃଷ୍ଟିରେ ସେହି ସୁଡ଼ଙ୍ଗର ପ୍ରବେଶ ପଥକୁ ଚାହିଁ ଭାବନା ରାଜ୍ୟରେ ଭ୍ରମି ଚାଲିଥିଲେ । ହଠାତ୍ ଦେଖିପାରିଲେ ପୃଷ୍ଠ ଦେଶରେ ପ୍ରକାଣ୍ଡ ଗଣ୍ଠିଲି ପରି କ’ଣ ଗୋଟାଏ ପଦାର୍ଥ ଲୋକଟା ବାନ୍ଧି ଅତି ସନ୍ତର୍ପଣରେ ସିଡ଼ି ଦ୍ୱାରା ଉପରକୁ ଉଠି ଆସିଲା ଏବଂ ତତ୍ପଶ୍ଚାତ୍ ରମଣୀ ମଧ୍ୟ ଥିଲା । ବହିନିଷ୍କ୍ରାନ୍ତ ହୋଇ ସେ କଦର୍ଯ୍ୟ ଚେହେରାବାନ୍ ଲୋକଟି ଘୋଡ଼ଣୀକୁ ବନ୍ଦ କରି ସଜୋରେ ଦୁଇ ଚାରିଟା ପଦାଘାତ କରି ପୂର୍ବୋକ୍ତ ଗୃହ ନିକଟରେ ଉପସ୍ଥିତ ହେଲା । ତାହାର ନିକଟବର୍ତ୍ତୀ ଗୃହର ଶିକୁଳିକୁ ଖୋଲିଲେ ଏବଂ ପ୍ରବେଶ କରିବାମାତ୍ରେ କାନ୍ଥର ବୈଦ୍ୟୁତିକ ସୁଇଚ୍‍କୁ ଟିପିଦେଲେ । ସଙ୍ଗେ ସଙ୍ଗେ ଗୃହଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଉଠିଲା । ଗୃହର ମେଜିଆ ଉପରେ ଗଣ୍ଠିଲିଟାକୁ ରଖି ଦୁଇ ପାର୍ଶ୍ୱରୁ ଦୁଇଟି ଦଉଡ଼ିଆ ଖଟିଆ ଟାଣିଆଣି ଏକତ୍ର ଯୋଡ଼ି ରଖିଲା । ତା’ପରେ ଗଣ୍ଠିଲିଟିକୁ ଖୋଲିବାରେ ଲାଗିଲା, କିନ୍ତୁ ସେଥିରେ କୌଣସି ପଦାର୍ଥ ନଥିଲା; ଥିଲା କେବଳ ଦୁଇଟି ମନୁଷ୍ୟର ମୂର୍ତ୍ତି । ଗୋଟିଏ ଯୁବକ ଏବଂ ଅନ୍ୟଟି ବାଳକ । ସେମାନଙ୍କର ହସ୍ତପଦ ଦୃଢ଼ଭାବେ ଶୃଙ୍ଖଳିତ ହୋଇଥିଲା ଏବଂ କୃଷ୍ଣ ବସ୍ତ୍ରରେ ମୁଖଦେଶ ଆବୃତ ଥିଲା । ଦୁଇଜଣଙ୍କର ଦେହରେ କାମିଜ୍ ଥିଲା । ଲୋକଟି ସେମାନଙ୍କର କାମିଜ୍‍କୁ ଦେହର ଅଧହାତ ସମଚତୁଷ୍କୋଣ ପରିମିତ ଛିନ୍ନ କରି ଦୂରକୁ ନିକ୍ଷେପ କଲା । ଉକ୍ତ କାର୍ଯ୍ୟକଳାପରେ ତାକୁ ବାଧା ଦେବାକୁ କେହି ନଥିଲେ । ଅନନ୍ତର ସେ ରମଣୀକୁ ମୃଦୁ ସ୍ୱରରେ କହିଲା–ଦଶଟା ବିଜିଲା । ସବୁ କାର୍ଯ୍ୟ ଶେଷ । କେବଳ ବର୍ତ୍ତମାନ ବାକି ଅଛି ପାଇପ୍‍ ଯୋଡ଼ା ଏବଂ କଳଚାଳନା । ଆପଣଙ୍କ ହୁକୁମ ପାଇଲେ ତାହା ଆରମ୍ଭ କରିବି ।

 

ଚତୁର୍ଦ୍ଦିଗରେ ଚକ୍ଷୁ ବୁଲାଇ ରମଣୀଟି କହିଲା–All right ! ବର୍ତ୍ତମାନ ପାଇପ୍ ଦୁଇଟା ସଂଯୁକ୍ତ କର । ସଙ୍ଗେ ସଙ୍ଗେ ପାଇପ୍ ଦୁଇଟା କଳମୁଖରେ ସଂଯୁକ୍ତ ହୋଇଗଲା । ତା’ପରେ ସେ ଆଦେଶ ଦେଲା ବର୍ତ୍ତମାନ ତୁମେ ଉଠି କଳଚାଳନା କରି ଦେଇ ଆସ ଏବଂ ଏହିଠାରେ ଠିଆ ହୋଇ ଦେଖ, ଯନ୍ତ୍ରଣାରେ ଆର୍ତ୍ତନାଦ କରି ଏମାନେ କିପରି ମୃତ୍ୟୁ ମୁଖରେ ପତିତ ହେବେ ।

 

ରମଣୀଟି ଯାହା ଆଦେଶ ଦେଲା ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଆସାମ ଜଙ୍ଗଲରୁ ଆହରଣ କରାହୋଇଥିବା ଏକ ପ୍ରକାର ତୀବ୍ର ଭୈଷଜ ବିଷ । ଆଖୁ କଳପରି ଏହି କଳର ମୁଖରେ ଗୋଟିଏ ପାତ୍ରରେ ଉକ୍ତ ବୃକ୍ଷର କିଛି ବଳ୍କଳ ରଖି ଦିଆଯାଏ । କଳ ଚାପରେ ବଳ୍କଳଗୁଡ଼ିକ ପେଷି ହୋଇ ରସ ନିର୍ଗତ ହେବାକୁ ଲାଗେ । ଏହି ରସ ନଳ ମଧ୍ୟରେ ଆସି କୌଣସି ମନୁଷ୍ୟର ମୁକ୍ତ ବୁକୁରେ ପଡ଼ିଲେ ସେ ଯନ୍ତ୍ରଣାରେ ଆର୍ତ୍ତନାଦ କରିବ ଏବଂ ସେଠାରେ ସୃଷ୍ଟି ହେବ ଗୋଟାଏ ଭୀଷଣ ଦୂରାରୋଗ୍ୟ କ୍ଷତ । ବିଷ ରକ୍ତ ସହିତ ମିଳିତ ହେଲେ ସଙ୍ଗେ ସଙ୍ଗେ ଆହତ ବ୍ୟକ୍ତି ପତିତ ହେବ ମୃତ୍ୟୁମୁଖରେ ।

 

ଲୋକଟି ବିଦ୍ୟୁତ୍ ବେଗରେ ଉପରକୁ ଉଠିଗଲା । ଛାତ ଭିତରେ କାର୍ନିସ୍‍ର କିଛି ଅଂଶ ଗୋଟାଏ ଚଉଡ଼ା Platform ପରି ଗଠିତ ହୋଇଛି । ସେହିଠାରେ କଳଟି ଫିଟ୍ ହୋଇଛି । ସେ ପାଇପ୍ ଦୁଇଟିକୁ Adjust କରିଦେଲା । ବର୍ତ୍ତମାନ ପାଇପ୍‍ଦ୍ୱୟ ଖଟିଆର ଦେଢ଼ହାତ ଉପରେ ରହିଲା । ପାଇପ୍ ମୁଖ ଦେଇ ଯେଉଁ ରସ ନିଃସୃତ ହେବ ତାହା ଠିକ୍ ଶାୟିତ ବ୍ୟକ୍ତିର ମୁକ୍ତ ବୁକୁ ଉପରେ ପଡ଼ିବ ।

 

ରମଣୀର ଆଦେଶ ପାଇଲା ମାତ୍ରେ ଲୋକଟି କଳଚାଳନ କରିଦେଲା । ଯନ୍ତ୍ର ଦାନବଟି ଘୁଂ ଘୁଂ ଶବ୍ଦ କରି ବଳ୍କଳଗୁଡ଼ିକୁ ପେଷିଦେଲା । ନଳ ଦେଇ ରସ ଏକ ବୁନ୍ଦା ଆସି ତା’ର ମୁଖରେ ଦେଖାଦେଲା । ଆଉ ଏକ ବୁନ୍ଦା ରସ ପରେ ଗଡ଼ି ଆସିବ ଶାୟିତ ହତଭାଗାର ବୁକୁପରେ । ଦ୍ୱିତୀୟ ନଳଟିର ଅବସ୍ଥା ମଧ୍ୟ ସେହିପରି । ତା’ର ମୁଖ ନିକଟରେ ଏକ ବୁନ୍ଦା ରସ ! ମୃତ୍ୟୁ ଯେପରି ମଥା ଉପରେ । ଖଟିଆସ୍ଥ ଲୋକ ଦୁଇଟା ପ୍ରବଳ ବେଗରେ ଚିତ୍କାର କରି ଉଠିଲେ । ତେବେ କ’ଣ ରସ ଆସି ତାଙ୍କ ବୁକୁ ଉପରେ ପଡ଼ିଲା ? ନା ନା, ବର୍ତ୍ତମାନ ପଡ଼ି ନାହିଁ । ତେବେ ବି ବିଳମ୍ୱ ନାହିଁ । ନଳ ମୁଖର କ୍ଷୁଦ୍ର ରସ ବୁନ୍ଦାଗୁଡ଼ିକ ବୃହଦାକାର ଧାରଣ କରିବାକୁ ଲାଗିଲା । ଏହିଥର ବୁକୁପରେ ପଡ଼ିବ । ଆଉ ରକ୍ଷା ନାହିଁ । ‘‘ଗୁଡ଼ୁମ୍’’ କରି ଗୋଟିଏ ଗୁଳିଯାଇ ବିଶାଳକାୟ ଲୋକଟିର ବକ୍ଷ ଭେଦକଲା–ଲୋକଟି ସଶବ୍ଦେ ମେଜିଆ ଉପରେ ପଡ଼ିଗଲା ଏବଂ ସଙ୍ଗେ ସଙ୍ଗେ ପଞ୍ଚତ୍ୱ ପ୍ରାପ୍ତ ହେଲା ।

 

ରମଣୀଟି ପ୍ରଥମେ ଇତସ୍ତତଃ ହୋଇଗଲା । ଏହି ଭୂତ ଗୃହକୁ ବିଶ୍ୱସ୍ରଷ୍ଟା ବ୍ରହ୍ମା ଆସିବାକୁ ସାହସ କରନ୍ତି ନାହିଁ, କିନ୍ତୁ ଏପରି ଅଘଟଣ କିପରି ଭାବେ ଘଟିଲା ତାହା ଧାରଣା କରିପାରିଲା ନାହିଁ । ପକେଟରୁ ତତ୍‍କ୍ଷଣାତ୍ ରିଭଲ୍‍ଭର୍ ବାହାର କରି ସେ ନଗେନ୍ ବାବୁଙ୍କୁ ଲକ୍ଷ୍ୟ କରିବା ମାତ୍ରେ ନଗେନ୍ ବାବୁଙ୍କର ଗୁଳି ଆସି ତାହାର ହସ୍ତ ଭେଦ କଲା । ତା’ର ରିଭଲ୍‍ଭରଟି ତଳେ ପଡ଼ିଗଲା । ନଗେନ୍ ବାବୁ ଗୃହ ମଧ୍ୟକୁ ପ୍ରବେଶ କରୁ କରୁ କହିଲେ ମିସେସ୍ ଜୟଶ୍ରୀ–ହାତ ଦୁଇଟା ଉପରକୁ ଟେକି ଦିଅନ୍ତୁ । ରମଣୀଟି ମୁହୂର୍ତ୍ତ ମଧ୍ୟରେ ପୋଷାକୁକୁର ପରି ହୋଇଗଲା । ନଗେନ୍ ବାବୁ ତାକୁ ଶୃଙ୍ଖଳିତ କରିବା ସଙ୍ଗେ ସଙ୍ଗେ ରମଣୀଟି ଚଟାଣ ଉପରେ ବସିପଡ଼ି ଦୃଢ଼ କଣ୍ଠରେ କହିଲା–ଗୋଟିଏ ଭୁଲ ପାଇଁ ଏତେ ବଡ଼ ଅନର୍ଥ ସୃଷ୍ଟି ହେଲା । ଯାହାହେଉ ଆପଣଙ୍କର ବାହାଦୁରୀ ଅଛି ନଗେନ୍ ବାବୁ ! ଆପଣଙ୍କ ପରି ବୁଦ୍ଧିମାନ ବ୍ୟକ୍ତି ଯଦି ଆମର ସହାୟ ହୋଇଥା’ନ୍ତା, ତାହାହେଲେ ଆମେ ଦୁନିଆଟାକୁ ହାତ ମୁଠାରେ ରଖି ପାରିଥାନ୍ତୁ–କିନ୍ତୁ ତାହା ହେବାର ନୁହେଁ । ତରୁଣୀଟି ନଗେନ୍ ବାବୁଙ୍କର କାର୍ଯ୍ୟକଳାପକୁ ତୀକ୍ଷଣ ଦୃଷ୍ଟିରେ ଚାହିଁ ରହିଲା । ଗୋଟିଏ ଛୁରୀ ଦ୍ୱାରା ନଗେନ୍ ବାବୁ ଶାୟିତ ବ୍ୟକ୍ତିର ବନ୍ଧନ କାଟିଦେଲେ । କୀର୍ତ୍ତନ ସଙ୍ଗେ ସଙ୍ଗେ ବାଳକଟି ଡେଇଁ ପଡ଼ିଲା । ଏ କିଏ ! ସୁରେଶ ! ତୁ ବଞ୍ଚିଛୁ ! କହି ନଗେନ୍ ବାବୁ ତାକୁ ଆଲିଙ୍ଗନ କରି ବୁକୁ ଉପରେ ତୋଳି ଧରିଲେ ଏବଂ ବାଷ୍ପଗଦ୍‍ଗଦ ସ୍ୱରରେ କହିଲେ–ଚାକିରି କରିବାର ଦୁଇଦିନ ପାର ହୋଇ ନାହିଁ, ତୁ ଆଜି ମରଣ ପଥକୁ ଚାଲି ଆସିଥିଲୁ ! ସୁରେଶ ସହାସ୍ୟେ କହିଲା–ଆପଣ ଥାଉ ଥାଉ ଆମେ କ’ଣ ମରିବୁ ? ସେଥିପାଇଁ ଆମେ ସୁନାପୁଅ ପରି ଚୁପ୍ ହୋଇ ପଡ଼ିଥିଲୁ । ମୁଁ ଜାଣେ ଆପଣ ନିଶ୍ଚୟ ଏଠାକୁ ଆସି ଆମକୁ ଉଦ୍ଧାର କରିବେ ।

 

–ମୋ ଉପରେ ତୋର ଏତେ ବିଶ୍ୱାସ ?

 

–ନିଶ୍ଚୟ ।

 

ସୁରେଶ ଶୀଘ୍ର ଯାଇ ତା’ ସଙ୍ଗୀର ବନ୍ଧନ ମୋଚନ କରିଦେଲା । ଅତି କ୍ଷୀଣ କଣ୍ଠରେ ତା’ ସଙ୍ଗୀ କହିଲା–‘‘ଜଳ’’ । ସୁରେଶ ବିଦ୍ୟୁତ୍ ବେଗରେ ଛୁଟିଯାଇ ଗୋଟିଏ ପାତ୍ରରେ ଜଳ ଭରି ଆଣି ତା’ର ମୁଖ ନିକଟରେ ଧୀରେ ଧୀରେ ଢାଳିଲା । ଦୁଇ ଚାରି ଢୋକ ଜଳ ପାନକରି ସେ ଧୀରେ ଧୀରେ ପୀଡ଼ିତ ଶ୍ୱାସ ରୋଗୀ ପ୍ରାୟ ହୃତ୍‍ପିଣ୍ଡକୁ କମ୍ପାଇ ଉଠି ବସିଲା । ନଗେନ୍ ବାବୁଙ୍କ ଧାରଣା ଠିକ୍ ବୋଲି ପ୍ରମାଣ କରିବା ପାଇଁ ସେ ତାଙ୍କୁ ପରୀକ୍ଷା କଲା–ଆପଣଙ୍କ ନାମ ସମୀର ରାୟ ନା ? ଊର୍ଦ୍ଧ୍ୱଶ୍ୱାସ ହୋଇ ଉକ୍ତ ବ୍ୟକ୍ତିଟି ଧୀର କଣ୍ଠରେ ଉତ୍ତର ଦେଲେ–ଆଜ୍ଞା ହଁ ।

 

କ୍ଷଣକ ପାଇଁ ନଗେନ୍ ବାବୁଙ୍କର ଆନନ୍ଦ ସୀମା ଲଙ୍ଘନ କରିବା ସଙ୍ଗେ ସଙ୍ଗେ ତାଙ୍କ ମନରେ ପ୍ରଶ୍ନଟିଏ ଉଠିଲା ଯେ ଚଳତ୍‍ଶକ୍ତି ହୀନ ସମୀରକୁ ନେବା ନିମିତ୍ତ ଉପାୟ କ’ଣ ? ଉକ୍ତ ପ୍ରଶ୍ନକୁ ପ୍ରକାଶ କରି ନଗେନ୍ ବାବୁ ଚିନ୍ତାମଗ୍ନ ହେଲେ । ଅଗ୍ନିରେ ଇନ୍ଧନ ଯୋଗାଇଲା ପରି ସୁରେଶ କହିଲା–ଦେଖୁଛି ବାବୁ । ଉତ୍ତର ଦେଇ ସୁରେଶ ନିକଟସ୍ଥ ବସ୍ତି ଅଭିମୁଖେ ଛୁଟିଗଲା । ବୁଦ୍ଧିମାନ୍ ବାଳକ ପକ୍ଷେ ଏ ଦାରୁଣ ସମସ୍ୟା ଅତ୍ୟନ୍ତ ତୁଚ୍ଛ । ସେ ସେଠାକାର ଗୋଯିଏ ଧନୀ ଲୋକକୁ ଡାକି ଗୋଟିଏ ପାଲିଙ୍କି ଯୋଗାଡ଼ କରିବାକୁ କହିଲା । ସେ ବ୍ୟକ୍ତି ସୁରେଶର କଥାଗୁଡ଼ିକୁ ଆଦୌ କାନକୁ ନେଲା ନାହିଁ । ଅଗତ୍ୟା ସୁରେଶ କହିଲା–ତୁମେ ଭଲ କଥାରେ ରାଜି ହେଲ ନାହିଁ; ମୁଁ ଯାଇ ଦାରୋଗା ବାବୁଙ୍କୁ କହିବି । ତା’ପରେ ଯାହା କରିବାକୁ ହେବ ସେ କରିବେ । ଏହି ଘରେ ଗୋଟାଏ ଖୁନ୍ ହୋଇଛି, ସେ ସେଥିପାଇଁ ଆସିଛନ୍ତି । ତୁମର ଏଠାରୁ ଦୁଇ ତିନି ଜଣ ଧରି ନେଇ ମାମୁଁ ଘର ଦେଖାଇ ଦେଲେ ଠିକ୍ ହେବ ।

 

ପଲ୍ଲୀବାସୀମାନେ ବାଘ, ଭାଲୁ ଏବଂ ଯମରାଜାକୁ ଯେତେ ଭୟ କରନ୍ତି ନାହିଁ ତା’ଠାରୁ ବେଶୀ ଭୟ କରନ୍ତି ଥାନାର ଦାରୋଗାକୁ ।

 

ଧନୀ ବ୍ୟକ୍ତିଟି ଆଉ କାଳ ବିଳମ୍ୱ ନକରି ପଡ଼ାର ସମସ୍ତ ଲୋକଙ୍କୁ ଡାକି ଘଟଣାଟି ବୁଝାଇ ଦେଲେ । ଅନତିବିଳମ୍ୱେ ପାଲିଙ୍କି ଯୋଗାଡ଼ କରି ଯଥା ସ୍ଥାନରେ ସୁରେଶ ଆସି ପହଞ୍ଚିଲା-। ସ୍ଥାନୀୟ ଚୌକିଦାର ମାରଫତ୍ ଘରଗୁଡ଼ିକୁ ଓ ଲାସ୍‍ଟିକୁ ଦେଇ ଆସାମୀ ଓ ସମୀର ରାୟଙ୍କୁ ସଙ୍ଗରେ ନେଇ ନଗେନ୍ ବାବୁ ଓ ସୁରେଶ ବାହାରିଲେ ।

 

କଲିକତାକୁ ଆସି ନଗେନ୍ ବାବୁ ଆସାମୀକୁ ହାଜତରେ ରଖି ସମୀରଙ୍କୁ ତାଙ୍କ ଖୁଡ଼ୀ ନିକଟରେ ଦେଇ ଫେରିଲେ ।

 

ଧନଞ୍ଜୟ ବାବୁ ମହାନନ୍ଦରେ ପୁନର୍ବାର ବୀରେଶ୍ୱର ବାବୁଙ୍କ ସ୍ତ୍ରୀଙ୍କ ସଙ୍ଗେ ସାକ୍ଷାତ କରି ଘଟଣାଟିକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଲେ । ଏହି ସମ୍ୱାଦ ବେଶ୍ୟା ନିକଟକୁ ପଠାଇବାକୁ ମଧ୍ୟ ଭୁଲେ ନାହିଁ ।

 

ନକଲି ସମୀରର କୌଣସି ସନ୍ଧାନ ମିଳିଲା ନାହିଁ । ଯଥା ସମୟରେ ବିଚାରାଳୟରୁ ତଲବ ଆସିଲା ଯେ ଅନ୍ୟ ଆସାମୀଙ୍କ ସହ ବନ୍ଦିନୀ ଜୟଶ୍ରୀକୁ ବିଚାର ପାଇଁ ପଠାଇବାକୁ । ଥାନାର କର୍ତ୍ତୃପକ୍ଷ ସକଳ ଆସାମୀଙ୍କୁ Prison Van ରେ ଚଢ଼ାଇ ହାଜତରେ ଆସି ଦେଖିଲେ ଜୟଶ୍ରୀ ଅନ୍ତର୍ଦ୍ଧାନ । ତାହା ପରିବର୍ତ୍ତେ ସେ ଦେଖିବାକୁ ପାଇଲେ ଗୋଟିଏ ଭିକାରୁଣୀକୁ । ସେ ଗଗନ ଫଟାଇ ଆର୍ତ୍ତ କଣ୍ଠରେ ଚିତ୍କାର କରୁଥିଲା, କିନ୍ତୁ ଏତେକ୍ଷଣ କେହି ତା’ର ଚିତ୍କାରକୁ କର୍ଣ୍ଣପାତ କଲେ ନାହିଁ । ଭିକାରିଣୀକୁ ହାଜତରୁ ବାହାର କରିଦେଲେ ।

 

ଜୟଶ୍ରୀର ଅନ୍ତର୍ଦ୍ଧାନର ସଫଳତା ପାଠକମାନଙ୍କୁ ଆକର୍ଷିତ କରିବ ହୃଦୟସ୍ପର୍ଶୀ ଡିଟେକ୍‍ଟିଭ୍ ‘‘ମାରଣ ଯଜ୍ଞ’’ ସାହାଯ୍ୟରେ ।

Image